କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ସନ୍ଦେହଜନକ ଅବସ୍ଥାରେ ଦୁଇ ସମ୍ପର୍କୀୟଙ୍କ ମୃତ୍ୟୁ

Published: Jun 19, 2020, 11:22 am IST

ଜମ୍ମୁ : କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ସମୟରେ ଦୁଇଜଣ ସମ୍ପର୍କୀୟଙ୍କ ଅଚାନକ ମୃତ୍ୟୁ ହୋଇଛି ।  ଜମ୍ମୁର ସିଦ୍ଦରା ଅଞ୍ଚଳରେ କରୋନା ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହୋଇଥିବା ଦୁଇ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ ଅଚାନକ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ପ୍ରଶାସନ ଏହି ଘଟଣାର କଡା ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ତିନି ସମ୍ପର୍କୀୟ ଅନ୍ତିମ ସଂସ୍କାର ପାଇଁ ତବୀ ନଦୀ କୂଳକୁ ସରକାରୀ ଆମ୍ବୁଲାନ୍ସରେ ଶବକୁ ନେଇ ଯାଇଥିଲେ । ସଂସ୍କାର ପାଇଁ ମୃତକଙ୍କ ପୁଅ ସହ ଦୁଇ ଭଣଜା ଉପସ୍ଥିତ ରହିଥିଲେ । କରୋନା ପ୍ରୋଟୋକଲ୍‌ ଅନୁସାରେ ସେମାନେ ପିପିଇ କିଟ୍‌ ମଧ୍ୟ ପରିଧାନ କରିଥିଲେ । ମୃତକଙ୍କ ସଂସ୍କାର  ଚାଲିଥିବାବେଳେ ମୃତକଙ୍କ ପୁଅ ସମେତ ଦୁଇ ଭଣଜା ଅଚାନକ ମୁଣ୍ଡ ବୁଲାଇ ଟଳି ପଡି ବେହୋସ ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇ ଭଣଜାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ପୁତ୍ରକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଛି ।  ଏହି ଘଟଣାର ତଦନ୍ତ ପାଇଁ ଆଦେଶ ଦିଆଯାଇଛି । (ଏଜେନ୍ସି)

Related posts