ମରିବା ପୂର୍ବରୁ ବାଏ କହି ପିତାଙ୍କୁ ଭିଡିଓ ପଠାଇଲେ କରୋନା ଆକ୍ରାନ୍ତ

Published: Jun 29, 2020, 3:53 pm IST

ହାଇଦ୍ରାବାଦ : ହାଇଦ୍ରାବାଦରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ 26 ବର୍ଷୀୟ ଯୁବକ କରୋନାରେ ମୃତ୍ୟୁ ବରଣ କରିବା ପୂର୍ବରୁ ନିଜ ପିତାଙ୍କୁ ଶେଷ ଭିଡିଓ ବାର୍ତ୍ତା ପଠାଇଛନ୍ତି । ଯାହାକୁ ଦେଖି ସମେସ୍ତ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ରୋଗୀ ଜଣକ ଭିଡିଓରେ ତାଙ୍କ ବାପାଙ୍କୁ ଶେଷ ବିଦାୟ ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣା ହାଇଦ୍ରାବାଦର ଏକ ସରକାରୀ ହସ୍ପିଟାଲରେ ଘଟିଛି । ମୃତ୍ୟର କିଛି ସମୟ ପୂର୍ବରୁ ଯୁବକ ଜଣକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓରେ ଯୁବକ ଜଣକ କହିଛନ୍ତି ଯେ, ‘ମୁଁ ନିଃଶ୍ୱାସ ନେଇ ପାରୁନାହିଁ,.ଏନେଇ ମୁଁ ତାଙ୍କୁ କେତେ ଅନୁରୋଧ କଲି, ତଥାପି ମତେ ତିନି ଘଣ୍ଟା ପର୍ଯ୍ୟନ୍ତ ଅକ୍ସିଜେନ୍‌ ଦିଆଗଲା ନାହିଁ। ମୁଁ ଆଉ ନିଃଶ୍ୱାସ ନେଇପାରୁ ନି ଡାଡି। ମୋତେ ଏମିତି ଲାଗୁଛି ଯେ ମୋର ନିଃଶ୍ୱାସ ବନ୍ଦ ହେଇଯିବ। ବାଏ ଡାଡି, ସମସ୍ତଙ୍କୁ ବାଏ,…।

ଯୁବକଙ୍କ ପିତା କହିଛନ୍ତି ଯେ, ତାଙ୍କ ପୁଅଙ୍କର ଏହି ଭିଡିଓ ପଠାଇବାର କିଛି ସମୟ ପରେ ମୃତ୍ୟୁ ହୋଇଥିଲା । ଜୁନ୍‌ 24କୁ ତାଙ୍କ ପୁଅକୁ ଜ୍ବର ହୋଇଥିଲା । ସେ ତାଙ୍କୁ ନେଇ ବହୁ ହସ୍ପିଟାଲ ଯାଇଥିଲେ । କିନ୍ତୁ କେହି ତାଙ୍କୁ ଆଡ୍‌ମିସନ କରାଇଲେ ନାହିଁ। ଏହା ପରେ ତାଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଜୁନ୍‌ 26 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଶନିବାର ଦିନ ପୁଅର ଏହି ଶେଷ ଭିଡିଓଟି ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହୋଇଥିଲା । (ଏଜେନ୍ସି)

Related posts