ଗଞ୍ଜାମ ବିଜେପି ଜିଲ୍ଲା ସଭାପତିଙ୍କୁ ହତ୍ୟା ଉଦ୍ୟମ

Published: Jul 19, 2020, 7:23 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର :ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କୁ ରାସ୍ତାରୁ ହଟାଇବା ପାଇଁ ବଡ଼ ଧରଣର ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଥିଲା। ମଧ୍ୟରାତ୍ରିରେ ଦୁର୍ବୃତ୍ତ ଛକି ରହିଥିବା ବେଳେ ବିଭୂତିଙ୍କ ଜଣେ ସହଯୋଗୀଙ୍କ ନିଦ ଭାଙ୍ଗି ଯିବାରୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ‌ଛାଡ଼ି ଦୌଡ଼ି ପଳାଇଛନ୍ତି। ଏ ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ଛାଡ଼ି ଯାଇଥିବା ଖଣ୍ଡା, ମୋଟର୍‌ ସାଇକେଲ୍‌କୁ ପୁଲିସ ଜବତ କରି ଛାନ୍‌ଭିନ୍‌ ଚଳାଇଛି।

ଗୋଳନ୍ଥରା ବିଜେପି କାର୍ଯ୍ୟାଳୟ ନିକଟସ୍ଥ ନିଜ ବାସଭବନରେ ରହୁଥିବା ବିଜେପି ଜିଲ୍ଲା ସଭାପତି ଶ୍ରୀ ଜେନାଙ୍କ ଘର ନିକଟରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଛକି ରହିଥିଲେ। ରାତି ପ୍ରାୟ ତିନିଟା ବେଳେ ବିଭୂତିଙ୍କ ଜଣେ ସହଯୋଗୀ ପରିସ୍ରା ପାଇଁ ଉଠି ଦୁର୍ବୃତ୍ତଙ୍କୁ ଦେଖି ପାଟି କରିଥିଲେ। ପାଟି ଶୁଣି ଦୁର୍ବୃତ୍ତମାନେ ଏକ ପଲ୍‌ସର୍‌ ବାଇକ୍‌ ଓ ତିନୋଟି ଖଣ୍ଡା ଛାଡ଼ି ସେଠାରୁ ଚମ୍ପଟ୍‌ ମାରିଥିଲେ। ଘଟଣା ସମ୍ପର୍କରେ ଶ୍ରୀ ଜେନା ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ।

ଏହି ଖବର ପାଇ ବହୁ ସଂଖ୍ୟାରେ ବିଜେପି କର୍ମୀ ପହଂଚି ଖୋଜାଖୋଜି କରିବା ପରେ ଈଶାଣେଶ୍ୱର ମନ୍ଦିର ପାର୍ଶ୍ୱରେ ଏକ ନମ୍ବର ବିହୀନ ପଲ୍‌ସର୍‌ ମୋଟର୍‌ ସାଇକେଲ୍‌ ସହ ତିନି ହଳ ପ୍ୟାଣ୍ଟ୍‌, ସାର୍ଟ ଥିବା ଦେଖିଥିଲେ।ଗୋଳନ୍ଥରା ପୋଲିସ ଅନୁସନ୍ଧାନ ଜାରି ରଖିଥବା ଜଣା ପଡିଛି ।ସୂଚନା ଥାଉକି ଏହା ଏକ ଡକାୟତି ଯୋଜନା ହୋଇଥାଇପାରେ ବୋଲି ସଂନ୍ଦେହ କରାଯାଉଛି ,କିମ୍ବା ବ୍ୟବସାୟକ ଶତ୍ରୁତା ହୋଇଥାଇ ପାରେ ବୋଲି ଅନୁମାନ କରାଯାଇ ପାରେ ସେ ଯାହାବି ହେଉ ଅତି ଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ ।

Related posts