ହସ୍ପିଟାଲ ବାହାରେ ବର୍ଷାରେ ଭିଜିଲା ବୃଦ୍ଧଙ୍କ ଶବ, ସାହାଯ୍ୟ ପାଇଁ ଗୁହାରି କଲେ ବୃଦ୍ଧା

Published: Jul 27, 2020, 10:39 pm IST

ଉତ୍ତରପ୍ରଦେଶ : ଦେଶ କରୋନା ମହାମାରୀ ସହ ଯୁଝୁଥିବାବେଳେ ହସ୍ପିଟାଲଗୁଡିକରୁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି । ଉତ୍ତରପ୍ରଦେଶର ସହାରନାପୁର ଜିଲ୍ଲା ହସ୍ପିଟାଲରୁ ପୁଣି ଏକ ଲଜ୍ଜ୍ୟାଜନକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ବୃଦ୍ଧଙ୍କ ମୃତଦେହ ବର୍ଷାରେ ହସ୍ପିଟାଲ ବାହାରେ ପଡି ଘଣ୍ଟା ଘଣ୍ଟା ଧରି ଭିଜୁଥିବାବେଳେ ଉଠାଇବାକୁ କେହି ନଥିଲେ । ଶବ ସହିତ ଜଣେ ବୃଦ୍ଧା ମହିଳା ସମସ୍ତଙ୍କୁ ଅନୁନୟ ହୋଇ ସାହାଯ୍ୟ ଭିକ୍ଷା କରିବା ସତ୍ତ୍ବେ କେହି ତାଙ୍କର ସହାୟତ୍ତା କରିନଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଘଟଣାଟି ସାମ୍ନାକୁ ଆସିଛି ।
ଏହି ଭିଡିଓରେ ହସ୍ପିଟାଲ କର୍ମଚାରୀଙ୍କ ଦାୟିତ୍ବହୀନତା ସଫା ସଫା ଦେଖାଯାଉଛି । ଘଣ୍ଟା ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ ଏହି ଅସହାୟ ବୃଦ୍ଧା ମହିଳାଙ୍କୁ କେହି ସାହାଯ୍ୟ କରିବାକୁ ଆସିନଥିଲେ । ଘଟଣାଟି ସମ୍ପର୍କରେ ସହାରନପୁର ଜିଲ୍ଲା ହସ୍ପିଟାଲର ସିଏମ୍‌ଏସଙ୍କୁ ପଚାରାଯିବାରୁ ସେ କହିଥିଲେ ଯେ, ତାଙ୍କର ଡ୍ୟୁଟି କରୋନା ଓ୍ବାର୍ଡରେ ରହିଥିଲା । ତେବେ ସେ ଏହି ଘଟଣା ପାଇଁ ଏକ କମିଟି ଗଠନ କରି ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।
ନିକଟରେ ବିହାରର ଏକ ହସ୍ପିଟାଲରେ ଏକ ନବଜାତ ଶିଶୁକୁ ମା’ ଟ୍ରେରେ ଧରି ଥିବାବେଳେ ଶିଶୁର ପିତା କାନ୍ଧରେ ଅକ୍ସିଜେନ୍‌ ସିଲିଣ୍ଡର ବୋହୁଥିବାର ଦେଖାଯାଇଥିଲା । (ଏଜେନ୍ସି)

Related posts