ଏଣିକି ଭାରତୀୟ ସେନା ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ ନେବାକୁ ପଡିବ ଏନ୍‌ଓସି

Published: Aug 1, 2020, 11:01 am IST

ନୂଆଦିଲ୍ଲୀ :  କିଛି ଫିଲ୍ମ ଓ ଓ୍ବେବ୍‌ସିରିଜ୍‌ରେ ଭାରତୀୟ ସେନାର ଯବାନ ଏବଂ ସାମରିକ ପୋଷାକର ଦୂରୁପଯୋଗ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ  ଏହି ଘଟଣାକୁ ବେଶ୍‌ ଗମ୍ଭୀର ଭାବରେ ନେଇଛି ପ୍ରତିରକ୍ଷା ମନ୍ତ୍ରାଳୟ  । ଏହି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବେ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫ୍ସି), ମେଟିଟି) ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଭାରତୀୟ ସେନା ଉପରେ ଏଣିକି ଚଳଚ୍ଚିତ୍ର / ଡକ୍ୟୁମେଣ୍ଟାରୀ / ୱେବ୍ ସିରିଜ୍ ପ୍ରସାରଣ କରିବା ପୂର୍ବରୁ ପ୍ରଡକ୍ସନ୍ ହାଉସ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଏନ୍‌ଓସି ନେବା ପାଇଁ କୁହାଯାଇଛି | ଏନ୍‌ଓସି ବିନା ଭାରତୀୟ ସେନା ଉପରେ ନିର୍ମିତ କୌଣସି ଚଳଚ୍ଚିତ୍ର କିମ୍ୱା ଦୃଶ୍ୟ ପ୍ରସାରିତ ହୋଇପାରିବ ନାହିଁ |

ପ୍ରତିରକ୍ଷା ମନ୍ତ୍ରଣାଳୟକୁ ମିଳିଥିବା ଅଭିଯୋଗରେ ସଶସ୍ତ୍ର ବାହିନୀର ଭାବମୂର୍ତ୍ତିକୁ ଖରାପ ପ୍ରଦର୍ଶନ କରିଥିବା କୁହାଯାଇଛି ଯେ ଏଏଲ୍‌ଟି ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ କୋଡ୍ ଏମ୍ ଏବଂ ଜି5 ର ଏକ୍ସ ଏକ୍ସ ଅନ୍ସେନ୍ସୋର୍ଡ (ସିଜନ୍-୨) ଭଳି ସିରିଜ୍ ସେନା ବିଷୟରେ କିଛି ଦୃଶ୍ୟ ଦର୍ଶାଇଛି। ଏଥିରେ ଭାରତୀୟ ସେନାକୁ ଭୁଲ୍‌ ଭାବେ ଚିତ୍ରଣ କରାଯାଇଛି । ଏନେଇ କେତେକ ଭାରତୀୟ ନାଗରିକ ଏବଂ ପୂର୍ବତନ ସେନା ସଂଗଠନ ମଧ୍ୟ ନିର୍ମାତା ଏବଂ ଓଟିଟି ପ୍ଲାଟଫର୍ମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଏଏଲ୍‌ଟି ବାଲାଜୀ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

ଏପରି ଅଭିଯୋଗକୁ ଦେଖି  ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଡକ୍ସନ ହାଉସକୁ ପରାମର୍ଶ ଦେବା ପାଇଁ ସେନସର୍‌ ବୋର୍ଡ ଓ ସୂଚନା ତଥା ପ୍ରସାରଣ ମନ୍ତ୍ରାଳୟକୁ ଏନେଇ ଏକ ପତ୍ର ଲେଖିଛନ୍ତି । ପ୍ରତିରକ୍ଷା ବାହିନୀର ଭାବମୂର୍ତ୍ତିକୁ ନଷ୍ଟ କରୁଥିବା ତଥା ପ୍ରତିରକ୍ଷା କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ଭାବନାକୁ ଆଘାତ ଦେଇଥିବା ଘଟଣାକୁ ରୋକିବା ପାଇଁ ଏହି ସବୁ କାର୍ଯ୍ୟ କରାଯାଉଛି। (ଏଜେନ୍ସି)

Related posts