କେଦାର ମିଶ୍ର
ଦୁଇ ସପ୍ତାହର ଲକ ଡାଉନ ପରେ ଗତକାଲି ଭୁବନେଶ୍ୱର ପୁଣି ଖୋଲିଲା। ତେବେ ଲକ ଡାଉନ ଖୋଲିବା ସମୟରେ ରାଜ୍ୟ ସରକାର ଯେଉଁ ଲମ୍ବା ହୁକୁମନାମା ଜାରି କରିଛନ୍ତି, ତାକୁ ପଢିବା ପରେ ବଜାର ସ୍ଵାଭାବିକ ହେବ ବୋଲି ଭାବିବାର କୌଣସି କାରଣ ନାହିଁ। ପୋଲିସର ଜରିମାନା ଓ ନାଲି ଆଖି ଆଗରେ କୌଣସି ବଜାର କେବେ ବି ସ୍ଵାଭାବିକ ଚାଲିପାରିବ ନାହିଁ। ସରକାର କହୁଛନ୍ତି, ଜୀବନ ଓ ଜୀବିକାକୁ ସ୍ଵାଭାବିକ କରିବାର ଲକ୍ଷ୍ୟ ନେଇ ଲକ ଡାଉନ ଉଠାଯାଇଛି। ହେଲେ ସରକାରୀ ନିର୍ଦ୍ଦେଶନାମାରେ ସବୁଠି ଭୟ ଦେଖାଇବାର ପ୍ରଚ୍ଛନ୍ନ ଉଦ୍ଦେଶ୍ୟ ବାରି ହୋଇପଡୁଛି। ଲୋକଙ୍କୁ କୋଭିଡ ନିୟମ ମନାଇବାକୁ ଏହା ଏକମାତ୍ର ଉପାୟ ବୋଲି ସରକାରୀ ବାବୁମାନେ କହୁଛନ୍ତି। କୌଣସି ବି ନିୟମ ମନାଇବାକୁ ଯଦି ଦଣ୍ଡବିଧାନ ସବୁଠୁ ବଡ ଲକ୍ଷ୍ୟ ପାଲଟିଯାଏ, ସେଠାରେ ନିୟମକୁ ଲୋକେ ଭୟ କରନ୍ତି, ହେଲେ ତାର ସଠିକ ଅନୁପାଳନ ହୁଏନାହିଁ। କରୋନାକୁ ନେଇ ସରକାର ଓ ପୋଲିସ ଯେଉଁ ପ୍ରକାର ଭୟର ବାତାବରଣ ତିଆରି କରିଛନ୍ତି, ସେଥିରେ ସଂକ୍ରମଣ କମିବ ନାହିଁ କି ଅର୍ଥନୀତି ତାର ଗତିପଥକୁ ସହଜ ଭାବରେ ଫେରି ପାରିବ ନାହିଁ। ଅର୍ଥାତ ଜୀବନ ଓ ଜୀବିକା ସେମିତି ଆଗପରି ବିପନ୍ନ ଅବସ୍ଥାରେ ରହିବ। ଅର୍ଥନୀତିକୁ ସୁଧାରିବାକୁ ବଜାରରେ ସ୍ଵାଭାବିକ ଅବସ୍ଥା ଫେରିବା ଜରୁରୀ। ହେଲେ ସରକାର ଏହା ବିଲକୁଲ ଚାହୁଁ ନାହାନ୍ତି। କରୋନା ଲାଗି “ଡରନା ଜରୁରୀ ହୈ” ବୋଲି ଏକ ଧାରଣା ଆମ ପ୍ରଶାସନର ରହିଛି। ତେବେ ଏଇ ଡର ଯଦି ଅର୍ଥନୀତିକୁ ବିକଳାଙ୍ଗ କରି ପକାଏ ତା ହେଲେ, ତାର ପ୍ରଭାବ ଅତ୍ୟନ୍ତ ମାରାତ୍ମକ ହେବ।
ସରକାର ତିଆରି କରିଥିବା ଭୟ ଲୋକଙ୍କ ମନରେ କରୋନା ଭୟ ଠୁ ବଳି ଯାଉଛି। ପୋଲିସ ଗାଡିକୁ ଦେଖି ଦୋକାନୀଙ୍କ ଭିତରେ ଏ ପ୍ରକାର ଅସ୍ଵାଭାବିକ ଭୟ ଆମେ କେବେ ଦେଖି ନଥିଲୁ। ଏବେ ପ୍ରତି ନିରୀହ ଲୋକକୁ ପୋଲିସ ଦଣ୍ଡିତ କରି ପାରିବ। ଜଳଖିଆ ଦୋକାନୀ ଯଦି କାହାକୁ ଖାଇବାକୁ ଦେଲା, ତାକୁ ଜରିମାନା ଗଣିବାକୁ ପଡୁଛି। ଧରନ୍ତୁ, ଜଣେ ଲୋକ ବାହାରୁ ସହରକୁ ଆସିଛି। ସେ ଖାଇବ କେଉଁଠି? ଖାଇବା ଲାଗି ଏବେ ହଜାର କଟକଣା। ପାଞ୍ଚ ହଜାର ଟଙ୍କାର ତଣ୍ଡ ଗଣିଲେ, ଉଠା ଦୋକାନୀ ବଞ୍ଚିବ ତ!! ଏବେ କୋଭିଡ ନିୟମ ପରିପାଳନ ଲାଗି ସବୁ ଦୋଷ ବ୍ୟବସାୟୀଙ୍କ ମୁଣ୍ଡରେ ଲଦି ଦିଆଯାଇଛି। ଯଦି ଗରାଖ ମୁଖା ବ୍ୟବହାର କରୁନି କି ୬ ଫୁଟ ଦୂରତାରେ ଠିଆ ହେଉନି, ତା ହେଲେ ସେଥିଲାଗି ଦୋକାନ ମାଲିକକୁ ଜରିମାନା ଦେବାକୁ ପଡିବ। ସରକାରୀ ବାବୁ ଚାହିଁଲେ ଦୋକାନକୁ ସପ୍ତାହେ କି ମାସେ ସିଲ କରିଦେବେ। ଏ ପ୍ରକାର ନିୟମ କରିବା ଆଗରୁ ସରକାର ଆମ ଦୋକାନ ଗୁଡିକର ବାସ୍ତବତା କେବେ ପରଖିଛନ୍ତି କି? ଗୋଟେ ସାଧାରଣ ଦୋକାନୀ ପାଖରେ ୨୫/୨୫ ର ଜାଗା ଥାଏ। ସେଥିରେ କେତେ ଗରାଖଙ୍କୁ ସାମିଲ କରିହେବ?
ନିୟମ କରିବା ସହଜ, ହେଲେ ନିୟମ କରିବା ଆଗରୁ ତାର ବାସ୍ତବତା ବୁଝିବା ଜରୁରୀ। ଜକାଜକି ତିଆରି ହୋଇଥିବା ଆମ ବଜାରରେ ସାମାଜିକ ଦୂରତା ରକ୍ଷା ଲାଗି କେତେ ସୁଯୋଗ ରହିଛି? ଲୋକସଂଖ୍ୟା ତୁଳନାରେ ଆମ ବଜାରର ଜାଗା କେତେ? ଆମ ବଜାରର ଅବସ୍ଥା ଯାହା ସେଥିରେ ଦଶ ଜଣ ଲୋକ ଠିଆ ହେଲେ, ଗହଳି ବଢିଯାଏ। ଗହଳି ବଢିଗଲେ ଆମ ସରକାରଙ୍କର ରକ୍ତଚାପ ଏବେ ବଢିଯାଉଛି। ସରକାରଙ୍କ ରକ୍ତଚାପ ବଢିବା ସ୍ଵାଭାବିକ। କରୋନା ସଂକ୍ରମଣ ଏତେ ତୀବ୍ର ଯେ ଗହଳି ହେଲେ ଭୂତାଣୁ ସଂକ୍ରମଣ ଅସମ୍ଭବ ଭାବେ ବଢିବ। ହେଲେ ସଂକ୍ରମଣ ବଢିବ ବୋଲି ଅନନ୍ତ କାଳ ପର୍ୟନ୍ତ ଲୋକଙ୍କୁ ବାଡି ଧରି ଆପଣ ଶାସନ କରୁଥିବେ କି? ମହାମାରୀ ସମୟରେ ବଜାର ପରିଚାଳନା ଲାଗି ପୋଲିସର ଲାଠି ଓ ଜରିମାନା ତୁଳନାରେ ନୂଆ ଚିନ୍ତାର ଆବଶ୍ୟକତା ରହିଛି।
ଓଡିଶା ସରକାର କେନ୍ଦ୍ର ସରକାରଙ୍କର “ଅନଲକ” ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ବି ଓଡିଶାରେ ସାପ୍ତାହିକ ଶଟ ଡାଉନ, ରାତ୍ରୀ କାଳୀନ କର୍ଫ୍ଯୁ ଓ ସ୍ଥାନୀୟ ଲକ ଡାଉନ ବଳ ବତ୍ତର ରହିଛି। ତା ସତ୍ତ୍ୱେ ସଂକ୍ରମଣ ଅଟକାଇବାରେ ଆମେ ସମର୍ଥ ହୋଇନାହୁଁ। ଏହାର ବିପରୀତରେ ଦିଲ୍ଲୀ ସରକାର “ଅନଲକ” ନିୟମକୁ ପାଳନ କରି ସଂକ୍ରମଣ କମାଇବାରେ ସମର୍ଥ ହୋଇଛନ୍ତି। ଯାହା ଦିଲ୍ଲୀରେ ହେଲା ତାହା ଓଡିଶାରେ ସମ୍ଭବ ହେଉନି କାହିଁକି? ମହାମାରୀ ସମୟର ଅର୍ଥନୀତିକୁ ବଞ୍ଚାଇବାକୁ ହେଲେ ସାହସ ଓ ନୂଆ ଚିନ୍ତାର ଆବଶ୍ୟକତା ରହିଛି। ଓଡିଶା ସରକାର “ଲକ ଡାଉନ” ଓ “ଶଟ ଡାଉନ” ର ଭୟ ଉଦ୍ରେକକାରୀ ବ୍ୟବସ୍ଥା ବଦଳରେ ୨୪ ଘଣ୍ଟିଆ ବଜାର ବ୍ୟବସ୍ଥା ଲାଗୁ କରନ୍ତୁ। ଦିନ ରାତି ବଜାର ଖୋଲା ରହୁ। ଆପେ ଆପେ ଗହଳି କମିଯିବ। ବଜାରରେ ଯେତେ ଅଧିକ କଟକଣା ଓ ଭୟ ରହିବ, ଲୋକଙ୍କ ମନରେ ସେତେ ବେଶୀ ଅସୁରକ୍ଷାର ଭାବନା ବଢିବ। ଲୋକେ ଶୁକ୍ରବାର ଦିନ ବଜାରରେ ଅଧିକ ଗହଳି କରିବେ, କାରଣ ଆପଣ ସାପ୍ତାହିକ ବଜାର ବନ୍ଦ କରୁଛନ୍ତି। ଗତ ତିନି ମାସ ହେଲାଣି ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ଯୁ ବ୍ୟବସ୍ଥା ବଳବତ୍ତର ରଖିବାର କାରଣ କଣ? ଏହାର କି ଆବଶ୍ୟକତା ଅଛି?
ଆଜିର ସ୍ଥିତିରେ ସରକାରଙ୍କ ପାଖରେ ଦୁଇଟି ବାଟ ଅଛି। ପ୍ରଥମ-ସରକାର ସଂକ୍ରମଣ ବନ୍ଦ ହେବା ପର୍ୟନ୍ତ ରାଜ୍ୟକୁ ପୂରା ତାଲା ପକାଇ ରଖନ୍ତୁ। ଲୋକଙ୍କ ଜୀବନ ଓ ଜୀବିକାର ଦାୟିତ୍ଵ ନିଅନ୍ତୁ।ଲୋକଙ୍କୁ ତାଙ୍କର ସବୁ ଆବଶ୍ୟକତା ଘରେ ଯୋଗାଇଦେବାର ଦାୟିତ୍ଵ ନିଅନ୍ତୁ। (ଏହା ସରକାରଙ୍କ ପକ୍ଷେ କଦାପି ସମ୍ଭବ ନୁହେଁ) ଦ୍ଵିତୀୟ- ବଜାରକୁ ମୁକ୍ତ କରନ୍ତୁ ଓ ଲୋକଙ୍କୁ ନିଜର ସ୍ୱାସ୍ଥ୍ୟ କଥା ବୁଝିବା ଲାଗି ସୁଯୋଗ ଦିଅନ୍ତୁ। ବଜାରକୁ ୨୪ ଘଣ୍ଟା ଖୋଲା ରଖିବାର ସୁଯୋଗ ଦିଅନ୍ତୁ। ଲୋକଙ୍କ ଉପରେ ଭରସା ରଖନ୍ତୁ।
କିଛି ଗୋଟାଏ ବାସ୍ତବ ନିଷ୍ପତ୍ତି ନ ନେଇ, ପୋଲିସ ଲାଠି ଓ ଜରିମାନା ରଶିଦ ଦେଖାଇ ଅର୍ଥନୀତିକୁ ସ୍ଵାଭାବିକ କରିବା କେବେ ବି ସମ୍ଭବ ନୁହେଁ।