କମଲା ହାରିସ ଯଦି ଭାରତରେ ନିର୍ବାଚନ ଲଢିବାକୁ ଚାହିଁଥାନ୍ତେ!!

Published: Aug 27, 2020, 4:15 pm IST

ରଙ୍ଗାଚରଣ ପ୍ରଧାନ

ଇଣ୍ଡିଆନ୍ ଏକ୍ସପ୍ରେସରେ ନିରୁପମା ସୁବ୍ରମନିଆନ୍ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଆମେରିକାରେ ଆସନ୍ନ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କମଳା ହ୍ୟାରିସ୍ ନାମକ ଜଣେ ମହିଳାଙ୍କର ଉପରାଷ୍ଟ୍ରପତି ପଦ ପାଇଁ ମନୋନୟନକୁ ନେଇ ସେ ଏହି ଲେଖା ଲେଖିଛନ୍ତି । ସେ ପଚାରିଛନ୍ତି ଭାରତ ହୋଇଥିଲେ କମଲା ହ୍ୟାରିସ୍ ଙ୍କ ଭଳି ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ଦ୍ବିତୀୟ ଉଚ୍ଚ କ୍ଷମତାଶାଳୀ ପଦବୀ ପାଇଁ ମନୋନୀତ ପାରିଥାନ୍ତେ କି ?

କମଳାଙ୍କ ମା’ ମୂଳତଃ ଜଣେ ତାମିଲ ମହିଳା । ତାଙ୍କ ଆମେରିକା ରହଣି କାଳରେ ସେ ଜଣେ ଅଶ୍ବେତ ଲୋକଙ୍କୁ ବିବାହ କରିଥିଲେ । କମଳାଙ୍କ ବାପା ବି ମୂଳତଃ ଜଣେ ଆମେରିକୀୟ ନୁହନ୍ତି । ତାଙ୍କ ଘର ଜାମାଇକାରେ । ମାତ୍ର ଏଭଳି ଦମ୍ପତିଙ୍କ କନ୍ୟା ଆମେରିକାରେ ନିର୍ବାଚନ ପୂର୍ବରୁ ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟ ଦଳ ପକ୍ଷରୁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ମନୋନୟନକୁ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଦେନଙ୍କ ପ୍ରାର୍ଥୀତ୍ବ ସହ ଯୋଡ଼ି ହୋଇ ଦେଖାଯିବ । କମଳା ହ୍ୟାରିସଙ୍କ ଦଳ ଜିତିଲେ କିମ୍ବା ସେ ନିଜେ ଉପରାଷ୍ଟ୍ରପତି ହେଲେ ଭାରତ ପାଇଁ ଯେ ଭଲ ହେବ କିମ୍ବା ସେମାନେ ଜିତିବାର ଯେ ଅଧିକ ସମ୍ଭାବନା ଅଛି ସେ ବିଷୟରେ ମୁଁ ଏଠାରେ ଲେଖୁନାହିଁ । ଅବଶ୍ୟ ଯେବେଠୁ କମଳାଙ୍କୁ ଆମେରିକାର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀରୁପେ ଘୋଷଣା କରାଗଲାଣି, ଭାରତରେ ଅନେକଙ୍କ ଖୁସି କହିଲେ ନ ସରେ। ଯେତେ ହେଲେ ଭାରତର ଝିଅ । ତାମିଲ ଝିଅ । ବିଶେଷକରି ତାମିଲନାଡୁରେ ବର୍ତ୍ତମାନ ଏ ନେଇ ଅନେକ ଉତ୍କଣ୍ଠା ପ୍ରକାଶ ପାଉଛି ।

ତାଙ୍କର ଅଶ୍ବେତ ରଙ୍ଗ ଓ ଅଣ-ଆମେରିକୀୟ ମୂଳ ତାଙ୍କ ଦଳ ପାଇଁ ତାଙ୍କୁ ପ୍ରାର୍ଥୀ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁନାହିଁ ।
କିନ୍ତୁ ଭାରତରେ ଯଦି କମଳାଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ କୈାଣସି ଦଳ ଗୋଟିଏ ଉଚ୍ଚ ପଦବୀ ପାଇଁ ପ୍ରାର୍ଥୀ କରେ ତାହାକୁ ବର୍ତ୍ତମାନର ଭାରତୀୟମାନେ ଓ ଏପରିକି ତାମିଲମାନେ ଗର୍ବର ସହ ଦେଖିବେ କି ? ଭାରତର ଏକବିଂଶ ଶତାବ୍ଦୀର ଗଣତନ୍ତ୍ର କମଳାଙ୍କ ଭଳି ଜଣେ ବ୍ୟକ୍ତି ଏକ ଉଚ୍ଚ ପଦବୀ ପାଇଁ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସମ୍ଭାବନା ସୃଷ୍ଟି କରିପାରିବ କି ?

ଆମେରିକାରେ ଶ୍ବେତ ଓ ଅଶ୍ବେତଙ୍କ ମଧ୍ୟରେ ରକ୍ତାକ୍ତ ବିବାଦର ଦୀର୍ଘ ଇତିହାସ ରହିଛି । ତାହା ଆଜି ବି ରହିଛି । କିଛି ମାସ ପୂର୍ବେ ଜର୍ଜ ଫ୍ଲଏଡ୍ ନାମକ ଜଣେ ଅଶ୍ବେତକୁ ଜଣେ ପୋଲିସ ହତ୍ୟା କରିବା ପରେ ସାରା ଆମେରିକାରେ ‘ବ୍ଲାକ୍ ଲିଭସ୍ ମ୍ୟାଟରସ୍’ ନାଁରେ ଏକ ଜନ ଆନ୍ଦୋଳନ ହୋଇଥିଲା । ଏବେ ବି ସେଠାରେ ଅନେକ ଶ୍ବେତ ଓ ଅଶ୍ବେତଙ୍କ ମଧ୍ୟରେ ପରସ୍ପର ପ୍ରତି ଘୃଣା ରହିଛି । ଏହି ପ୍ରକାର ସାମାଜିକ ବିଦ୍ବେଷପୁର୍ଣ ବାତାବରଣ ମଧ୍ୟରେ ଓ କମଳା ଜଣେ ତାମିଲ୍ ବ୍ରାହ୍ମଣ ବଂଶଜ ହୋଇଥିବା ସତ୍ତ୍ଵେ ସେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇ ପାରୁଛନ୍ତି । ବାରାକ୍ ଓବାମାଙ୍କ ଭଳି ଜଣେ ଅଶ୍ବେତ ସାଧାରଣ ନିର୍ବାଚନରେ ଜିତି ଦେଶର ରାଷ୍ଟ୍ରପତି ମଧ୍ୟ ହୋଇ ପାରୁଛନ୍ତି ।

ଏହାର କାରଣ ହେଉଛି ସେ ଦେଶରେ ଗଣତାନ୍ତ୍ରିକ ସହଜାତ ପ୍ରବୃତ୍ତିର ଗଭୀରତା ଅନେକ ବେଶି । ଫ୍ଲଏଡଙ୍କ ହତ୍ୟା ପରେ, ବିଶେଷକରି ରାଷ୍ଟ୍ରପତି ଟ୍ରମ୍ପଙ୍କ ଶ୍ଵେତ ସପକ୍ଷବାଦୀ ଅପ୍ରଛନ୍ନ ରାଜନୀତି ସତ୍ତ୍ୱେ, ସେ ଦେଶର ଗଣତାନ୍ତ୍ରିକ ଅନୁଷ୍ଠାନ, ଗଣମାଧ୍ୟମ ଓ ଅଣରାଜନୈତିକ ସଂଗଠନମାନେ ଏହାର ପ୍ରବଳ ବିରୋଧ କରିଛନ୍ତି । ଜଣେ ପୋଲିସ ଉଚ୍ଚଅଧିକାରୀ ଆନ୍ଦୋଳନକାରୀଙ୍କ ସମ୍ମୁଖରେ ଆଣ୍ଠୋଇ ପଡ଼ି ଏଥିପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।

ଆମେରିକାରେ ଅଶ୍ବେତମାନେ ହେଉଛନ୍ତି ସଂଖ୍ୟାଲଘୁ । ଆମେରିକାର ଜନସଂଖ୍ୟାରେ ସେମାନଙ୍କ ପ୍ରତିଶତ ହେଉଛି ୧୩.୫ % । ଏବେ ସେଠାରେ ଅଶ୍ବେତ ଜନପ୍ରତିନିଧିଙ୍କ ସଂଖ୍ୟା ୧୨ % । ୧୯୬୫ ମସିହାଠାରୁ ଏପର୍ଯ୍ୟନ୍ତ ଏହି ପ୍ରତିଶତ ହେଉଛି ସର୍ବାଧିକ । ଅଶ୍ବେତମାନଙ୍କର ସେଠିକାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରତିନିଧିତ୍ଵ ଉଣା ଅଧିକେ ମୋଟ ଲୋକସଂଖ୍ୟାରେ ସେମାନଙ୍କ ପ୍ରତିଶତକୁ ପ୍ରତିଫଳିତ କରୁଛି ।

କମଳାଙ୍କ ଭଳି ଜଣେ ଭାରତୀୟ ବଂଶୋଦ୍ଭବଙ୍କ ପ୍ରାର୍ଥୀତ୍ବକୁ ନେଇ ଅନେକ ଲୋକ ଖୁସି ହେଉଥିବା ଦେଶ ଭାରତରେ ମୁସଲମାନ ହେଉଛନ୍ତି ସର୍ବବୃହତ ସଂଖ୍ୟାଲଘୁ ସମ୍ପ୍ରଦାୟ । ସେମାନେ ଜନସଂଖ୍ୟାର ପ୍ରାୟ ୧୫ % ଯାହାକି ଆମେରିକା ଜନସଂଖ୍ୟାରେ କଳା ଲୋକଙ୍କ ପ୍ରତିଶତର ପାଖାପାଖି । ୧୯୮୦ ମସିହାରେ ଭାରତର ଲୋକସଭାରେ ସର୍ବାଧିକ ୪୯ ଜଣ ମୁସଲମାନ ପ୍ରତିନିଧି ଥିଲେ । ୨୦୧୯ରେ ୨୭ ଜଣ ମୁସଲମାନ ପ୍ରତିନିଧି ନିର୍ବାଚିତ ହୋଇଛନ୍ତି ଯାହା କି ମୋଟ ପ୍ରତିନିଧି ସଂଖ୍ୟାର ୪.୯୭ % । ଶାସକ ବିଜେପି ୬ ଜଣ ମୁସଲମାନ ପ୍ରାର୍ଥୀ ଛିଡ଼ା କରିଥିଲା ଏବଂ ସେମାନେ ସମସ୍ତେ ହାରିଥିଲେ । ଆଜି ଦିନରେ ୨୪୨ ସଭ୍ୟ ସଂଖ୍ୟା ବିଶିଷ୍ଟ ରାଜ୍ୟସଭାରେ ୧୬ ଜଣ ବା ୬.୬ % ମୁସଲମାନ ଅଛନ୍ତି । ଭାରତୀୟ ରାଜନୀତିରେ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ଵ ପାଇଁ ସ୍ଥାନ ସଙ୍କୁଚିତ ହୋଇ ଚାଲିଥିବା ବେଳେ ଆମେରିକାରେ ଜଣେ ସଂଖ୍ୟାଲଘୁ ଅଶ୍ବେତ ଓ ବିଦେଶୀ ମୁଳ ନିବାସୀଙ୍କ ଉଚ୍ଚ ପଦବୀ ପାଇଁ ପ୍ରାର୍ଥୀତ୍ବକୁ ନେଇ ଉଲ୍ଲସିତ ହେବା ଏକ ଦୋହରି ମାନସିକତାକୁ ଉଜାଗର କରୁନାହିଁ କି ?

କେହି ହୁଏତ କହିପାରନ୍ତି ଯେ ଭାରତରେ ଧର୍ମୀୟ ସାମ୍ପ୍ରଦାୟିକ ସଂଖ୍ୟାଲଘୁତା ଓ ଆମେରିକାର ରଙ୍ଗଭେଦ ଆଧାରିତ ସଂଖ୍ୟାଲଘୁତା ଦୁଇଟି ଅଲଗା କଥା । ମାତ୍ର ଏପରି ଯୁକ୍ତିକୁ ଗ୍ରହଣ ନ କରିବା ପାଇଁ ଅନେକ କାରଣ ଅଛି । ଭାରତରେ ବହୁ ଦିନରୁ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଅନେକ ଦଙ୍ଗା ହୋଇ ଆସିଛି । ଭାରତରେ ହିନ୍ଦୁ ମୁସଲମାନ ସମ୍ପର୍କରେ ରହିଥିବା ତିକ୍ତତା ଭଳି ଆମେରିକାରେ ରହିଥିବା ଶ୍ବେତ-ଅଶ୍ବେତ ମଧ୍ୟରେ ରହିଥିବା ବିଦ୍ବେଷ ମୁଳକ ସମ୍ପର୍କକୁ ମଧ୍ୟ ଅସ୍ବୀକାର କରି ହେବନାହିଁ। ଉଭୟ ଦେଶରେ ଏହି ତିକ୍ତତା ମୂଳରେ ରହିଛି ଅସହିଷ୍ଣୁତା । ଏହି ଅସହିଷ୍ଣୁତା ଉଭୟ ଦେଶରେ ହିଂସା ସୃଷ୍ଟି କରିଛି ।

ପଚାଶ ଦଶକରେ ଆମେରିକାରେ ସିଭିଲ୍ ରାଇଟସ୍ ଆନ୍ଦୋଳନ ହୋଇଥିଲା । ସେଥିରେ କମଳାଙ୍କ ବାପା ଓ ମାଆ ଭାଗ ନେଇଥିଲେ । ସେଥିପାଇଁ ଆମେରିକା ସରକାର ସେମାନଙ୍କୁ ଯଥାକ୍ରମେ ଜାମାଇକା ଓ ଭାରତ ଫେରି ଯିବାକୁ କହି ନଥିଲେ। ଆମ ଦେଶରେ କିନ୍ତୁ ଗତ ବର୍ଷ ଚେନ୍ନାଇ ଆଇଆଇଟି ରେ ପଢୁଥିବା ଜଣେ ଜର୍ମାନ ଯୁବକକୁ ନିଜ ଦେଶକୁ ଫେରିଯିବାକୁ ବାଧ୍ୟ କରା ଯାଇଥିଲା । କାରଣ ସେ ସିଏଏ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲା ।

ଆମେରିକାରେ ଭାରତୀୟ ଓ ଅଶ୍ବେତ ଆମେରିକୀୟଙ୍କ ମଧ୍ୟରେ ବିବାହ ଘଟଣା ବିରଳ ଅଟେ । କାରଣ ଭାରତୀୟମାନେ ଏହାକୁ ପସନ୍ଦ କରନ୍ତି ନାହିଁ । କେବଳ ଆମେରିକା କାହିଁକି, ଭାରତରେ ମଧ୍ୟ ଚର୍ମର ରଙ୍ଗ ବୈବାହିକ ପସନ୍ଦ ଅପସନ୍ଦରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥାଏ । ଜଣେ ଦଳିତ କିମ୍ବା ମୁସଲମାନକୁ ବିବାହ କରିବାର ଘଟଣା ବେଳେବେଳେ ଦଙ୍ଗା ଭଳି ସ୍ଥିତି ସୃଷ୍ଟି କରିଥାଏ ।

ଆମେରିକାର ବିପରୀତ, ଭାରତର ଗଣତାନ୍ତ୍ରିକ ଦୃଶ୍ୟପଟ୍ଟକୁ ଏହି ତିକ୍ତତା ଅଧିକରୁ ଅଧିକ ପ୍ରଭାବିତ କରିବାରେ ଲାଗିଛି । ସାମ୍ପ୍ରଦାୟିକ ଧର୍ମାନ୍ଧତା ଖୋଲାଖୋଲି ପ୍ରକାଶ କରିବାରେ ନେତାମାନେ ଆଉ ଲଜ୍ଜାବୋଧ କରୁ ନାହାନ୍ତି । ଆମେ ଓ ଅନ୍ୟ – ଏହି ଭାବନାକୁ ଏବେ ଖୋଲାଖୋଲି ହାଓ୍ବା ଦିଆ ଯାଉଛି । ଏହି ‘ଅନ୍ୟ’ ମାନଙ୍କୁ ପରାଭୁତ କରିବା ପାଇଁ , ସେମାନଙ୍କ ପରାମର୍ଶ ନ ନେଇ ଜାମ୍ମୁକାଶ୍ମୀରର ସାମ୍ବିଧାନିକ ଢାଞ୍ଚା ବଦଳା ଯାଇଛି । ଧାରା ୩୭୦ରେ ଆଗରୁ ଅନେକ ଥର ସଂଶୋଧନ ହୋଇଥିଲା ଏବଂ ଧୀରେ ଧୀରେ ଏହାକୁ ନାମମାତ୍ର ଅବସ୍ଥାକୁ ଆଗରୁ ଅଣାଯାଇ ସାରିଥିଲା । ମାତ୍ର ଗତଥର ଏହା କରିବାବେଳେ ଏହାକୁ ‘କାଶ୍ମୀର ବନାମ ଅବଶିଷ୍ଟ ଭାରତ’ର ରୁପ ଦିଆ ଯାଇଥିଲା ଓ ଏହା ସଙ୍ଗେ ସଙ୍ଗେ ଜାମ୍ମୁକାଶ୍ମୀରକୁ ଖଣ୍ଡ ଖଣ୍ଡ କରି ବର୍ଷାଧିକ କାଳ ଇଣ୍ଟରନେଟ ସେବା ଏବଂ ମୈ।ଳିକ ସେବା ଯୋଗାଣରୁ ବଞ୍ଚିତ ରଖା ଯାଇଛି । କାରଣ ସେମାନେ ହେଉଛନ୍ତି ‘ଅନ୍ୟ’ । ଆମେରିକାରେ କମଳା ମଧ୍ୟ ଏପରି ଏକ ‘ଅନ୍ୟ’ ମଧ୍ୟରୁ ଠିଆ ହୋଇଛନ୍ତି । କମଳା ଜଣେ ଅଶ୍ବେତ । ଗତ କିଛି ଦିନ ପୂର୍ବ ପର୍ଯ୍ୟନ୍ତ ଖୁବ୍ କମ୍ ଆମେରିକା ବାସୀ ଜାଣିଥିଲେ ଯେ ସେ ହେଉଛନ୍ତି ଭାରତୀୟ ବଂଶଜ । ଏକଥା ମଧ୍ୟ ନୂହେଁ ଯେ ଭୋଟ ମାଗିବା ବେଳେ ଶ୍ବେତଙ୍କ ସାମ୍ଭାବ୍ୟ କ୍ରୋଧକୁ ଭୟ କରି କମଳା ତାଙ୍କର ତାମିଲ-ବ୍ରାହ୍ମଣ ପରିଚୟକୁ ଲୁଚାଉଛନ୍ତି ।

ଆମେରିକାରେ ଜର୍ଜ ଫ୍ଲଏଡଙ୍କୁ ହତ୍ୟା ପରେ ଏହାର ତୀବ୍ର ବିରୋଧ ହୋଇଥିଲା । ଜଣେ ଅଶ୍ବେତକୁ ଏପରି ଭାବରେ ପୋଲିସ ଦ୍ବାରା ହତ୍ୟା କରାଯିବାକୁ ସେଠିକାର ସମାଜ ପସନ୍ଦ କରିନାହିଁ । ଆମେରିକାର ଗଣତାନ୍ତ୍ରିକ ବାତାବରଣରେ ଜଣେ ପୋଲିସ ଦ୍ବାରା ଏପରି ବର୍ବରତା ଅଗ୍ରାହ୍ୟ ହୋଇଛି । ସେଠିକାର ଖୋଲା ସମାଜରେ ବ୍ୟକ୍ତି-ଅଧିକାର ହେଉଛି ସଂସ୍ଥାଗତ ଗଣତନ୍ତ୍ରର ମୂଳ ପିଣ୍ଡ । ଆମ ଭାରତର ତେଲେଙ୍ଗାନାରେ ଜଣେ ସଂଦିଗ୍ଧ ଧର୍ଷଣକାରୀକୁ ଯେତେବେଳେ ପୋଲିସ ଏନକାଉଣ୍ଟର କଲା ସେହି ପୋଲିସକର୍ମିଙ୍କ ଉପରେ ପୁଷ୍ପ ବର୍ଷା ହୋଇଥିଲା । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଏନକାଉଣ୍ଟରକୁ ସମର୍ଥନ କରି କୁହନ୍ତି ‘ଯୋ ଅପରାଧ କରେଗା ଉସକୋ ଠୋକ୍ ଦେଙ୍ଗେ’ । ଗତମାସରେ ଅପରାଧୀ ବିକାଶ ଦୁବେର ଏନକାଉଣ୍ଟରକୁ ଅନେକ ଲୋକ ସମର୍ଥନ କରିଥିଲେ । ଏପରିକି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିୟମକାନୁନକୁ ତାଚ୍ଛଲ୍ୟ କରି ଡାଏଲଗ ମାରୁଥିବା ଏନକାଉଣ୍ଟର ସ୍ପେସିଆଲିଷ୍ଟକୁ ନାୟକ ଭାବେ ଉପସ୍ଥାପନ କରା ଯାଉଛି । ଆମେରିକାରେ ତମାମ ଗୋଷ୍ଠୀଗତ ବିଦ୍ୱେଷ ସତ୍ତ୍ୱେ ସେଠିକାର ଲୋକଙ୍କ ପାଇଁ ସାମ୍ବିଧାନିକ ବିଧିବିଧାନ ଓ ଆଇନର ଶାସନ ସର୍ବୋପରି ।

ଗତ ଦିନରେ କମଳା ନିଜର ପ୍ରାର୍ଥୀତ୍ବ ଘୋଷଣା ପରେ କହିଥିଲେ ” …ଆମ ଦେଶରେ ସମସ୍ତେ ସମାନ, ଆମେ ଯିଏ ଯେମିତି ଦେଖାଯାଉ ନା କାହିଁକି ଓ ଯିଏ ଯେଉଁଠାରୁ ଆସିଥାଉ ନା କାହିଁକି, ଆମ ଦେଶରେ ଆମେ ସମସ୍ତେ ସମାନ … ଆମେ ସବୁ ଟିକିନିଖି କଥାରେ ସହମତ ନ ହୋଇପାରୁ, କିନ୍ତୁ ଆମେ ଗୋଟିଏ ମୂଳ ବିଶ୍ବାସ ଯୋଗୁଁ ଏକତାବଦ୍ଧ ଯେ, ପ୍ରତ୍ୟେକ ବ୍ୟକ୍ତି ଆମ ପାଇଁ ଅସରନ୍ତି ମୂଲ୍ୟବାନ ଓ ପ୍ରତ୍ୟେକ ବ୍ୟକ୍ତି ଅସରନ୍ତି ସମ୍ମାନ ପାଇଁ ହକଦାର ।”
ସେ ସମସ୍ତଙ୍କ ପାଇଁ ସମାନତା, ସ୍ବାଧୀନତା ଓ ନ୍ୟାୟର ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି ଯେ ତାଙ୍କ ମା’ ଶ୍ୟାମଳା ଗୋପାଳନ୍ ତାଙ୍କୁ ସବୁ ପ୍ରକାର ଲୋକଙ୍କ ସଂଘର୍ଷ ପ୍ରତି ସଚେତନ ଓ ସମ୍ମାନଜନକ ହେବା ପାଇଁ ଶିଖାଇଛନ୍ତି ।

କିଏ ଜାଣେ, ସେ ଏକଥା କହିବା ବେଳେ କାଳେ ହୁଏତ ତାଙ୍କ ମନରେ ତାଙ୍କ ବଂଶଜ ଦେଶ ଭାରତର ଚିତ୍ର ଭାସି ଆସିଥିବ । ଆମ୍ଭମାନଙ୍କ ମଧ୍ୟରୁ ଅନେକ କମଳାଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁତ ଖୁସି । କାଳେ ସେ ଆମେରିକାର ଉପରାଷ୍ଟ୍ରପତି ହେଲେ ଏଚ୍୧ବି ଭିସା ନିୟମ ଉଠିଯିବ, କାଳେ ଆମେରିକା ଓ ଭାରତ ଭିତରେ ବାଣିଜ୍ୟ ବୃଦ୍ଧି ପାଇବ ଓ କାଳେ ଦୁଇ ଦେଶର ସମ୍ପର୍କରେ ଉନ୍ନତି ଆସିବ ।

କିନ୍ତୁ ଆମ ଗଣତନ୍ତ୍ର ଗୋଟିଏ କମଳା ହ୍ୟାରିସ୍ ସୃଷ୍ଟି କରିପାରିବ କି ?

Related posts