କେଦାର ମିଶ୍ର
ଆଉ ଦିନେ କି ଦୁଇ ଦିନରେ ଭାରତରେ କରୋନା ଜନିତ ମୃତ୍ୟୁ ୭୦ ହଜାରରେ ପହଞ୍ଚିବ। ସତୁରୀ ହଜାର- ଇଏ କେବଳ ଏକ ସଂଖ୍ୟା। ସରକାରୀ ଖାତାରେ ଏମାନେ କେବଳ ଗୋଟେ ଗୋଟେ ସଂଖ୍ୟା ବାଚକ। ଗୋଟେ ମହାମାରୀ ୭୦ ହଜାର ପରିବାରକୁ ତଳି ତଳାନ୍ତ କରି ଦେଇଛି। ତେବେ ୭୦ ହଜାର ଚୂଡାନ୍ତ ସଂଖ୍ୟା ନୁହେଁ। ସରକାର କହୁଛନ୍ତି, ଆମର ମୃତ୍ୟୁ ହାର କମ। ଗତକାଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଲେ ପ୍ରତି ଦଶ ଲକ୍ଷ ଲୋକରେ ଆମର ମୃତ୍ୟୁ ସଂଖ୍ୟା ୪୯, ଯାହାକି ପୃଥିବୀରେ ସବୁଠୁ କମ। ସରକାରୀ ତଥ୍ୟ ରଖିଲା ବେଳେ ଆମର ବରିଷ୍ଠ ଅଧିକାରୀମାନେ ଏତେ ଦାୟିତ୍ଵହୀନ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କେମିତି? ଆମର କରୋନା ଜନିତ ମୃତ୍ୟୁ ସଂଖ୍ୟା ପୃଥିବୀର ସବୁଦେଶ ତୁଳନାରେ ସବୁଠୁ ସତରେ କମ କି? ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ, ଜନ ହପକିନ୍ସ ବିଶ୍ଵ ବିଦ୍ୟାଳୟ ଏବଂ ୱାର୍ଲ୍ଡ ମିଟର ର ତଥ୍ୟ ଅନୁଯାୟୀ ଭାରତର ମୃତ୍ୟୁ ସଂଖ୍ୟା ପୃଥିବୀର ସବୁଠୁ କମ ଆଦୌ ନୁହେଁ। ଭାରତରେ ପ୍ରତି ଦଶ ଲକ୍ଷ ଲୋକରେ ୪୯ ଜଣ ମୃତ୍ୟୁ ବରଣ କରୁଥିବା ବେଳେ ଆମ ପଡୋଶୀ ବାଂଲାଦେଶ ରେ ଏହା ପ୍ରତି ଦଶ ଲକ୍ଷରେ ୨୭ ଜଣ, ପାକିସ୍ତାନରେ ୨୯ ଜଣ, ଚୀନରେ ୩ ଜଣ, ନେପାଳରେ ୯ ଜଣ, ଭୂଟାନରେ ୦, ବର୍ମାରେ ୦.୧, ଶ୍ରୀଲଙ୍କାରେ ୦.୬ ଓ ଆଫଗାନିସ୍ତାନ ରେ ୩୬ଜଣ ଲୋକ କୋଭିଡ କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ତା ହେଲେ ସ୍ଵାସ୍ଥ୍ୟ ବିଭାଗ ଏମିତି ଭୁଲ ତଥ୍ୟ ରଖୁଛନ୍ତି କାହିଁକି?
ତେବେ ସରକାରକୁ କହିବ କିଏ ଯେ, ୧୦୦ ରୁ ଅଧିକ ଦେଶରେ ମୃତ୍ୟୁହାର ଆମଠୁ ମଧ୍ୟ କମ। ଭୁଟାନରେ ଜଣେ ବି ଲୋକ କରୋନା ରେ ମୃତ୍ୟୁ ବରଣ କରି ନାହାନ୍ତି। ଦକ୍ଷିଣ କୋରିଆରେ ଏହି ଭୂତାଣୁକୁ ସେମାନେ ସହଜରେ ଆୟତ୍ତ କରିପାରିଥିଲେ, ଯେତେବେଳେ କି ଏହି ଭୂତାଣୁ ବିଷୟରେ କାହାକୁ କିଛି ଜଣା ନଥିଲା। ଆମ ପଡୋଶୀ ପାକିସ୍ତାନରେ ଜୁନ ମାସ ବେଳକୁ ଦୈନିକ ୬୦୦୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରୁଥିଲେ। ଏବେ ତାହା ୩୦୦/୪୦୦ କୁ ଖସି ଆସିଛି। ଆମର ଲୋକ ମରି ଚାଲିଛନ୍ତି ଓ ସେଥିରେ ଅଙ୍କୁଶ ଲାଗିବାର କୌଣସି ସମ୍ଭାବନା ଦିଶୁନାହିଁ।ଆମେ ନିଜକୁ ସଫଳ ବୋଲି ଦେଖାଇବାକୁ ଆମେରିକା ଓ ବ୍ରାଜିଲ ସହିତ ନିଜକୁ ତୁଳନା କରୁଛୁ। ଆମେରିକାରେ ପ୍ରତି ଦଶ ଲକ୍ଷ ଲୋକରେ ୫୭୪, ବ୍ରାଜିଲରେ ୫୮୨, ପେରୁରେ ୮୮୫, ସ୍ପେନ ରେ ୬୨୪ ଜଣ ଲୋକ ମରୁଛନ୍ତି।ଆମେ ସବୁଠୁ ଖରାପ ପ୍ରଦର୍ଶନ କରୁଥିବା ଦେଶ ସହିତ ନିଜକୁ ତୁଳନା କରି ବାହାବା ନେବାକୁ ଚାହୁଁଛେ କି?
ଏବେ ତ ଗଣମାଧ୍ୟମରେ କରୋନାକୁ ନେଇ ଆଲୋଚନା ପ୍ରାୟ ବନ୍ଦ ହୋଇଗଲାଣି। ଏପ୍ରିଲ ମାସରେ ଯେତେବେଳେ ଦିନକୁ ହଜାରେ ଆକ୍ରାନ୍ତ ବାହାରୁଥିଲେ, ସେତେବେଳେ ଆମେ ହାହାକାର କରୁଥିଲେ। ଏ ସଂଖ୍ୟା ଏବେ ଦୈନିକ ହାରାହାରି ଅଶୀ ହଜାର। ସେତେବେଳକୁ ସବୁକିଛି ଚୁପ। ବର୍ତ୍ତମାନ ପୃଥିବୀର ସବୁଠୁ ଅଧିକ ଆକ୍ରାନ୍ତ ଓ ମୃତ ଆମ ଦେଶରୁ ବାହାରୁଛନ୍ତି। ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି କରୋନା ଗ୍ରାଫ ରେ ଅବନତି ଦେଖିବାକୁ ମିଳୁନି।
ସରକାରର ବଡ ବଡ ମନ୍ତ୍ରୀ, ଅଧ ଡଜନରରୁ ଅଧିକ ମୁଖ୍ୟମନ୍ତ୍ରୀ ଏବେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଖୋଦ ଗୃହମନ୍ତ୍ରୀ କରୋନା କବଳରେ ପଡି ଏଯାଏ ସ୍ଵାଭାବିକ ସ୍ଥିତି କୁ ଆସି ନାହାନ୍ତି। ଗଣମାଧ୍ୟମର ଏ ସବୁ ପ୍ରସଙ୍ଗ ନୁହେଁ। କରୋନା କାରଣରୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ପ୍ରତି ଏବେ କୌଣସି ଦାୟିତ୍ଵବୋଧ ବା ସହାନୁଭୁତି କାହା ପାଖରେ ଦେଖିବାକୁ ମିଲୁନି।
ଏକ କୃର ବାସ୍ତବତାକୁ ଚପାଇଦେବାକୁ ସରକାର, ଅଦାଲତ, ବିଧାନପାଳିକା ଓ ଗଣମାଧ୍ୟମ, ସମ୍ମିଳିତ ଉଦ୍ୟମ କରିଛନ୍ତି। କୌଣସି ରାଜନୈତିକ ଦଳ ଆଜିର ସମୟରେ ଏତେ ଲୋକଙ୍କ ମୃତ୍ୟୁ ଲାଗି କିଏ ଉତ୍ତରଦାୟୀ ବୋଲି ପ୍ରଶ୍ନ ପଚାରୁନାହାନ୍ତି। ଦେଶର ସର୍ବୋଚ୍ଚ ବିଧାନ ପାଳିକା ସଂସଦର ବର୍ଷାକାଳୀନ ଅଧିବେଶନରେ ପ୍ରଶ୍ନ କାଳ ନ ରହୁ ବୋଲି ସରକାର ଚାହୁଁଛନ୍ତି। ଦେଶର ସଙ୍କଟ ସମୟରେ ଆମର ସଂସଦର କିଛି ଦାୟିତ୍ଵ ଅଛି ନା ନାହିଁ?
ତଥ୍ୟ ଲୁଚାଇଲେ ସତ୍ୟ ଲୁଚିଯିବ ବୋଲି ସରକାର ଭାବୁଛନ୍ତି। ଆଜିର ତାରିଖରେ ସତ୍ୟ ଓ ତଥ୍ୟ ଲୋକଙ୍କ ପାଖରେ ଯେମିତି ହେଲେ ପହଞ୍ଚିବ। ଦେଶରେ ସରକାରୀ ତଥ୍ୟ ଠାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ଓ ମୃତ ଲୋକ ରହିଛନ୍ତି। ଗ୍ରାମାଞ୍ଚଳରେ କରୋନା ବ୍ୟାପିବା ପରେ, ଏହା ଏବେ ଆଉ ସରକାରୀ ନିୟନ୍ତ୍ରଣ ରେ ନାହିଁ। କ୍ରମଶଃ ଆମେ ଏକ ଅନ୍ଧକୂପରେ ପଡିଯାଇଛୁ। ଆମକୁ ଏଥିରୁ ମୁକ୍ତି କେବେ ଓ କେମିତି ମିଳିବ, ସେ କଥା କାହାକୁ ଜଣାନାହିଁ।