ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟମ ଉଲ୍ଲଂଘନ କଲେ ଏଣିକି 1 କୋଟିର ଅର୍ଥ ଦଣ୍ଡ ସହିତ 5 ବର୍ଷର କାରାଦଣ୍ଡ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଜିଠାରୁ ଏହି ଆଇନ କଡାକଡି ଭାବରେ ପାଳନ କରାଯିବ ।
କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ ଏନସିଆର ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଏହି ନିୟମ କଡାକଡି ଭାବରେ ଲାଗୁ କରାଯିବ । ଏକ 18 ଜଣିଆ କମିଶନ ଗଠନ କରାଯିବ । ବାୟୁର ମାନ ପରୀକ୍ଷା କରିବା ସହିତ ପ୍ରଦୂଷଣ ରୋକିବା ଦିଗରେ ଏହି କମିଟି କାର୍ଯ୍ୟ କରିବ। ମୁଖ୍ୟ ଶାସନ ସଚିବ ସ୍ତରର ଜଣେ ଅଧିକାରୀ ଏହି କମିଟିର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ । କମିଟିରେ10 ଜଣ ପ୍ରଶାସନିକ ଅଧିକାରୀଙ୍କ ସହିତ 8 ଜଣ ପରିବେଶବିତ ଏବଂ ସାମାଜିକ କର୍ମୀ ରହିବେ । କମିଟିରେ ପ୍ରତି ସଦସ୍ୟଙ୍କ କାର୍ଯ୍ୟକାଳ 3 ବର୍ଷ ରହିବ ଏବଂ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରତି ସଦସ୍ୟଙ୍କୁ ନିଯୁକ୍ତ କରାଯିବ । ଏହି କମିଟିର କାର୍ଯ୍ୟକୁ ନେଇ କେବଳ ଏନଜିଟି ନିକଟରେ ଆବେଦନ କରାଯାଇ ପାରିବ ବୋଲି ଅଧ୍ୟାଦେଶରେ ଉଲ୍ଲେଖ କରାଯାଇଛି । (ଏଜେନ୍ସି)