ସୀତାରାମ ଅଗ୍ରଓ୍ବାଲ
ବାଣପୁର : ଗତକାଲି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଟାଙ୍ଗୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ଯେଉଁଥିରେ ଜଳାଶୟରେ ବୁଡି ପ୍ରାଣ ହରାଇଛନ୍ତି ଜଣେ ନାବାଳକ। ସୂଚନା ମୁତାବକ ଗତକାଲି ଦିବା ୧୧ ଘଟିକା ସମୟରେ ନାଚୁଣୀ ଟାଙ୍ଗୀ ସାହିର ପ୍ରଫୁଲ୍ଲ ମହାରଣା ଙ୍କ ପୁତ୍ର ଦେବାଶିଷ ମହାରଣା(୪) ଗ୍ରାମର ଅନ୍ୟଜଣେ ନାବାଳକଙ୍କ ସହ ନିକଟସ୍ଥ ଖଣି ଅଞ୍ଚଳକୁ ଶୌଚ ପାଈଁ ଯାଇଥିଲେ । ହେଲେ ଶୌଚ ସାରି ଘରକୁ ଫେରିବା ସମୟରେ ଅସାବଧାନତା ବଶତଃ ଦେବାଶିଷ ଙ୍କ ଗୋଡ ଖସିଯିବାରୁ ସେ ନିକଟସ୍ଥ ଜଳାଶୟ ଭିତରେ ପଡ଼ି ବୁଡିଯାଇଥିଲେ। ଏହା ଦେଖି ସଙ୍ଗେ ସଙ୍ଗେ ଅନ୍ୟ ନାବାଳକ ଜଣକ ଦୌଡ଼ି ଯାଇ ଦେବାଶିଷଙ୍କ ଜେଜେମା ଙ୍କୁ ଜଣାଇଥିଲେ ଏବଂ ପରବର୍ତୀ ସମୟରେ ତାଙ୍କ ଜେଜେବାପା ରାଜକିଶୋର ମହାରଣା ଏବଂ ଅନ୍ୟମାନେ ଜଳାଶୟ ନିକଟରେ ପହଁଚିଲା ବେଳକୁ ଦେବାଶିଷ ଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ।
ଗ୍ରାମବାସୀ ମାନେ ପାଣିରୁ ଦେବାଶିଷ ଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଗତକାଲି ରାତିରେ ତାଙ୍କ ପରିବାରବର୍ଗ ଏ ନେଇ ନାଚୁଣୀ ଫାଣ୍ଡିରେ ଜଣାଇବାପରେ ବାଣପୁର ପୋଲିସ ଏ ସଂକ୍ରାନ୍ତରେ କେସ ନମ୍ବର ୨୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ଜବତ କରି ଆଜି ବ୍ୟବଛେଦ ପାଇଁ ପଠାଇଦେଇଛି। ଦେବାଶିଷ ଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାସ୍ଥଳେ ତାଙ୍କ ପିତା ଜଣେ ଦିବ୍ୟାଙ୍ଗ ଏବଂ ବର୍ତ୍ତମାନ ରୋଜଗାର ଆଶାରେ ସୁଦୂର ମୁମ୍ବାଇରେ ଦାଦନ ଖଟୁଛନ୍ତି । ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି।