କଟକ : ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣିଗ୍ରାହୀଙ୍କ ଆଜି ପରଲୋକ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ରାଜ ପାଣିଗ୍ରାହୀ । 78 ବର୍ଷ ବୟସରେ କଟକ ସିଡିଏ ସେକ୍ଟର-6ର ଥିବା ତାଙ୍କ ବାସଭବନରେ ପରଲୋକ ହୋଇଛି । ଆଜି ହଠାତ୍ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ। ଦିନ ପ୍ରାୟ 1ଟାରେ ତାଙ୍କୁ ହୃଦ୍ଘାତ ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ବଡ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ମୟୂରଭଞ୍ଜଠାରେ ଜନ୍ମିତ ଶିବ ପାଣିଗ୍ରାହୀ ଜଣେ ଲୋକପ୍ରିୟ ଓଡ଼ିଆ ଚିତ୍ରଶିଳ୍ପୀ । ଚିତ୍ର ତଥା କଳା ଜଗତରେ ତାଙ୍କର ଉଲ୍ଲେଖନୀୟ କୃତି ପାଇଁ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତେବେ ସମ୍ମାନଜନକ ପଦ୍ମକେଶରୀ, ଚକାଡୋଳା ସମ୍ମାନ, ଭୂମିପୁତ୍ର ଓ ସାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ ଶିବ ପାଣିଗ୍ରାହୀ । ଚିତ୍ର ଓ କଳା ପାଇଁ ସେ ତାଙ୍କ ଜୀବନକୁ ସର୍ବଦା ଉତ୍ସର୍ଗ କରିଥିଲେ । 2013 ରୁ 2015 ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଦାୟିତ୍ବରେ ରହିଥିଲେ । ଶିବ ପାଣିଗ୍ରାହୀଙ୍କ ମୃତ୍ୟୁରେ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି ।