ରମେଶ ମହାନ୍ତି
ଜଗତସିଂହପୁର: ଏକ ବୀମା କମ୍ପାନୀର ଏଜେଣ୍ଟ ଶିକ୍ଷକ ଚାକିରୀ କରିବା ପରେ ମଧ୍ୟ ଏଜେଣ୍ଟ କାମ ଛାଡି ପାରି ନାହାଁନ୍ତି । ପଲିସି ବିକିବାକୁ ବିଦ୍ୟାଳୟରେ ଅନୁପସ୍ଥିତ ରହି ପଛରେ ଧରା ଧରି କରି ଦରମା କରାଇନେବାକୁ ଷଡଯନ୍ତ୍ର ଚାଲିଥିବା ଚର୍ଚ୍ଚା ହେଉଛି। ପ୍ରଧାନ ଶିକ୍ଷକ ଦାଇତ୍ବରେ ଅନ୍ୟ ଜଣେ ଶିକ୍ଷକ ରହିବାରୁ ନିଜର ମନମାନି ସୁଯୋଗ ନପାଇ ଏଜେଣ୍ଟ ଶିକ୍ଷକ ଜଣକ ଲମ୍ବା ଅନଧିକାର ଛୁଟିରେ ରହି ପଲିସି ବେପାରରେ ଲାଗିପଡିଥିଲେ ବୋଲି କୁହାଯାଉଛି । ଘଟଣାଟି ପୁରୁଣା ହେବା ପରେ ୯ ମାସ ଧରି ଅନଧିକୃତ ଭାବରେ ନେଇଥିବା ଛୁଟିର ବକେୟା ଦରମା ହଡ଼ପ କରିବା ପାଇଁ ଉକ୍ତ ଇନ୍ସୁରାନ୍ସ ଏଜେଣ୍ଟ ଥିବା ଶିକ୍ଷକ ଜଣକ ଯୋରଦାର ଉଦ୍ୟମ ଚଳାଇଥିବା କୁହାଯାଉଥିବା ବେଳେ ଅପରପକ୍ଷରେ ଏରସମା ବ୍ଲକର ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଏବେ ସ୍ଥାନୀୟ ଶିକ୍ଷକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଏମିତିକି ସମ୍ପୃକ୍ତ ଶିକ୍ଷକ ଏକ ବୀମା କମ୍ପାନୀର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ସତ୍ବେ ତାଙ୍କ ପ୍ରତି ଶିକ୍ଷା ବିଭାଗର ଏପରି ଅହେତୁକ ଅନୁକମ୍ପା ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଥିବା ଜଣାପଡିଛି । ଏପରିକି ବକେୟା ୯ ମାସର ଦରମା ଅର୍ଥ ହଡ଼ପ କରିବା ନିମନ୍ତେ ୫୦ ହଜାରରେ ଡିଲ ହୋଇଥିବା ଶୁଣିବାକୁ ମିଳୁଛି ।
ଏପରି ଏକ ଘଟଣା ଏରସମା ବ୍ଲକରେ ଦେଖିବାକୁ ମିଳିଛି । ସୂଚନାନୁଯାୟୀ ଉକ୍ତ ବ୍ଲକର ଗଡବିଷନପୁର ବିଦ୍ୟାଳୟରେ ରମାକାନ୍ତ ନାୟକ ଶିକ୍ଷକତା କରିବା ସହିତ ଏଲଆଇସି ଏଜେଣ୍ଟ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ଜଣାପଡିଛି।ଏପରିକି ତାଙ୍କର ପତ୍ନୀ ମଧ୍ୟ ଶିକ୍ଷୟିତ୍ରୀ ସହିତ ଏଲଆଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଶ୍ରୀ ନାୟକଙ୍କ ଏଲଆଇସି କୋଡ ନଂ – ୦୦୪୭୮୫୮ ଡବ୍ଲୁ ଅଟେ। ଏହି ଶିକ୍ଷକ ଦମ୍ପତିଙ୍କୁ ବ୍ଲକ୍ ଶିକ୍ଷା କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ପୋଷଣ କରୁଛନ୍ତି ବୋଲି କୁହାଯାଉଛି। ଏଲଆଇସି ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିବା ଏହି ଦମ୍ପତି ଅନେକ ସମୟରେ ସ୍କୁଲରେ ଅନୁପସ୍ଥିତ ରହିଥାଆନ୍ତି । ଏମିତିକି ଏହାର ପ୍ରତିବାଦ କରିବା ଯୋଗୁଁ ଜଣେ ତତ୍କାଳୀନ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ମାଡ଼ ମାରିିବାକୁ ପଛାଇନଥିଲେ ବୋଲି ଶୁଣିବାକୁ ମିଳୁଛି।
ସୂଚନା ଅଧିକାର ଆଇନରେ ମିଳିଥିବା ରିପୋର୍ଟ ଅନୁସାରେ ସମ୍ପୃକ୍ତ ଶିକ୍ଷକ ୨୦୧୩ ଅଗଷ୍ଟ ମାସ ୨୯ରୁ ଅକ୍ଟୋବର ମାସ ମଧ୍ୟରେ ୩ ପର୍ଯ୍ୟାୟରେ ଡ଼ାକ୍ତରୀ ଛୁଟି ନେଇଥିଲେ । ମାତ୍ର ୧୬.୧୦.୨୦୧୩ ଠାରୁ ୩୧.୫.୨୦୧୪ ପର୍ଯ୍ୟନ୍ତ ଅନଧିକୃତ ଛୁଟିରେ ରହିଥିଲେ । ଯାହାଫଳରେ ତାଙ୍କୁ ଏହି ୯ ମାସରୁ ଅଧିକ ଦିନ ଦରମା ମିଳି ନ ଥିଲା ।
୨୦୧୮ ମସିହାରେ ଏହି ଛୁଟି ଅର୍ଥ ନେବା ନିମନ୍ତେ ଶ୍ରୀ ନାୟକ ଆବେଦନ କରିଥିଲେ। ସେତେବେଳେ ଭାରପ୍ରାପ୍ତ ବିଇଓ ଭାବରେ କାର୍ଯ୍ୟ କରୁଥିବା ମହେନ୍ଦ୍ର ସୋରଣିଆ ଏଥିପାଇଁ ଏକ କମିଟି ଗଠନ କରିଥିଲେ । କମିଟି ରିପୋର୍ଟ ଆସିବା ପୂର୍ବରୁ ନୂଆ ବିଇଓ ଭାବରେ ଜୟନ୍ତ ରାୟ ଯୋଗ ଦେଇଥିଲେ । କମିଟି ରିପୋର୍ଟ ଦେଇଥିଲେବି ଶ୍ରୀ ରାୟ ତାଙ୍କ ଅବଧି ମଧ୍ୟରେ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି କୁହାଯାଉଛି । ମାତ୍ର ତାଙ୍କ ଅବସର ପରେ ପୁଣି ଥରେ ଦାୟିତ୍ବରେ ଥିବା ଭାରପ୍ରାପ୍ତ ବିଇଓ ଶ୍ରୀ ସୋରଣିଆ ସହ ଶିକ୍ଷା ଅଧିକାରୀ ବିଜୟ ସେନାପତି ଓ ଗୋଲୋକ ପ୍ରଧାନଙ୍କୁ ନେଇ ପୁଣି ଏକ କମିଟି ଗଠନ କରାଯାଇଥିବା ଜାଣିବାକୁ ମିଳିଛି । ପୁଣି ୨ୟ ବାର କମିଟି ଗଠନକୁ ନେଇ ଏବେ ଯୋରଦାର୍ ଚର୍ଚ୍ଚା ହେଉଛି। ସୂଚନାନୁଯାୟୀ ନିଜକୁ ଶିକ୍ଷକ ନେତା ବୋଲାଉଥିବା କୁଲିଆ ନାମକ ଜନୈକ ବ୍ୟକ୍ତି ଏଥିରେ ମଧ୍ୟସ୍ଥତା କରିବା ସହ ଦରମା କରାଇଦେବାକୁ ୫୦ ହଜାରରେ ଡିଲ୍ ହୋଇଥିବା ଭିତିରି ଚର୍ଚ୍ଚା ହେଉଛି।
ସୂଚନାନୁଯାୟୀ ଏହି ଶିକ୍ଷକ ଦମ୍ପତି ପୂର୍ବରୁ ୬୫ ଦିନ ଲେଖାଁ ବିଦ୍ୟାଳୟରେ ଅନୁପସ୍ଥିତ ରହି ୧୬ ଦିନ ଡାକ୍ତରୀ ଛୁଟି ଦର୍ଶାଇ ୪୯ ଦିନର ଦରମା ନେଇଥିବା ଏବଂ ପୂର୍ବରୁ ଏବିଷୟରେ ହୋଇଥିବା ଅଭିଯୋଗକୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାପି ଦିଆଯାଇଥିବା ଅଭିଯୋଗ ଶୁଣିବାକୁ ମିଳୁଛି। ଏପରି ଏକ ଘଟଣାକୁ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଏ ସମ୍ପର୍କରେ ବ୍ଲକର ଦାୟୀତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।