ପୁରୀ:ଆଜି କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ତଥା ବାମନ ବେଶ ଅନୁଷ୍ଠିତ ହେବ। ଅବକାଶ ପରେ ବେଶ ଆରମ୍ଭ ହେବ । ଠାକୁରେ ବାଙ୍କଚୂଡ଼ ବେଶରେ ବାମନ ସଦୃଶ୍ୟ ପ୍ରତୀୟମାନ ହେବେ। ସନ୍ଧ୍ୟାରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହେବ । ଗରୁଡ଼ ବିଗ୍ରହଙ୍କୁ ପଞ୍ଚାମୃତ ସ୍ନାନ ସରି ନୂତନ ବସ୍ତ୍ରରେ ଭୂଷିତ କରାଯିବ। ପୁଷ୍ପାଳକ ସେବାୟତ ଗୋଷ୍ଠୀ ଗତଭାବେ ଠାକୁରଙ୍କ ବେଶ କରିବେ ।
ଅପରପକ୍ଷରେ, ପଞ୍ଚୁକ ବ୍ରତ ପାଇଁ ବଡ଼ଦାଣ୍ଡରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଆଜିଠାରୁ କୌଣସି ଯାନବାହନ ଶ୍ରୀମନ୍ଦିର ଅଭିମୁଖେ ଛଡ଼ାଯାଉ ନାହିଁ। ଶ୍ରଦ୍ଧାଳୁ ମାନେ ସିଂହଦ୍ୱାର ନିକଟକୁ ଚାଲିଚାଲି ଆସି ଶୃଙ୍ଖଳିତ ଭାବେ ପତିତପାବନଙ୍କୁ ଦର୍ଶନ କରିପାରିବେ। ନାଗାର୍ଜ୍ଜୁନ ବେଶ ପାଇଁ ଭକ୍ତଙ୍କ ଗହଳିକୁ ସେହିଦିନ ଜଗନ୍ନାଥ ବଲ୍ଲଭ ପରିସରରେ ମହାପ୍ରସାଦର ବିକ୍ରୟର ବ୍ୟବସ୍ଥା କରାଯାଇଛି। ବାହାର ଭକ୍ତଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ଏହି ଛଅ ଦିନ ପର୍ଯ୍ୟନ୍ତ ବାହାରୁ କୌଣସି ଭକ୍ତ ପୁରୀ ନ ଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି, କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁ ଭକ୍ତମାନେ କୌଣସି ତୀର୍ଥ ପୁଷ୍କରଣୀ ଓ ମହୋଦଧିରେ ଡ଼ଙ୍ଗା ଭସାଇବା ଉପରେ ସଂମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି ।