ରାଜକୋଟ: ଗୁଜୁରାଟର ରାଜକୋଟ ଜିଲ୍ଲା ସ୍ଥିତ କୋଭିଡ୍ ଡାକ୍ତରଖାନାରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ 5ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରାଜକୋଟରେ ଥିବା ଶିବାନନ୍ଦ ହସ୍ପିଟାଲର ଆଇସିୟୁରେ ଏହି ଅଗ୍ନିକାଣ୍ଡ ଘଟିଥିଲା। କୋଭିଡ ହସ୍ପିଟାଲ ହେତୁ ଆଇସିୟୁରେ ପାଖାପାଖି 11 ଜଣ ରୋଗୀ ଭର୍ତ୍ତି ଥିବା ବେଳେ ଅଗ୍ନିକାଣ୍ଡ ଯୋଗୁଁ ସେଥିମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲରେ ପ୍ରାୟ 33 ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ଆହତ ମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିବା ସହ ରୋଗୀମାନଙ୍କୁ ଉଦ୍ଧାର କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ ।
ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜ୍ଞାପନ କରିବା ସହ ଆହତମାନଙ୍କ ଚିକିତ୍ସା ଲାଗି ଯଥା ସମ୍ଭବ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । (ଏଜେନ୍ସି)