କନ୍ଦର୍ପ ବେହେରା
ରେଢ଼ାଖୋଲ: ଗତକାଲି ରାତିରେ ବରଗଡ଼ରୁ ଭୁବନେଶ୍ୱର ଯାଉଥିବା ଏକ ନାଇଟ କୋଚ ବସ୍ ରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଖବର ହସ୍ତଗତ ହୋଇଛି।
ପ୍ରକାଶ ଯେ ବରଗଡରୁ କେନ୍ଦ୍ରାପଡ଼ା ଯାଉଥିବା କୁମୁଦିନି ନାଇଟ କୋଚ୍ ବସରେ ନୀଳକଣ୍ଠ ଦାସ ନାମକ ଜଣେ ଯାତ୍ରୀ ପରିବାର ସହ ନିଜ ଗାଁକୁ ଯାଉଥିଲେ। ନିଜ ଗାଁ କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ବୋଲି ଜଣାପଡ଼ିଛି। ସେ ବସରେ ଯାଉଥିବା ସମୟରେ ଅସୁସ୍ଥ ହେବାରୁ ବସ କଣ୍ଡକ୍ଟର ତାଙ୍କୁ ରେଢ଼ାଖୋଲ ମାହେଶ୍ୱରୀ ନର୍ସିଂହୋମ ସାମ୍ନା ରେ ରାତି ପ୍ରାୟ ୨ ଟା ସମୟରେ ଓହ୍ଲାଇ ଦେଇଥିଲେ। ସେଠାରେ ନର୍ସିଂହୋମ ବନ୍ଦ ଥିବାରୁ ରାତ୍ରି ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀ ମାନେ ତୁରନ୍ତ ତାଙ୍କୁ ଏକ ଅଟୋରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ନିଳକଣ୍ଠ ଦାସଙ୍କ ସ୍ତ୍ରୀ ଓ ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ସେ ବରଗଡ ଜିଲ୍ଲା ପଧାନପାଲି ଅଞ୍ଚଳରେ ରହି ମଜୁରିଆ ଭାବରେ କାମ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ଆଜି ସକାଳୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।