ଅମ୍ରିତସର : ଶୁକ୍ରବାର ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି(ଏସଜିପିସି)ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି ବିବି ଜାଗିର କୌର । ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଜାଗିର କୌର ଏସଜିପିସିର ସଭାପତି ନିର୍ବାଚିତ ହୋଇଛନ୍ତି । ତେଜା ସିଂ ସମୁନ୍ଦରୀ ହଲରେ ଅନୁଷ୍ଠିତ ଭୋଟିଂରେ ଜାଗିର ନିର୍ବାଚିତ ହୋଇଛନ୍ତି । ଜାଗିର ସଭାପତି ଭାବରେ ନିର୍ବାଚିତ ହୋଇଥିବା ନେଇ ୟୁଧବୀର ରାଣା ସୂଚନା ଦେଇଛନ୍ତି । ପୂର୍ବତନ ବିବାଦୀୟ ସଭାପତି ଗୋବିନ୍ଦ ସିଂ ଲାଙ୍ଗୱାଲଙ୍କ ସ୍ଥାନରେ ଜାଗିର ଦାୟିତ୍ୱ ଗ୍ରହଣ କରିବେ । ନିଜର ତିନି ବର୍ଷର ସଭାପତିତ୍ୱରେ ଲାଙ୍ଗୱାଲ ଏକାଧିକ ବିବାଦରେ ଛନ୍ଦି ହୋଇ ଯାଇଥିଲେ । ସରୁପ ନିଖୋଜ ବିବାଦକୁ ନେଇ ଚର୍ଚ୍ଚାରେ ରହିଥିଲେ ଲୋଙ୍ଗୱାଲ ।
ଜାଗିର କୌର, ଯିଏକି ଶିରୋମଣୀ ଅକାଳୀ ଦଳର ମହିଳା ଶାଖା ଇସ୍ତ୍ରୀ ଅକାଳି ଦଳର ମୁଖ୍ୟ ରହିଛନ୍ତି ଏହା ପୂର୍ବରୁ ତିନି ଥର ଏହି ପଦବୀରେ ରହିଥିଲେ । ପ୍ରଥମ ଥର ପାଇଁ 1999 ମସିହାରେ ଏହି ପଦବୀରେ ରହିଥିଲେ ଜାଗିର । ମାର୍ଚ୍ଚ 16ରୁ-ନଭେମ୍ବର 22 ପର୍ଯ୍ୟନ୍ତ ଏହି ପଦବୀରେ ରହିଥିବା ଜାଗିର ଦ୍ୱିତୀୟ ଥର ପାଇଁ ନଭେମ୍ବରରେ ନିର୍ବାଚିତ ହୋଇଥିଲେ । ଏହାପରେ ନିଜ ଝିଅ ହତ୍ୟା ମାମଲାରେ ଛନ୍ଦି ହେବା କାରଣରୁ 2000 ମସିହାରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ମାମଲାରୁ ବାହାରିବା ସହିତ ସେପ୍ଟେମ୍ବର 29, 2004ରେ ତୃତୀୟ ଥର ପାଇଁ ଏହି ପଦବୀରେ ଅବସ୍ଥାପିତ ହୋଇଥିଲେ । ନଭେମ୍ବର 22, 2005ରେ ଏହି ପଦବୀରୁ ଅବ୍ୟାହତି ନେବା ପରେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଜାଗିର ।
ଜାଗିର ବିବିଙ୍କ ବ୍ୟତିତ ବାବା ବୁଟା ସିଂଙ୍କୁ ବରିଷ୍ଠ ଉପ ସଭାପତି ଏବଂ ସୁରଜିତ ସିଂ ଭଟିଣ୍ଡାଙ୍କୁ କନିଷ୍ଠ ଉପସଭାପତି ଭାବରେ ଘୋଷଣା କରାଯାଇଛି । ଏହା ବ୍ୟତୀତ ସାଧାରଣ ସମ୍ପାଦକ ଭାବରେ ଆଇଜୀବୀ ଭଗୱନ୍ତ ସିଂ ସିଆଲକାଙ୍କୁ ନିର୍ବାଚିତ କରାଯାଇଛି ।