ରମେଶ ମହାନ୍ତି
ଜଗତସିଂହପୁର : ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୋଭିଡ୍-୧୯ ଟୀକାକରଣ ଟାକ୍ସଫୋର୍ସ ବୈଠକ ଓ ସ୍ୱାସ୍ଥ୍ୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଅଧ୍ୟକ୍ଷତା କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ହୋଇଥିବା କୋଭିଡ୍-୧୯ ଟୀକାକରଣ ନିମନ୍ତେ ହିତାଧିକାରୀଙ୍କ ଡାଟାବେସ୍ କୁ ସମୀକ୍ଷା କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ,ମହିଳା ଓ ଶିଶୁ ବିକାଶ ବିଭାଗ ଓ ବେସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କର ଟୀକାକରଣ କରାଯିବ ବୋଲି କୁହାଯାଇଥିଲା। ଏଥିରେ ଜିଲ୍ଲା ସ୍ତରୀୟ ଅଧିକାରୀ ,ରୋଟାରୀ କ୍ଲବ, ଏନ୍.ସି.ସି ଅଫିସର୍ ,ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସର୍ଭେଲାନସ୍ , ମେଡିକାଲ ଅଫିସର ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମେତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ମାନେ ଉପସ୍ଥିତ ଥିଲେ। ଏଥିସହିତ ଜିଲ୍ଲାସ୍ତରୀୟ ଟୀକାକରଣ ନିମନ୍ତେ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମ ନଭେମ୍ବର ୨୦ରୁ ଫେବୃଆରୀ ୨୧ ପର୍ଯ୍ୟନ୍ତ ଜିଲ୍ଲାର ୪ଟି ବ୍ଲକ୍ ବାଲିକୁଦା, ବିରିଡ଼ି, ନାଉଗାଁ ଓ ଏରସମା ରେ ଅନୁଷ୍ଠିତ ହେବ। ଏହି ୪ଟି ବ୍ଲକରେ ନିୟମିତ ଟୀକାକରଣ କମ୍ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଅଭିଯାନ ସଫଳ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସ୍ୱାସ୍ଥ୍ୟ ସମନ୍ୱୟ ବୈଠକରେ ସମ୍ପୂର୍ଣ୍ଣ ଟୀକାକରଣ ,ଅପପୁଷ୍ଟି ଶିଶୁଙ୍କ ନିରାକରଣ ,ପୁରୁଷ ବନ୍ଧ୍ୟାକରଣ ,ମମତା ଦିବସ ପାଳନ, ଜାତୀୟ କୃମିନାଶକର ସଫଳତା ,୧୦୨,୧୦୮ ଆମ୍ବୁଲାନ୍ସର କାର୍ଯ୍ୟକ୍ରମର ସମୀକ୍ଷା ଓ ଟେଲିମେଡିସିନ୍ ପଦ୍ଧତି ଦ୍ଵାରା ଚିକିତ୍ସା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏଥିସହିତ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନଙ୍କ ନିର୍ଦ୍ଦେଶ କ୍ରମେ ଜଗତସିଂହପୁର ପୌରାଞ୍ଚଳରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯିବା ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା।
ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଲେ କୋଭିଡ୍ ଭ୍ୟାକସିନ୍ ନିମନ୍ତେ ଡାଟାବେସ୍ ପ୍ରସ୍ତୁତ ହୋଇଛି। ଏଥିରେ ସମସ୍ତ କମିଟି ସଦସ୍ୟମାନେ ଆବଶ୍ୟକ ସମୟରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସଂମ୍ପୁର୍ଣ୍ଣ ଟୀକାକରଣରେ ଜନ୍ମରୁ ୧ବର୍ଷ ମଧ୍ୟରେ କୌଣସି ଶିଶୁ ଯେପରି ବାଦ୍ ନ ପଡନ୍ତି ସେଥିପ୍ରତି ଚିକିତ୍ସା ଅଧିକାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀ ସଚେତନ ହେବା ଦରକାର।
ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ପ୍ରମୋଦ କୁମାର ବାରିକ, ଡଃ ବସନ୍ତ କୁମାର ବାରିକ, ଡଃ ଶତୃଘ୍ନ ଦାଶ, ଡଃ କ୍ଷେତ୍ରବାସୀ ଦାଶ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଏସ୍.ଏମ୍.ଓ ଡଃ ଦୀପକ କୁମାର କର, ଡି.ପି.ଏମ୍ ଚକ୍ରଧର ଜେନା, ଡି.ପି.ସି ସପନ କୁମାର ଜେନା, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତି ରଞ୍ଜନ ପରିଡ଼ା, ଏ.ପି.ଏମ୍ ମମତା ଦାଶ, ଆଶା ସଂଯୋଜିକା ଅମୀତା ପଣ୍ଡା, ଗାଁ କଲ୍ୟାଣ ସମିତି ସଂଯୋଜିକା ସୁଜାତା ପ୍ରିୟମ୍ବଦା ଦାସ, ଆସିଷ୍ଟାଣ୍ଟ ମ୍ୟାନେଜର (ଏଲ୍.ଏ.ଆଇ.ଏସ୍) ସ୍ବସ୍ତି ମହାନ୍ତି ,ଏପିଡେମୋଲୋଜିଷ୍ଟ ଡଃ ଅଶୋକ କୁମାର ସାହୁଙ୍କ ସମେତ ସମସ୍ତ ସିଡିପିଓ ଉପସ୍ଥିତ ଥିଲେ। ଶେଷରେ ଡେପୁଟି ମ୍ୟାନେଜର ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।