ନିର୍ବାଚନ କମିଶନଙ୍କ ମତଭେଦକୁ ନେଇ ବିଜେପିକୁ ଟାର୍ଗେଟ୍‌ କଲା କଂଗ୍ରେସ

Published: May 18, 2019, 5:46 pm IST
congress target bjp for election commission controversy

ଆଚାର ସଂହିତା ଉଲ୍ଲଂଘନ ଆରୋପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ଦେବା ଘଟଣାରେ ନିର୍ବାଚନ କମିଶନଙ୍କ ମତଭେଦକୁ ନେଇ କଂଗ୍ରେସ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ୍‌ କରିଛି । ମୁଖ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକକୁ ବର୍ଜନ କରିଛନ୍ତି ନିର୍ବାଚନ କମିଶନର ଅଶୋକ ଲାଭାସ । ଏହାକୁ ନେଇ କଂଗ୍ରେସ ଆଜି ମୋଦି ସରକାରଙ୍କର କଡ଼ା ସମାଲୋଚନା କରି ଦେଶର ସାମ୍ବିଧାନିକ ସଂସ୍ଥା ମଧ୍ୟ ମୋଦି ସରକାରଙ୍କର ହାତର କଣ୍ଡେଇ ହୋଇଯାଇଛନ୍ତି ବୋଲି କହିଛି  । ଦଳର ମୁଖ୍ୟ ପ୍ରବକ୍ତା ରଣଦୀପ ସୁର୍ଜେଓ୍ବାଲା ବୟାନ ଦେଇ କହିଛନ୍ତି ଯେ, ଏହା ହେଉଛି ଲୋକତନ୍ତ୍ର ପାଇଁ କଳାଦିବସ । ସୁର୍ଜେଓ୍ବାଲା ମୋଦି ଶାହାଙ୍କ ଉପରେ ଆରୋପ ଲଗାଇ କହିଛନ୍ତି ଯେ, ସାମ୍ବିଧାନିକ ସଂସ୍ଥା ହୋଇଥିବା ସ୍ଥଳେ ଅଳ୍ପ ମତକୁ ମଧ୍ୟ ରେକର୍ଡଭୁକ୍ତ କରାଯାଏ, କିନ୍ତୁ ମୋଦି ଶାହା ଯୋଡ଼ିଙ୍କୁ ବଞ୍ଚାଇବା ଉଦ୍ଦେଶ୍ୟରେ ଏହି ନିୟମରେ ଅବହେଳା କରାଯାଇଛି । ମୋଦି ଓ ଅମିତ୍‌ ଶାହାଙ୍କ ବିରୋଧରେ ଆଚାର ସଂହିତା ଉଲ୍ଲଂଘନର ଅତି କମ୍‌ରେ ୧୧ଟି ଅଭିଯୋଗ ରହିଥିବାବେଳେ ଏହି ସମସ୍ତ ଅଭିଯୋଗକୁ ଅଳିଆଗଦାକୁ ଫୋପଡ଼ା ଯାଇଛି । ମୋଦି ସରକାର ସଂସ୍ଥାଗତ ଗାରିମାକୁ କ୍ଷୂର୍ଣ୍ଣ କରିଛନ୍ତି । ସୁ୍ପ୍ରିମ୍‌ କୋର୍ଟର ବିଚାରପତିମାନେ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଇସ୍ତଫା ଦେଇଛନ୍ତି, ସିବିଆଇ ନିର୍ଦ୍ଦେଶକଙ୍କୁ ପଦରୁ ହଟାଇ ଦିଆଯାଇଛି, ସିବିସି ଭିତ୍ତିହୀନ ରିପୋର୍ଟ ଦେଇଛନ୍ତି ଏବେ ନିର୍ବାଚନ ଆୟୋଗ ବାଣ୍ଟି ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ୍‌ ଶାହାଙ୍କୁ ନିର୍ବାଚନ କମିଶନ କ୍ଲିନ୍‌ ଚିଟ୍‌ ଦେବା ପରେ ଏହାକୁ ନେଇ ଅସହମତି ପ୍ରକାଶ କରି ଲାଭାସା ବୈଠକକୁ ବିରୋଧ କରିଛନ୍ତି । ଯେତେପର୍ଯ୍ୟନ୍ତ ତାଙ୍କ ଅସହମତି ମତକୁ ରେକର୍ଡଭୁକ୍ତ କରାନଯିବ ସେ ପର୍ଯ୍ୟନ୍ତ ସେ ନିର୍ବାଚନ କମିଶନଙ୍କ କୌଣସି ବୈଠକରେ ଯୋଗଦାନ ଦେବେ ନାହିଁ ବୋଲି କହିଛନ୍ତି ।

Related posts