କେଦାର ମିଶ୍ର
ଅଭିମାନ ଏକ ସୁନ୍ଦର ଓଡିଆ ଶବ୍ଦ। ଏହାର ପ୍ରତିଶବ୍ଦ ବା ପ୍ରତିଭାବ ଅନ୍ୟ ଭାଷାରେ ସହଜରେ ମିଳିବ ନାହିଁ। ବ୍ୟକ୍ତିଗତ ସମ୍ପର୍କରେ ବା ସାହିତ୍ୟିକ ବର୍ଣ୍ଣନାରେ ଅଭିମାନର ବିଶେଷ ଗୁରୁତ୍ଵ ରହିଛି। ହେଲେ ରାଜନୀତିର କୃର ବାସ୍ତବତା ଭିତରେ ଅଭିମାନର କୌଣସି ମୂଲ୍ୟ ନାହିଁ। କୌଣସି ନେତାଙ୍କୁ ତାଙ୍କର ଯୋଗ୍ୟତା ବା ପ୍ରତିଭା ବଳରେ ରାଜନୀତିର ବଡ ଚୌକି ମିଳେନାହିଁ । ସେଠି ସବୁକିଛି ଦେବା ଓ ନେବାର ଖେଳ। ଏକଥା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କୁ ବୁଝାଇବାକୁ ପଡିବା ଉଚିତ ନୁହେଁ। ଦାମ ବାବୁ ପୁରୁଣା ଖେଳୁଆଡ। ସେ ରାଜନୀତିର ମଇଦାନ ଓ ତାର ପାଣିପାଗ ବିଷୟରେ ବେଶ ଅବଗତ। ତଥାପି ଓଡିଶା ବିଜେପି ତାଙ୍କୁ ଗୁରୁତ୍ଵ ଦେଉନାହିଁ ଓ ନିର୍ବାଚନ ପରଠୁ ସେ ବିଜେପିରେ ଅନାବଶ୍ୟକ ହୋଇପଡୁଛନ୍ତି ବୋଲି ଅଭିମାନଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି। ଏକଦା ପୁରୁଖା ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ମଧ୍ୟ ସମାନ ଅଭିଯୋଗ କରି ଦଳ ଛାଡିଥିଲେ। ବିଜେପି ଭିତରେ ସେମାନେ “ପୁରୁଣା ଆସବାବ” ପରି ପଡି ରହିଛନ୍ତି ବୋଲି ସେମାନେ ଲେଖିଥିଲେ। ବାସ୍ତବରେ ଦାମ ବାବୁ ବା ତାଙ୍କ ପରି ଯେଉଁ ବିଜେଡି ନେତାମାନେ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ସେମାନଙ୍କ ଅବସ୍ଥା ସେଇ “ପୁରୁଣା ଆସବାବ” ହେବା ସୁନିଶ୍ଚିତ ବୋଲି ସେମାନେ ଜାଣି ନଥିଲେ କି?
ନିର୍ବାଚନରେ ଦାମୋଦର ରାଉତଙ୍କର ବିଶେଷ କିଛି ପ୍ରଭାବ ପଡିବ ବୋଲି ବିଜେପି ଆଶା କରି ତାଙ୍କୁ ଆପଣାର କରିଥିଲା। ଦାମଙ୍କ ପଛରେ ଓଡିଶା ଗଣମାଧ୍ୟମର କ୍ୟାମେରା ଘୂରିବ ଓ ତାଙ୍କ ବୟାନରେ ବିଜେଡି ଅପଦସ୍ତ ହେବ ବୋଲି ନିର୍ବାଚନ ପୂର୍ବରୁ ବିଜେପି ଭାବୁଥିଲା। କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକ ଓ ଗଣମାଧ୍ୟମ ଦାମଙ୍କ ପ୍ରଭାବକୁ ବଢେଇ ଚଢେଇ ଉପସ୍ଥାପିତ କରୁଥିଲେ। କେବଳ ଟିଭି ବାଇଟ ଓ ବାକ୍ୟ ବାଣ ବ୍ୟତୀତ ଦାମଙ୍କର ଅଧିକ କିଛି ଶକ୍ତି ନଥିଲା। ନିର୍ବାଚନରେ ସେ ଶୋଚନୀୟ ଭାବରେ ହାରିଲେ। କେବଳ ହାରିଲେ ନୁହଁ, ସେ ତୃତୀୟ ସ୍ଥାନରେ ରହିଲେ। ତେଣୁ ନିର୍ବାଚନୀ ରାଜନୀତିର ଲୋକପ୍ରିୟତାରେ ତାଙ୍କର କୌଣସି ପ୍ରଭାବ ନାହିଁ ବୋଲି ବିଜେପି ବୁଝିଗଲା। ନିର୍ବାଚନ ପରବର୍ତ୍ତୀ ରାଜନୀତିରେ ବିଜେଡି ସହିତ ଭିତିରି ବୁଝାମଣାର ରାଜନୀତିକୁ ବିଜେପି ଆପଣାର କଲାପରେ, ଦାମୋଦର ରାଉତ ଆଉ ଦଳ ପାଇଁ କୌଣସି କାମରେ ଲାଗିପାରିବେ ନାହିଁ ବୋଲି ବିଜେପି ବୁଝିସାରିଛି। ତେଣୁ କୌଣସି ଦଳୀୟ ଫୋରମ ବା କାର୍ୟକ୍ରମରେ ଦାମଙ୍କୁ ଆଉ ସମ୍ପୃକ୍ତ କରା ଯାଉନାହିଁ ।
ବିଜେପି ସବୁବେଳେ ଅନ୍ୟଦଳରୁ ଆସୁଥିବା ନେତା ଓ କର୍ମୀମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥାଏ। ବିଜେପିରେ ଆଜି ମଧ୍ୟ ସଂଘ ପରିବାରର ପ୍ରଭାବ ସବୁଠୁ ମୂଳ। ସଂଘର ପୃଷ୍ଠଭୂମି ନଥିଲେ, ଯେତେ ବଡ ନେତା ହେଲେ ମଧ୍ୟ ସେ ବିଜେପିର କ୍ଷମତା କେନ୍ଦ୍ର ହେବା ସମ୍ଭବ ନୁହେଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କୁ ଗତ ତିନି ବର୍ଷ ଭିତରେ ବିଜେପି ରେ କି ଭୂମିକା ଦିଆ ଯାଉଛି, ସେ କଥା ଦାମ ବାବୁଙ୍କ ଭଳି ଅଭିଜ୍ଞ ନେତା ଜାଣିଥିବେ ନିଶ୍ଚୟ। ବିଜେପିରେ ମୁଖ୍ୟ କ୍ଷମତା କେନ୍ଦ୍ର ହେବାକୁ ହେଲେ ନାଗପୁର ଶକ୍ତିକେନ୍ଦ୍ର ସହିତ ଯୋଗାଯୋଗ ରହିବା ନିହାତି ଜରୁରୀ। ଦାମଙ୍କ ପୂର୍ବରୁ ବିଜେପିକୁ ଆସିଥିବା ବୈଜୟନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ସେଥିଲାଗି ସଂଘ ମୁଖିଆଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଦାମ ବାବୁ ସେ କଥା କରି ନାହାନ୍ତି। ତେଣୁ ଦଳରେ ତାଙ୍କର ପତିଆରା ନ ରହିବା ସ୍ଵାଭାବିକ।
ଦାମ ବାବୁଙ୍କର ଏକମାତ୍ର ଶକ୍ତି ହେଉଛି, ତାଙ୍କର ନବୀନ ବିରୋଧୀ ବକ୍ତବ୍ୟ। ଏବେ ବିଜେପିରେ ନବୀନ ବିରୋଧୀ ଆଭିମୁଖ୍ୟ ଶିଥିଳ ପଡିଯାଇଛି। ପରୋକ୍ଷରେ ବିଜେପି ଏବେ ବିଜେଡ଼ିର ସହଯୋଗୀ ଅବତାରରେ କାମ କରୁଛି। ସେହି ପୃଷ୍ଠଭୂମିରେ ଦାମଙ୍କ ଆବଶ୍ୟକତା ଆହୁରି କମି ଯାଇଛି। ଦାମ ବାବୁଙ୍କ ପରିବାରରୁ ତାଙ୍କ ପୁଅ ବିଜେଡି ବିଧାୟକ ରହିଥିବାରୁ, ସ୍ଵାଭାବିକ ଭାବରେ ବିଜେପି ଦାମଙ୍କୁ ସହଜରେ ବିଶ୍ବାସକୁ ନେଇପାରିବ ନାହିଁ। ବିଜେଡି ଛାଡିଲା ପରେ ନିଜକୁ ନବୀନ ବିରୋଧୀ ଶକ୍ତିର ମୁଖିଆ ଭାବରେ ଉପସ୍ଥାପନ କରିବା ପ୍ରକ୍ରିୟାରେ ଦାମଙ୍କ ପ୍ରତି ଗଣମାଧ୍ୟମର ବିଶେଷ ସମର୍ଥନ ରହିଥିଲା। ଆଜି ସେ ସମର୍ଥନ ଆଉ ନାହିଁ। ବିଜେପିରେ ଯୋଗଦେଇ ଦାମୋଦର ରାଉତ ଏକ ପ୍ରକାର ରାଜନୈତିକ ଅନ୍ଧତ୍ଵ କୁ ବରଣ କରିଛନ୍ତି। ଆଜି ସେ ନା ବିଜେପିରେ ରହି ପାରୁଛନ୍ତି,ନା ବିଜେଡି ଫେରିବା ଲାଗି କୌଣସି ବାଟ ଖୋଲା ଅଛି!!