ମୋଦୀଙ୍କ ଜନ୍ମଦିନରେ ବଜାରର ବାର୍ତ୍ତା, ସେନସେକ୍ସ ସୂଚକାଙ୍କ ୭୦୦ ପଏଣ୍ଟ ଖସିଥିବା ବେଳେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୯୭

Published: Sep 17, 2019, 5:03 pm IST

ସମୀକ୍ଷା ବ୍ୟୁରୋ

ଆଜି ସାରା ଦେଶର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନରେ ବ୍ୟସ୍ତ ଥିବା ବେଳେ ଭାରତୀୟ ବଜାରରୁ ଦେଶର ଅର୍ଥନୀତିକୁ ନେଇ ଅତ୍ୟନ୍ତ ନୈରାଶ୍ୟଜନକ ସଙ୍କେତ ମିଳିଛି। ସୋମବାର ବିଶ୍ଵ ବଜାରରେ କଞ୍ଚା ପେଟ୍ରୋଲର ମାତ୍ରାଧିକ ଦର ବୃଦ୍ଧି କାରଣରୁ ଭାରତର ଅର୍ଥ ବ୍ୟବସ୍ଥା ସୁଧୁରିବାର କୌଣସି ଆଶା ଏବେ ଦେଖା ଯାଉନାହିଁ। ଗତକାଲି ଓ ଆଜି ସେନସେକ୍ସ ୭୦୦ ପଏଣ୍ଟ ତଳକୁ ଖସି ଆସିଛି। ଏହା ବଜାରରେ ଏକ ପ୍ରକାର ନିରାଶା ର ସୂଚକ। ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମି ଆସି ୭୧.୯୭ ରେ ପହଞ୍ଚିଛି।

ହିରୋ ମୋଟର, ଟାଟା ମୋଟର, ଆକ୍ସିସ ବ୍ୟାଙ୍କ, ଟାଟା ଷ୍ଟିଲ, ମାରୁତି ସୁଜୁକି, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ବଜାଜ ଅଟୋ ଇତ୍ୟାଦି କମ୍ପାନୀର  ଶେୟାର ମୂଲ୍ୟ  ଯଥେଷ୍ଟ ଖସିଛି। ଗତ ତ୍ରୈମାସିକି ରେ ଜିଡିପି ୫% କୁ ଖସି ଆସିଥିବାରୁ ଏହାକୁ ଆସନ୍ତା ତ୍ରୈମାସିକିରେ ବଢାଇବା ଲାଗି ଭାରତ ସରକାର ବିଭିନ୍ନ ଯୋଜନା ଘୋଷଣା କରିଥିଲେ। ତେବେ ଆନ୍ତର୍ଜାତିକ ବଜାରରେ ପେଟ୍ରୋଲିୟମ ର ଦର ବୃଦ୍ଧି ଭାରତର ଜିଡିପି ଅଭିବୃଦ୍ଧିକୁ ବ୍ୟାହତ କରିବ। ଏହି ଆଶଙ୍କାରେ ବଜାରରେ ନିରାଶା ଦେଖା ଦେଇଛି।ଫିସ୍କାଲ ଡେଫିସିଟ ଓ କରେଣ୍ଟ ଏକାଉଣ୍ଟ ଡେଫିସିଟ ଉପରେ ଏହାର ପ୍ରଭାବ ପଡିବ ବୋଲି ଗତକାଲି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଥିଲେ।

ଆଜି କଞ୍ଛା ତେଲର ମୂଲ୍ୟରେ ଏକା ସାଙ୍ଗରେ ୨୦% ବୃଦ୍ଧି ଘଟିଛି। ଏହା ଗତ ୩୦ ବର୍ଷ ଭିତରେ ସବୁଠୁ ବଡ ମୂଲ୍ୟ ବୃଦ୍ଧି ବୋଲି କୁହାଯାଉଛି। ଏହାର ପ୍ରଭାବରେ ଆସନ୍ତା ଦିନେ ଦୁଇ ଦିନ ଭିତରେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ୫ ରୁ ୬ ଟଙ୍କା ବଢିପାରେ। ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ସରକାର ମୂଲ୍ୟ ବୃଦ୍ଧି ଯଦି ନ କରନ୍ତି ଏହା ଅର୍ଥନୀତିକୁ ଭୟଙ୍କର ସ୍ଥିତିକୁ ନେଇଯିବ।

ଇତି ମଧ୍ୟରେ ଅନ୍ୟ ଏକ ସୂଚନା ଅନୁଯାୟୀ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ନିଜର ପୁଞ୍ଜି ପ୍ରତ୍ୟାହାର କରୁଥିବାର ଖବର ମିଳୁଛି। ଗତ ତିନି ମାସ ଭିତରେ ପାଖାପାଖି ୪.୫ ବିଲିଅନ ଡଲାରର ବିଦେଶୀ ଅଂଶଧନ ଭାରତୀୟ ବଜାରରୁ ପ୍ରତ୍ୟାହୃତ ହୋଇଥିବାର ଖବର ବଜାରରେ ଭୟର ବାତାବରଣ ସୃଷ୍ଟି କରିଛି।

ଏତେ ସବୁ ଖବର ଭିତରେ ଆମର ମୁଖ୍ୟ ଧାରାର ଗଣମାଧ୍ୟମ କିନ୍ତୁ ମୋଦୀଙ୍କ ଜନ୍ମଦିନରେ ବିଭିନ୍ନ ଆଙ୍ଗେଲରୁ ଫଟୋ ଉଠାଇବାରେ ବ୍ୟସ୍ତ ରହିଛି।

Related posts