ସରକାରୀ ଘର ପାଇଁ ବରିଷ୍ଠ ନେତାଙ୍କ ଭିତରେ ଏତେ ଲୋଭ କାହିଁକି ?

Published: Sep 20, 2019, 9:52 am IST

କେଦାର ମିଶ୍ର

ସରକାରୀ ଘର ଖଣ୍ଡିଏ ପାଇଲା ପରେ ତାକୁ ଯାବଜ୍ଜୀବନ ଜାବୁଡି ଧରିବା ଲାଗି ରାଜନୈତିକ ନେତାମାନେ ଏତେ ବିକଳ ହୁଅନ୍ତି କାହିଁକି? ସତରେ କଣ ସେମାନେ ଅଭାବୀ ନା ବାସହୀନ? ତେବେ ସବୁ ନେତା ବା ସରକାରୀ ବାବୁ ସେମିତି ନୁହନ୍ତି। ଅନେକ ସରକାରୀ କର୍ମଚାରୀ ବା ରାଜନେତା ଅଛନ୍ତି ଯେଉଁମାନେ ଚାକିରିରୁ ଅବସର ନେବା ପରେ ବା ସରକାରୀ ଦାୟିତ୍ବରୁ ଅବ୍ୟାହତି ପାଇଲା ପରେ, ତୁରନ୍ତ ସରକାରୀ ଘର ଖାଲି କରିଦିଅନ୍ତି। ସାଧାରଣ ନୈତିକତାର ଏମିତି ଏକ ଉଚ୍ଚାଙ୍ଗ ଉଦାହରଣ ପ୍ରସ୍ତୁତ କରିଥିଲେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ. ଚେଲମେଶ୍ଵର। ବିଚାରପତି ପଦରୁ ଅବସର ନେବାର ୨୪ ଘଣ୍ଟା ଭିତରେ ସେ ନିଜର ସରକାରୀ ଘର ଛାଡି ନିଜ ଗାଁକୁ ଚାଲିଆସିଥିଲେ। ରାଜନୀତିରେ ରହିଥିବା କିଛି ନେତା ମଧ୍ୟ ଏ ପ୍ରକାର ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୯ ନିର୍ବାଚନ ପରେ ନୂଆ ସରକାର ଗଠନ ହେବା ପରେ ପୂର୍ବ ସରକାରରେ ବୈଦେଶିକ ବ୍ୟାପାର ବିଭାଗ ମନ୍ତ୍ରୀ ଥିବା ସୁଷମା ସ୍ଵରାଜ ସାଙ୍ଗେ ସାଙ୍ଗେ ନିଜର ସରକାରୀ ବାସଗୃହ ଛାଡି ଦେଇଥିଲେ।

ତେବେ ନୈତିକତାର ଉଦାହରଣ ଅପେକ୍ଷା ଅନୈତିକ ଭାବରେ ସରକାରୀ ଘର ମାଡି ବସିଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ। ପୂର୍ବତନ ସାଂସଦମାନେ ଦିଲ୍ଲୀରେ ନିଜର ସରକାରୀ ଘର ଛାଡୁନଥିବାରୁ ନୂଆ ସାଂସଦମାନେ ଉଦବାସ୍ତୁ ହୋଇ ବୁଲୁଥିବାର ଖବର ଆମେ ପଢିଛୁ। ଗତ ସପ୍ତାହରେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ୟ ନାରାୟଣ ପାତ୍ର ମଧ୍ୟ ସମାନ ସମସ୍ୟାର କଥା ଉଠାଇଛନ୍ତି। ପୁରୁଣା ବିଧାୟକମାନେ ନିଜର ସରକାରୀ ଘର ଖାଲି କରୁନଥିବାରୁ ନୂଆ ବିଧାୟକମାନଙ୍କୁ ଘର ଯୋଗାଇ ଦିଆଯାଇ ପାରୁ ନାହିଁ। ଯେଉଁ ପୁରୁଣା ନେତାଏ ଘର ଛାଡୁ ନାହାନ୍ତି ତାଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗ କାଟିଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।

ତେବେ ଏହାକୁ ନେଇ ପୁରୁଣା ବିଧାୟକମାନେ ଯେଉଁ ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ। ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଓ ଦେବାଶିଷ ନାୟକ ଏହାକୁ ଏକ ପ୍ରକାର ବ୍ୟକ୍ତିଗତ ସମ୍ମାନର ପ୍ରଶ୍ନ ଭାବରେ ନେଇ ଯାଇଛନ୍ତି। ଏମିତି ଦେଖିଲେ ଏହି ଦୁଇ ନେତାଙ୍କ ନିଜସ୍ଵ ଘର ଭୁବନେଶ୍ବରରେ ରହିଛି। ସରକାରୀ ଘର ନ ପାଇଲେ ଏମାନେ ଯେ ରାସ୍ତାକୁ ଚାଲି ଆସିବେ, ସେମିତି ବି ନୁହଁ। ତଥାପି ବି ଏମାନେ ଏତେ ରାଗୁଛନ୍ତି କାହିଁକି ଓ ସରକାରୀ ଘର ରଖିବାକୁ ବିଭିନ୍ନ ବାହାନା ଖୋଜୁଛନ୍ତି କାହିଁକି?

ଦେବାଶିଷ ନାୟକଙ୍କ ଯୁକ୍ତି ହେଉଛି ଯେହେତୁ ତାଙ୍କ ଦଳର ସରକାର ଅଛି, ତେଣୁ ତାଙ୍କୁ ନୋଟିସ ପଠାଇବା ଅପମାନଜନକ। ଆମ ମତରେ ବିଧାୟକ ପଦରୁ ଗଲା ପରେ ମଧ୍ୟ ସରକାରୀ ଘର ରଖିବା ବେଶୀ ଅପମାନଜନକ। ବିଧାୟକ ପଦରୁ ଗଲା ପରେ ସରକାରୀ ଘର ୬ ମାସ ଭିତରେ ଛାଡିବା ବିଧେୟ। ତେବେ ନୈତିକତା ଦୃଷ୍ଟିରୁ ସରକାରୀ ଦାୟିତ୍ଵ ଗଲା ପରେ ସରକାରୀ ଘର ଛାଡିଦେବା ଉଚିତ। ହେଲେ ବରିଷ୍ଠ ନେତାମାନଙ୍କୁ  ସରକାରୀ ଘରର ଲୋଭ ଛାଡୁନାଇଁ। ସରକାରୀ ଘର ରଖିବାକୁ ବରିଷ୍ଠ ନେତା ଦାମୋଦର ରାଉତ ମୁଖ୍ୟମନ୍ତ୍ରୀଙ୍କୁ ବଡ ଭାବପ୍ରବଣ ଚିଠି ଲେଖିଛନ୍ତି। ସରକାରୀ ଘର ସହିତ ନିଜର ସ୍ଵର୍ଗତ ପତ୍ନୀଙ୍କ ସ୍ମୃତିକୁ ଯୋଡି ଆଉ ଚାରି ମାସ ସରକାରୀ ଘରେ ରହିବାକୁ ମହଲତ ମାଗିଛନ୍ତି।

ସରକାରୀ ଘର ଆବଣ୍ଟନକୁ ନେଇ ସାଧାରଣ ପ୍ରଶାସନ ବିଭାଗର ଯେଉଁ ନିର୍ଦ୍ଦେଶାବଳି ରହିଛି ତାହା ଅନେକ ପୁରୁଣା। ଏହା ବଦଳିବା ଉଚିତ। ଯେଉଁ ବିଧାୟକ ବା ସରକାରୀ ଅଧିକାରୀଙ୍କ ନିଜସ୍ଵ ଘର ଭୁବନେଶ୍ବରରେ ରହିଥିବ,  ସେମାନଙ୍କୁ ସରକାରୀ ଘର ଦେବାର ଆବଶ୍ୟକତା କଣ ରହିଛି? ଅନେକ ବିଧାୟକଙ୍କର ରାଜଧାନୀରେ ଏକାଧିକ ଘର ରହିଥିଲେ ମଧ୍ୟ ବର୍ଷ ବର୍ଷ ଧରି ସେମାନେ ସରକାରୀ ଘର ମାଡି ବସି ରହୁଛନ୍ତି। ଏଠି ପାଇଁ ନିୟମ ବଦଳିବା ନିହାତି ଜରୁରୀ।

Related posts