ଗୋଦାବରୀଶ ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନର ସ୍ମାରକୀ ସମାରୋହ

Published: Dec 8, 2019, 5:19 pm IST

ସମୀକ୍ଷା ବ୍ୟୁରୋ

ବାଣପୁର, ୮/୧୨: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ସାରା ଭାରତରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମହାତ୍ମା ଗାନ୍ଧିଙ୍କ ବାଣପୁର ଆଗମନ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଆଜି ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧି ୧୯୨୭ ଡିସେମ୍ବର ୮ ତାରିଖରେ ପଣ୍ଡିତ ଗୋଦାବରୀଶ ମିଶ୍ର, ତତ୍‌କାଳୀନ ବିହାର – ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ଅନୁରୋଧରେ ବାଣପୁର ଆସିଥିଲେ। ସେ ପଣ୍ଡିତ ଗୋଦାବରୀଶଙ୍କ ବାଣପୁର ହାତୀମୁଣ୍ଡା ଆଶ୍ରମରେ ରହଣି କରିଥିଲେ। ସେଦିନ ସନ୍ଧ୍ୟାରେ ବାଣପୁର ଜନସାଧାରଣଙ୍କୁ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଫିରିଙ୍ଗି ସରକାର ବିରୋଧରେ ସ୍ବାଧୀନତା ଆନ୍ଦୋଳନ ଜୋରଦାର କରିବା ପାଇଁ ଆହ୍ବାନ ଦେଇଥିଲେ।

ଗାନ୍ଧିଙ୍କ ସ୍ମୃତିକୁ ମନେପକାଇବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେରେ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍‌ଘାଟକ ଭାବେ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାହିତ୍ୟିକ ତଥା ପ୍ରାକ୍ତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ରହିଥିଲେ। ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ବରେ ଏହି ସଭା ଅନୁଷ୍ଠିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ, ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଅଜୟ ରାଉଳ, ବାଣପୁର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବାଣପୁର ଏନ୍‌ଏସିର ପ୍ରାକ୍ତନ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ଜେନା, ବାଣପୁର ଏନ୍‌ସିର ପ୍ରାକ୍ତନ ଉପାଧ୍ୟକ୍ଷ ଦାଶରଥୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶିବ ପ୍ରସାଦ ନାୟକ ଅତିଥିମାନଙ୍କୁ ସ୍ଵାଗତ କରିଥିବାବେଳେ ଗୋଦାବରୀଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ତେବେ ଧାର୍ଯ୍ୟ ସମୟଠାରୁ ବହୁ ବିଳମ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଏହି କାର୍ଯ୍ୟକ୍ରମଟି ସକାଳ ୧୦.୩୦ ମିନିଟ୍‌ରେ ହେବାକୁ ଧାର୍ଯ୍ୟ ରହିଥିବାବେଳେ ଏହା ୧.୩୦ ମିନିଟ୍‌ରେ ଆରମ୍ଭ କରାଯାଇଥିଲା।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

 

Related posts