ରାଜ୍ୟ ବିଜେପିର ମଙ୍ଗୁଆଳ ସାଜିଲେ ସମୀର ମହାନ୍ତି

Published: Jan 16, 2020, 5:48 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଦୀର୍ଘ 16 ବର୍ଷ ପରେ ରାଜ୍ୟ ବିଜେପି ସଭାପତି ପଦରେ ଜଣେ ଉପକୂଳ ଓଡ଼ିଶାର ନେତା। 2004ରୁ 2019 ପର୍ଯ୍ୟନ୍ତ ବିଜେପିର ମଙ୍ଗ କେବଳ ପଶ୍ଚିମ ଓଡ଼ିଶାର ନେତାମାନେ ହିଁ ସମ୍ଭାଳି ଆସିଥିଲେ । ରାଜ୍ୟ ବିଜେପିର ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି ରାଜ୍ୟ ବିଜେପିର ଉପସଭାପତି ସମୀର ମହାନ୍ତି । ଛାତ୍ର ରାଜନୀତିରୁ ମୁଖଧାରାର ରାଜନୀତିରେ ପ୍ରବେଶ କରିଥିବା ସମୀର ମହାନ୍ତିଙ୍କୁ ରାଜ୍ୟ ବିଜେପିର ଏହି ଗୁରୁ ଦାୟିତ୍ବ ମିଳିଛି । ରାଜ୍ୟ ବିଜେପି ସଭାପତି ଭାବେ ବିଧିବଦ୍ଧ ଭାବେ ସମୀର ମହାନ୍ତିଙ୍କ ନାମକୁ ଘୋଷଣା କରାଯାଇଛି । ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏହା ଘୋଷଣା କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ ସମୀର ମହାନ୍ତି।

ଏବିଭିପିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର ମହାନ୍ତି 1980ରେ ଏବିଭିବିର ରାଜ୍ୟ ଉପସଭାପତି ରହିଥିଲେ। ପରେ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ। ପରେ ସରକାରୀ ଚାକିରି ଛାଡି ବିଜେପି ଭୁବନେଶ୍ବର ଜିଲ୍ଲା ଉପସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ । 2000 ମସିହାରେ ରାଜ୍ୟ ବିଜେପିର ସମ୍ପାଦକ ରହିଥିବା ସମୀର ମହାନ୍ତି 2009 ମସିହାରେ ଭୁବନେଶ୍ବର ଏକାମ୍ର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଦଳ ଭିତରେ ସାଂଗଠନିକ କାର୍ଯ୍ୟ ତୁଲାଇବାରେ ସମୀର ବେଶ୍ ସକ୍ରିୟ ଭୂମିକା ତୁଲାଇଥିଲେ।

 

Related posts