ଓଡିଶା କଂଗ୍ରେସ, ପୋଲା ବାଉଁଶକୁ ବାଉନ୍ସର ଜଗିଛନ୍ତି କାହିଁକି?

Published: Jan 18, 2020, 8:25 am IST
congress changes candiadate on the last day of nomination

କେଦାର ମିଶ୍ର

ଓଡିଶା କଂଗ୍ରେସକୁ ଦେଖିଲେ, ବାସ୍ତବରେ ଦୟା ଲାଗୁଛିଗୋପବନ୍ଧୁ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ,ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ନେତା ଯେଉଁ ଦଳକୁ ଗଢିଥିଲେ, ସେ ଦଳ ଆଜି ନିଜେ ନିଜକୁ ଖାଇ ଚାଲିଛି। ଓଡିଶାର ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିବା ଅପେକ୍ଷା କଂଗ୍ରେସ ଦଳ ନିଜେ ନିଜକୁ ଖତମ କରିଦେବାକୁ ପ୍ରତିଯୋଗିତା କରୁଛି ବୋଲି କହିବା ଅଧିକ ସମୀଚୀନ ହେବ। ରାଜ୍ୟ କଂଗ୍ରେସର ନେତୃତ୍ଵ ଆଜିର ତାରିଖରେ ସବୁଠୁ ଅସହାୟ ଓ ଭୟଭୀତ। ଦଳର ନା ଅଛି କ୍ଷମତା ନା ରହିଛି ସଂଗଠନ। ତଥାପି ଦଳ ଭିତରେ ମରାମରି, ଗୋଛି କଟାକଟି, ଓ କାଦୁଅ ଫୋପଡା ଫୋପଡି ଚାଲିଛି। ଆମେ ଦେଖିଲୁ, କଂଗ୍ରେସ ଭାବନା ଭିତରେ ବୈଠକ ଚାଲିଥିବା ବେଳେ ବାହାରେ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ବା ବାଉନ୍ସର ଜଗିଛନ୍ତିଯେତେବେଳେ ଗୋଟେ ଦଳର ନେତାଙ୍କୁ ବାଉନ୍ସର ଜଗିବା ଆରମ୍ଭ କରନ୍ତି, ସେ ଦଳର ସଂଗଠନ ଓ ଆସ୍ଥା ଯେ ମୂଳପୋଛ ହୋଇଯାଇଛି, ସେକଥା ବୁଝିବାରେ ବିଶେଷ ଅସୁବିଧା ନାହିଁ

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳ ହୁଏତ ଆତ୍ମ ସମୀକ୍ଷା କରିବା ଉଚିତ ହୋଇଥାନ୍ତା। ଦଳ ଯେ ଓଡିଶାରୁ ଆସ୍ତେ ଆସ୍ତେ ନିଶ୍ଚିହ୍ନ ହେବାକୁ ବସିଲାଣି, ଏକଥା କଂଗ୍ରେସ ନେତୃତ୍ଵ ବୁଝିଯିବା ଉଚିତ ହୁଅନ୍ତା। ସମସ୍ୟା କଣ ବୁଝିଲେ, ସମାଧାନର ବାଟ ହୁଏତ ଫିଟି ପାରନ୍ତା। ହେଲେ କଂଗ୍ରେସ ଜାତକରେ  ଆତ୍ମସମୀକ୍ଷା ବୋଲି କିଛି ନାହିଁ। ଆନୁଗତ୍ୟ, ଚାଟୁକାରିତା ଓ ବିଚାରହୀନ ରାଜନୀତି ଯୋଗୁଁ, କଂଗ୍ରେସର ଏ ଅବକ୍ଷୟ ବୋଲି କଂଗ୍ରେସ ନେତାଏ ଜାଣନ୍ତି। ହେଲେ ସେଥିରୁ ଫିଟିବାର ବାଟ କେହି ଖୋଜୁନାହାନ୍ତିଦଳରେ ସଭାପତି କିଏ ହେବ ତାକୁ ନେଇ ଟଣା ଓଟରା ଚାଲିଛିପ୍ରଥମେ ଦଳ ରହିଲେ ସିନା ପଦପଦବୀର ମୂଲ୍ୟ ରହିବ। ଏବେ ଓଡିଶା କଂଗ୍ରେସରେ ଦଳକୁ ନୁହଁ, ପଦ ବଞ୍ଚାଇବାର ଅଲାଜୁକ ପ୍ରତିଯୋଗିତା ଚାଲିଛି।

୨୦୧୯ ନିର୍ବାଚନ ପୂର୍ବରୁ ବର୍ଷିୟାନ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସର ସଭାପତି ଦାୟିତ୍ଵ ପାଇଲେ। ତାଙ୍କ ପୂର୍ବରୁ ପିସିସି ସଭାପତି ଥିବା ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ଵରେ କଂଗ୍ରେସ ଏକପ୍ରକାର ଆଇସିୟୁ କୁ ଚାଲି ଯାଇଥିଲାନିରଞ୍ଜନ ସେଥିରେ ବିଶେଷ କିଛି ସୁଧାର ଆଣିପାରିବେ ବୋଲି ପ୍ରଥମେ ଆଶା କରାଯାଉଥିଲାହେଲେ ସମୟକ୍ରମେ, ସେ ଆଶା ମଉଳିଗଲା୨୦୧୯ ନିର୍ବାଚନରେ କଂଗ୍ରେସର ସ୍ଥିତି ଆହୁରି ଖରାପ ହୋଇପଡିଲାତା ପରଠୁ କଂଗ୍ରେସ ଶରୀରରେ ରେ ସେଇ ପୁରୁଣା ରୋଗର ଜୀବାଣୁ ମାଡି ଚାଲିଛନ୍ତିଦଳେ କଂଗ୍ରେସ ନେତା ଚାହୁଁଛନ୍ତି ନିରଞ୍ଜନ ବିଦା ହୁଅନ୍ତୁ, କଂଗ୍ରେସ ହାଇ କମାଣ୍ଡ କହୁଛନ୍ତି ନିରଞ୍ଜନ ରହିବେସଂଗଠନ ଅପେକ୍ଷା ନେତାଙ୍କ ପଦବୀକୁ ନେଇ ଏବେ କଂଗ୍ରେସରେ ମହାଭାରତ ଚାଲିଛି

ତେବେ ଆଜିର ରାଜନୈତିକ ସ୍ଥିତିକୁ ଦେଖିଲେ, କଂଗ୍ରେସ ପ୍ରଥମେ ଏକ ଦଳ ଭାବରେ ରାଜ୍ୟରେ ବଞ୍ଚି ରହିବା ଉଚିତତା ପରେ ଯାଇ ବାକି ଯାହା ହେବତେବେ କଂଗ୍ରେସ ନେତାମାନଙ୍କ ଆଚରଣରୁ ଯାହା ଜଣାପଡୁଛି, ସେମାନେ କେହି କଂଗ୍ରେସ ବଞ୍ଚିରହୁ ବୋଲି ଚାହୁଁନାହାନ୍ତିନିରଞ୍ଜନ ବାବୁ ପୁରୁଖା ଓ ଅଭିଜ୍ଞ ଲୋକତାଙ୍କର ସବୁଠୁ ଗୁରୁ ଦାୟିତ୍ଵ ହେଉଛି, ଯେଉଁମାନେ କଂଗ୍ରେସରେ ଅଛନ୍ତି ସେମାନଙ୍କୁ ବାପ ଧନ କହି କଂଗ୍ରେସ କାମରେ ଲଗାଇବାପିସିସି ସଭାପତି କିନ୍ତୁ ଠିକ ଏହାର ବିପରୀତ କାମ କରୁଛନ୍ତି। ଦଳର ଛାତ୍ର, ଯୁବ ଓ ମହିଳା ସଂଗଠନର ନେତୃତ୍ଵ ରେ ନିଜ ଅନୁଗତଙ୍କୁ ଅବସ୍ଥାପିତ କରିବାର ଜିଦ ଯୋଗୁଁ ଏବେ କଂଗ୍ରେସରେ କନ୍ଦଳ ଉତ୍କଟ ହୋଇଛି। ଏମିତିରେ ତ କଂଗ୍ରେସ କର୍ମୀ ଓ ନେତାଙ୍କ ମନୋବଳ ଭାଙ୍ଗିକି ରହିଛିସେଥିରେ ପଦ ପଦବୀକୁ ନେଇ ଏ ପ୍ରକାର ଅହଙ୍କାରର ଲଢେଇ ଦଳକୁ ଦୁର୍ବଳତର କରୁଛିକଂଗ୍ରେସର ଶକ୍ତି, ସାମର୍ଥ୍ୟ ଓ ସମ୍ବଳ, ସବୁକିଛି କେବଳ ନିଜ ନିଜ ଭିତରର ଲଢେଇରେ ସଋ ଯାଉଛିସେଥିରେ ଓଡିଶା କଂଗ୍ରେସ ବିଜେପି ଓ ବିଜେଡି ବିରୋଧରେ ସଂଘର୍ଷ କରିବ କେମିତି?

ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ପ୍ରବଳ ବିରୋଧ ଜାରି ରହିଥିବା ବେଳେ ଓଡିଶା କଂଗ୍ରେସ ଏହାକୁ ନେଇ ଜଡ ହୋଇ ବସିଛିଏହି ଆଇନ ସପକ୍ଷରେ ବିଜେପି ସହିତ ବିଜେଡ଼ିର ସମର୍ଥନ ରହିଥିବାରୁ ରାଜ୍ୟର ପ୍ରମୁଖ ବିରୋଧୀ ଭାବରେ କଂଗ୍ରେସ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ପାରିଥାନ୍ତାଏପରିକି ଜେଏନୟୁ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ରାଜ୍ୟ କଂଗ୍ରେସର ପ୍ରତିକ୍ରିୟା କେବଳ ପ୍ରେସ ରିଲିଜରେ ସୀମିତକଂଗ୍ରେସର ମିଡିଆ ପରିଚାଳନା ମଧ୍ୟ ହାସ୍ୟାସ୍ପଦ ସ୍ତରକୁ ଖସି ଆସିଛିକଂଗ୍ରେସର ସାମ୍ବାଦିକ ସମ୍ମିଳନୀ ଗୁଡିକ ଏବେ ଟେଲିଭିଜନ ଡିବେଟ ଫର୍ମାଟରେ ଚାଲିଛିପିସିସି ମିଡିଆ ସେଲ ଯେ ଟେଲିଭିଜନ ନ୍ୟୁଜରୁମ ନୁହଁ ଏକଥା କଂଗ୍ରେସ ନେତୃତ୍ଵ ବୁଝୁନାହାନ୍ତି କେମିତି? ସୋସିଆଲ ମିଡିଆରେ ମଧ୍ୟ କଂଗ୍ରେସର ଉପସ୍ଥିତି ନାମକୁ ମାତ୍ରଜନମତକୁ ପ୍ରଭାବିତ କରୁଥିବା କୌଣସି ମାଧ୍ୟମରେ ଏବେ କଂଗ୍ରେସର ଉପସ୍ଥିତି କେବଳ ଶୂନ୍ୟ ଶୂନ୍ୟ ମହାଶୂନ୍ୟ।

ଏମିତି ପରିସ୍ଥିତିରେ ପୋଲା ବାଉଁଶ ଭଳି କଂଗ୍ରେସ ଭବନରେ ବାଉନ୍ସର ମୁତୟନ କରିବା ଯେତିକି ହାସ୍ୟାସ୍ପଦ ସେତିକି କରୁଣ ମଧ୍ୟ। 

Related posts