ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ: ମିନି ଷ୍ଟାଡିୟମ୍‌ ନେଇ କ୍ରୀଡାମନ୍ତ୍ରୀଙ୍କ ଘୋଷଣା

Published: Jan 20, 2020, 9:01 pm IST

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରର ସର୍ବପୁରାତନ କଲେଜ ଗୋଦାବରୀଶ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏକ ମିନି ଷ୍ଟାଡିୟମ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। ଗୋଦାବରୀଶ ମହାବିଦ୍ୟାଳୟର ୫୭ତମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଲେକ୍ଟ୍ରୋନିକ, ପ୍ରଯୁକ୍ତିବିଦ୍ୟା, କ୍ରୀଡା ଓ ଯୁବବ୍ୟାପାର ବିଭାଗ ମନ୍ତ୍ରୀଙ୍କ ବ୍ୟତିତ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗ୍‌ଦ୍ଦେବ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏବଂ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଛାତ୍ର ସଂସଦ ଉପଦେଷ୍ଟା ସୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ଏବଂ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟାପକ ଉତ୍ତମ ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ଉପସ୍ଥିତ ଅତିଥି ଗଣ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଲେଜ ପରିସରରେ ଏକ ମିନି ଷ୍ଟାଡିୟମ୍‌ ନିର୍ମାଣ ପାଇଁ କ୍ରୀଡାମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ। ଏହାପରେ ଚିଲିକା ବିଧାୟକଙ୍କ ଦ୍ବାରା ମହାବିଦ୍ୟାଳୟ ପରିସରରେ ଏକ ହାଇମାଷ୍ଟ ଲାଇଟର ଲୋକାର୍ପଣ କରାଯାଇଥିଲା। ଏହା ସହିତ ଭବିଷ୍ୟତରେ କଲେଜରେ ବିଜ୍ଞାନ ଲାବୋରୋଟାରୀ ପାଇଁ ୨୦ ଲକ୍ଷ ଟଙ୍କାର ଅନୁଦାନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ସୂଚନା ଦେଇଥିଲେ।

 

Related posts