19 ବର୍ଷରୁ କମ୍‌ ବିଶ୍ବକପ୍‌ : ଭାରତର କ୍ରମାଗତ ତୃତୀୟ ବିଜୟ

Published: Jan 24, 2020, 9:40 pm IST

ବ୍ଲଏମ୍‌ଫୋଣ୍ଟେନ୍‌ : 19 ବର୍ଷରୁ କମ୍‌ ବିଶ୍ବକପ୍‌ରେ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବର୍ଷା ବାଧାପ୍ରାପ୍ତ ମୁକାବିଲାକୁ ଭାରତ 44 ରନ୍‌ରେ ଜିତି ନେଇଛି । ଏହି ବିଜୟ ସହିତ ଭାରତ ଗ୍ରୁପ୍‌ ଏର ପଏଣ୍ଟ ଟେବୁଲ୍‌ ଶୀର୍ଷରେ ରହିଛି । ବର୍ଷା କାରଣରୁ ମ୍ୟାଚ୍‌କୁ 23 ଓଭରକୁ ହ୍ରାସ କରାଯାଇଥିଲା । ଟସ୍‌ହାରି ପ୍ରଥମେ ବ୍ୟାଟିଂର ଆମନ୍ତ୍ରଣ ପାଇଥିବା ଭାରତ 23 ଓଭରରେ କୌଣସି ଓ୍ବିକେଟ୍‌ ନ ହରାଇ 115 ରନ୍‌ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଦୁଇ ଓପ୍‌ନର ଯଶସ୍ବୀ ଜୟସ୍ବାଲ ଏବଂ ଦିବ୍ୟାଂଶ ସକ୍ସେନା ଅର୍ଦ୍ଧଶତକ ହାସଲ କରିଥିଲେ । ଜୟସ୍ବାଲ 77 ବଲ୍‌ର ସମ୍ମୁଖୀନ ହୋଇ 4 ଚୌକା ଏବଂ ଦୁଇ ଛକ୍କା ସହାୟତାରେ 57 ରନ୍‌ ସଂଗ୍ରହ କରିଥିବା ବେଳେ ଦିବ୍ୟାଂଶ 62 ବଲ୍‌ରୁ 6ଟି ଚୌକା ସହିତ 52 ରନ୍‌ ସଂଗ୍ରହ କରିଥିଲେ । ଡିଏଲ୍‌ ନିୟମ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡକୁ 23 ଓଭରରେ 192 ରନ୍‌ର ଲକ୍ଷ୍ୟ ପ୍ରଦାନ କରାଯାଇଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ପ୍ରଥମ 5 ଓଭରରେ 50 ରନ୍‌ ସଂଗୃହୀତ ହୋଇଥିବା ବେଳେ ଦୁଇ ସ୍ପିନର ମ୍ୟାଚର ରୂପରେଖ ବଦଳାଇଥିଲେ । ଦୁଇ ସ୍ପିନର ଅଥର୍ବ ଆଙ୍କୋଲେକର 3 ଏବଂ ରବି ବିଷ୍ଣୋଇ 4ଟି ଓ୍ବିକେଟ୍‌ ଅକ୍ତିଆର କରିବାରୁ ନ୍ୟୁଜିଲ୍ୟାଣ୍ଡ ବିଜୟରୁ ରନ୍‌ ଦୂରରେ ରହିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ରିସ୍‌ ମାରିଉ(42) ଏବଂ ଫର୍ଗସ୍‌ ଲେଲ୍‌ମ୍ୟାନ୍‌ 31 ରନ୍‌ ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟଣ୍ଡର 7 ଜଣ ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରନଥିଲେ । ଆଙ୍କୋଲେକର 28 ରନ୍‌ ବିନିମୟରେ 3ଟି ଏବଂ ବିଷ୍ଣୋଇ 27 ରନ୍‌ ବିନିମୟରେ 4ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଦୁଇ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ ଏବଂ ସୁଶାନ୍ତ ମିଶ୍ରା ଗୋଟିଏ ଲେଖାଏଁ ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ରବି ବିଷ୍ଣୋଇଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Related posts