32 ବର୍ଷରେ ପାଦ ଦେଲେ ଭାରତର ଟେଷ୍ଟ କ୍ରିକେଟ ସ୍ପେସିଆଲିଷ୍ଟ

Published: Jan 25, 2020, 3:10 pm IST

ମୁମ୍ବାଇ : ଭାରତୀୟ କ୍ରିକେଟର ଟେଷ୍ଟ ସ୍ପେସିଆଲିଷ୍ଟ ଚେତେଶ୍ବର ପୂଜାର 32 ବର୍ଷରେ ପାଦ ଦେଇଛନ୍ତି । ଶନିବାର ପୂଜାରା 32 ବର୍ଷରେ ପାଦ ଦେଇଥିବା ବେଳେ ଅନେକ ଭାରତୀୟ ଖେଳାଳି ତାଙ୍କୁ ଶୁଭକାମନା ଜଣାଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରୁ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ପୂଜାର ଉକ୍ତ ସିରିଜ୍‌ରେ 521 ରନ୍‌ କରି ଚର୍ଚ୍ଚାକୁ ଆସିଥିଲେ । ଏହାପରେ ନିୟମିତ ଭାବରେ ଭାରତୀୟ ଟେଷ୍ଟ ଦଳର ସଦସ୍ୟ ରହିଥିବା ପୂଜାରାଙ୍କୁ ଦ୍ରାବିଡଙ୍କ ଶ୍ରେଷ୍ଠ ବିକଳ୍ପ ଭାବରେ ବିବେଚନା କରାଯାଏ । ବିସିସିଆଇ ସମେତ ଅନେକ ଭାରତୀୟ ଖେଳାଳି ପୂଜାରାଙ୍କୁ ଜନ୍ମଦିନ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଟେଷ୍ଟ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଚେତେଶ୍ବର ପୂଜାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ୍‌ କରାଯାଇଛି । ସେହିପରି ମରାଠୀରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଥିଲେ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର । ପୂଜାରାଙ୍କୁ ଆଉଟ କରିବା ପାଇଁ ଭଗବାନଙ୍କ ଆଶୀର୍ବାଦ ଆବଶ୍ୟକ, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ବୋଲି ସଚିନ ଟ୍ବିଟ୍ କରିଥିଲେ । ସଚିନ୍‌ଙ୍କ ବ୍ୟତିତ ମହମ୍ମଦ କୈଫ୍‌, ମୟଙ୍କ ଅଗ୍ରଓ୍ବାଲ. ଶ୍ରେୟସ୍‌ ଆୟାର, ରିଦ୍ଧିମାନ ଶାହା ପ୍ରମୁଖ ପୂଜାରାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ପୂଜାରା ଭାରତ ପାଇଁ 75ଟି ଟେଷ୍ଟ ମ୍ୟାଚ୍‌ ଖେଳି 49.48 ହାରରେ 5740 ରନ୍‌ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ 18ଟି ଶତକ ଏବଂ 24 ଟି ଅର୍ଦ୍ଧଶତକ ସାମିଲ ରହିଛି ।

Related posts