ପ୍ରଥମ ଥର ପାଇଁ ଦଶ ଜଣ ଓଡିଆଙ୍କୁ ମିଳିଲା ପଦ୍ମ ପୁରସ୍କାର

Published: Jan 25, 2020, 9:18 pm IST

ସମୀକ୍ଷା ବ୍ୟୁରୋ :

ଦେଶର ସର୍ବଶ୍ରେଷ୍ଠ ବେସାମରିକ ପୁରସ୍କାର ଭିତରେ ରହିଛି ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ। ୧୯୫୪ରୁ ଆରମ୍ଭ ହୋଇଥିବା ଏହି ପୁରସ୍କାରକୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଥାଏ। କଳା, ଶିକ୍ଷା, କ୍ରୀଡା, ଔଷଧ, ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ସାର୍ବଜନୀନ କ୍ଷେତ୍ର, ପ୍ରଶାସନିକ ସେବା, ବାଣିଜ୍ୟ ଓ ଶିଳ୍ପ ଆଦି କ୍ଷେତ୍ରରେ ଅସାଧାରଣ ସଫଳତା ଓ ସେବାର ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତ ଥର ପଦ୍ମ ପୁରସ୍କାରରେ 10 ଓଡ଼ିଆ ସ୍ଥାନ ପାଇଛନ୍ତି । କଳାର କ୍ଷେତ୍ର ଓଡିଆ । କଳା, ସାହିତ୍ୟ, କୃଷି ସବୁ କ୍ଷେତ୍ରରେ ଓଡ଼ିଆ ଯେ ଆଗରେ ତାହା ପୁଣିଥରେ ପ୍ରମାଣିତ କରିଛି । କଳା, ଶିକ୍ଷା, କୃଷି, ଚିକିତ୍ସା ଆଦି ବିଭାଗରେ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ ।

ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କୁ ପଦ୍ମବିଭୂଷଣ ସମ୍ମାନ ମିଳିଥିବାବେଳେ ଚଳିତଥର ଜଣେ ଜୈବିକ କୃଷି ପାଇଁ ବାପ ଝିଅଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ବାପ ଝିଅ ହେଉଛନ୍ତି ରାଧାମୋହନ ଓ ସାବରମତୀ । ସେହିପରି ପଶୁ ସମ୍ପଦର ବିକାଶ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଉଛନ୍ତି ବଟକୃଷ୍ଣ ସାହୁ । ସେହିପରି ସାହିତ୍ୟ ଓ ଶିକ୍ଷା ପାଇଁ ଶିକ୍ଷୟିତ୍ରୀ ଦମୟନ୍ତୀ ବିସ୍ରା, ଗାଳ୍ପିକା ବୀଣାପାଣି ମହାନ୍ତି ଓ ପ୍ରବାସୀ ଓଡ଼ିଆ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିଛି । ସେହିପରି ଚିକିତ୍ସା କ୍ଷେତ୍ରରେ ଡ. ଦିଗମ୍ବର ବେହେରାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । କଳା ପାଇଁ ସମ୍ମାନିତ ହୋଇଛନ୍ତି ଉତ୍ସବ ଚରଣ ଦାସ,  ମିତ୍ରଭାନୁ ଗୌନ୍ତିଆ ଓ ସୁନାମଧନ୍ୟ ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଓଡ଼ିଆ ସିନେମା ଜଗତରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ମନମୋହନ ମହାପାତ୍ର ।  ୨୦୧୮ମସିହାର ଫିଲ୍ମ ଭିଜା ମାଟିର ସ୍ୱର୍ଗ ପାଇଁ ରାଜ୍ୟ ଚଳଚିତ୍ର ପୁରସ୍କାରରେ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ ହୋଇଥିବା ମନମୋହନ  ଜାନୁଆରୀ 13 ତାରିଖରେ ଆମଠାରୁ ବିଦାୟ ନେଇଛନ୍ତି ।

 

Related posts