Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଭାଲ ଫାଣ୍ଡି ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନ ୪ ଟାରେ ଏକ ଘରୋଇ କାର( ଓ ଆର ୨୪ ବି ୫୨୯୩) ଯୋଗେ କଟକ ବଡ଼ ମେଡ଼ିକାଲରୁ ଚିକିତ୍ସିତ ହୋଇ ଜୟପୁର ଫେରୁଥିବା ବେଳେ ସୁବୁଦ୍ଧି ପାଟଣା ଛକ ନିକଟରେ ଅଚାନକ ଚଳନ୍ତା କାରର ପଛ ଚକା ଛିଣ୍ଡି ଯିବାରୁ ରାସ୍ତା ମଝିରେ ବାରମ୍ଵାର ଓଲଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ସମ୍ପୃକ୍ତ କାରରେ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରା କରୁଥିଲେ। ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ଅନିଲ କୁମାର ପାତ୍ର ବୋଲି ଜଣାପଡିଛି।

ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଗୁରୁତର ଆହାତ ଦ୍ଵୟଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସଂପୂକ୍ତ କାରକୁ ଜବତ କରିବା ସହ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେହି ଆସିନଥିବା ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ଗୁଡହାଣ୍ଡି ଓ କୁଇଭାଷା ଉପରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯିବ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗ ଦେଇ ପ୍ରଫେସର ଡଃ ସଂଜୟ ଶତପଥି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବୋଧନ କରିଛନ୍ତି। କଳାହାଣ୍ଡି ସରକାରୀ ମହାବିଦ୍ୟାଳୟରେ ଦୀର୍ଘ ଦଶ ବର୍ଷ ଧରି ଅଧ୍ୟାପନା କରିବାର ଅଭିଜ୍ଞତା ଥିବା ବେଳେ ଏହି ଅଂଚଳ ସହ ଅତ୍ୟନ୍ତ ପରିଚିତ ଥିବା ହେତୁ କଳାହାଣ୍ଡିରେ ଶିକ୍ଷାର ବିକାଶ ପାଇଁ ବେଶ ସହାୟ ହେବ ବୋଲି ମତ ପ୍ରକାଶ କରିଛନ୍ତି। ବିଶ୍ୱ ବିଦ୍ୟାଲୟର ସିଣ୍ଡିକେଟ ଗଠନ, ଖାଲିଥିବା ପଦବୀ ପୂରଣ, ସରକାରଙ୍କ ଅର୍ଥ ଆବଂଟନ, ଭିତିଭୂମିର ବିକାଶ ଆଦି ବିଷୟ ଉପରେ ଗୁରୁତ୍ୱ ଦିଆଯାଇ ସେହି ଆଧାରରେ କଳାହାଣ୍ଡି ବିଶ୍ୱବିଦ୍ୟାଲୟକୁ ଭାରତର ଶିକ୍ଷା ମାନଚିତ୍ରରେ ଏକ ସୂଚନାତ୍ମକ ସ୍ଥାନରେ ପହଂଚାଇବା ଲକ୍ଷ୍ୟରେ ଉଦ୍ୟମ କରିବା ପାଇଁ ସମସ୍ତଙ୍କ ସହେଯାଗ କାମନା କରିଥିଲେ।

କଳାହାଣ୍ଡିର ପ୍ରାଗଐତିହାସିକ ସମୟରୁ ବିଦ୍ୟମାନ ଗୁଡହାଣ୍ଡି ଉପରେ ଏବଂ ପ୍ରାଚୀନ କୁଇଭାଷା ଉପରେ ଅଧରକ ଗବେଷଣା କରାଯିବା ପାଇଁ ବ୍ୟବସ୍ଥା କରିଯିବ ବୋଲି ଡଃ ଶତପଥି ପ୍ରକାଶ କରିଛନ୍ତି। ସେହିପରି ବିଶ୍ୱବିଦ୍ୟାଲୟର ଭିତିଭୂମିର ବିକାଶ ପାଇଁ ଅନ୍ୟୁନ ଶହେ ଏକର ଜମି ଆବଶ୍ୟକ, ଆଦିବାସୀ ପାଠ୍ୟକ୍ରମ ଉପରେ ଉନ୍ନତ ବିଭାଗ, ଅନୁବାଦ ବିଭାଗ, ପିଏଚଡି ବିଭାଗ ତଥା ଯୁଗଉପଯୋଗୀ ନୂତ ବିଭାଗ ଖୋଲିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଭବାନୀପାଟଣା ସହରର ପ୍ରାଚୀନ ଆଶା ସାଗର କୁ ପୋଷ୍ୟ ପୋଖରୀ ଭାବରେ ଗ୍ରହଣ କରାଯାଇ ଗବେଷଣା କରାଯିବା ସହିତ କଳାହାଣ୍ଡି ମହାବିଦ୍ୟଲୟର ସମସ୍ତ ଭିତି ଭୂମିର ଉନ୍ନତି, ଅଧ୍ୟାପକ ପଦବୀ ପୂରଣ ତଥା ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ।

ଡଃ ଶତପଥି ପୂର୍ବରୁ ବାଣିଜ୍ୟ ବିଭାଗର ଦୀର୍ଘ ୩୬ ବର୍ଷର ଅଧ୍ୟାପନା ଜୀବନ ମଧ୍ୟରେ ୨୪ ଟି ପୁସ୍ତକର ରଚୟୀତା ଏବଂ ଜଣେ ଉଚ୍ଚ କୋଟୀର ଲେକକ ଓ ବକ୍ତା ଅଟନ୍ତି। ଅପରାହ୍ନରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜୟନ୍ତ ବେହେରାଙ୍କ ସଭାପତିତ୍ୱରେ ଡଃ ଶଂଜୟ ଶତପଥିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି ଅବସରରେ ଡଃ ଶତପଥି ପର୍ଫମିଂ ଆର୍ଟ ଉପରେ ଏକ ବିଭାଗ ଖୋଲାଯାଇ ସେଉପରେ ଗବେଷଣା କରାଗଲେ ଘୁମୁରା ଭଲି ସ୍ଥାନୀୟ ଲୋକନୃତ୍ୟ ଗୁଡିକ ଉପରେ ଅଧିକ ଗବେଷଣା କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୭୪୦ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୭୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡାରୁ ୩୩୬, ସୁନ୍ଦରଗଡରୁ ୩୧୭, ଖୋର୍ଦ୍ଧାରୁ ୧୫୨, ବଲାଙ୍ଗୀରିରୁ ୧୫୨, ସମ୍ବଲପୁରରୁ ୮୬, ନବରଂଗପୁରରୁ ୮୨, ବରଗଡରୁ ୬୪, କଟକରୁ ୫୬, କେନ୍ଦୁଝରରୁ ୪୮, ଗଞ୍ଜାମରୁ ୪୭, ଗଜପତିରୁ ୪୪, ଅନୁଗୁଳରୁ ୪୩, ପୁରୀରୁ ୪୩, ମୟୂରଭଞ୍ଜରୁ ୩୯, ଯାଜପୁରରୁ ୩୮, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୦, ଝାରସୁଗୁଡାରୁ ୨୨, ରାୟଗଡାରୁ ୨୦, କୋରାପୁଟରୁ ୧୭, ନୟାଗଡରୁ ୧୫, ସୋନପୁରରୁ ୧୩, କନ୍ଧମାଳରୁ ୧୧, ଦେବଗଡରୁ ୧୦, କେନ୍ଦ୍ରାପଡ଼ାରୁ ୬, ଜଗତସିଂହପୁରରୁ ୫, ଢେଙ୍କାନାଳରୁ ୩, ମାଲକାନାଗିରିରୁ ୨, ଏବଂ ଷ୍ଟେଟ ପୁଲରୁ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୯ ହଜାର ୩୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଛି। ତେବେ ୨୪ ହଜାର ୩୪୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୫୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ଼ ସମୀକ୍ଷା ବୈଠକ: ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କ ସହ କୋଭିଡ଼ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଜିଲ୍ଲାପାଳମାନଙ୍କୁ କୋଭିଡ଼ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଛି। ତେଣୁ ପ୍ରବାସୀ ଫେରିବା ସମ୍ଭାବନାଥିବାରୁ ସମସ୍ତେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତଥ୍ୟ ସଂଗ୍ରହ ସହ  ପୂର୍ବ ପ୍ରୋଟୋକଲ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସବୁ ଆକ୍ରାନ୍ତ ଯେଭଳି ସଠିକ ଭାବେ ଚିକିତ୍ସା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ପର୍ଯ୍ୟାପ୍ତ ଔଷଧ ଥିଲେ ମଧ୍ୟ ଆହୁରି ଅଧିକ ଔଷଧ ମହଜୁଦ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ବେଡ଼ ଏବଂ ଅକ୍ସିଜେନ ସଂଖ୍ୟା ବଢାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିଭଳି ଲକଡାଉନ ଟାଳିବାକୁ ହେଲେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ସହଯୋଗ ପାଇଁ ନିବେଦନ କରିବା ସହ ବିନା ଲକଡାଉନରେ ଆମେ କରୋନାକୁ ପରାସ୍ତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେଣୁ ସମସ୍ତେ କରୋନା ନିୟମକୁ ମାନିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୫୮୧: ସୁସ୍ଥ ହେଲେ ୨୦୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୭୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୭୨୮ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୩ ହଜାର ୨୦୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୨୪୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ପକ୍ଷରୁ ପ୍ରଥମ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍ ଆୟୋଜିତ

ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ବୃତ୍ତିଗତ ଏବଂ ଗବେଷଣାତ୍ମକ ଲେଖାକୁ ନେଇ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜନ କରାଯାଇଥିବା ୫ ଦିନିଆ ଅନ୍ତର୍ଜାତୀୟ ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ ସୋମବାର ଶେଷ ହୋଇଯାଇଛି।

ଭର୍ଚୁଆଲୀ ଆୟୋଜିତ ହୋଇଥିବା ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ଗବେଷଣା ପ୍ରକ୍ରିୟା ଉପରେ ଅଧିକ ଗୁରୁତ୍ୱ ଦେଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଗବେଷଣାତ୍ମକ ଲେଖା ନିମନ୍ତେ ବୈଜ୍ଞାନିକ ପଦ୍ଧତି ଉପରେ ଅଧିକ ଆଲୋକପାତ କରିଥିଲେ।

ଏହି ଫ୍ୟାକଲ୍ଟି ଡେଭ୍‌ଲପ୍‌ମେଂଟ ପ୍ରୋଗ୍ରାମ୍‌ଟି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍  ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧିନସ୍ଥ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ ବିଭାଗ ଓ ଇଂଟରଡିସିପ୍ଲିନାରୀ ଜର୍ନାଲ୍ ଫର୍ ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ୍ ସାଇନ୍‌ସେସ୍ (ସ୍କୋପସ୍ ଇଣ୍ଡେକ୍ସଡ୍‌) ଏବଂ ଆରିଜୋନା ବିଶ୍ୱବିଦ୍ୟାଳୟର ମିଳିତ ସହଭାଗିତାରେ ଆୟୋଜିତ ହୋଇଥିବା ବେଳେ ପ୍ରାୟ ୫୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଲେଖା ହେଉଛି ଏକ କଳା ଏବଂ ଏହାକୁ କିଭଳି ବସ୍ତୃତ ଭାବରେ ଲେଖାଯାଇପାରିବ ସେ ସମ୍ପର୍କରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟକ୍ତି ବିଶେଷ ମାନେ ବୁଝାଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୁଜୁରାଟ ଗାନ୍ଧୀନଗର ସ୍ଥିତ ଇନ୍‌ଫ୍ଲିବ୍‌ନେଟ୍ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଜେ.ପି ସିଂହ ଜୋରିଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ଏବଂ ଏହି ସମ୍ପର୍କିତ ଗବେଷଣାର ଧାରା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆରିଜୋନା ବିଶ୍ୱବିଦ୍ୟାଳୟର ପ୍ରଫେସର ଆଲ୍‌ବ୍ରେଚ୍‌ଟ କ୍ଲାସେନ୍‌, ଭୁବନେଶ୍ୱର ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲ୍‌.କେ. ଜେନା, ଟାଇମ୍‌ସ ଅଫ୍  ଇଣ୍ଡିଆ, ନୂଆଦିଲ୍ଲୀ ର ସିନିୟର୍ ଆସିଷ୍ଟାଂଟ ଏଡିଟର୍ ପ୍ରତିଜ୍ଞା ଦାସ ଏବଂ ହାଇଦ୍ରାବାଦ ସ୍ଥିତ ଇଂରାଜୀ ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ପ୍ରଫେସର ଆନନ୍ଦ
ମହାନନ୍ଦ ଏହି କାର୍ଯ୍ୟକ୍ରମରେ ମତ ବ୍ୟକ୍ତି କରିଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମେକ୍ସିକୋ ବିଶ୍ୱବିଦ୍ୟାଳୟର ପ୍ରଫେସର ତୀର୍ଥ ପ୍ରସାଦ ମୁଖୋପାଧ୍ୟାୟ ଗବେଷଣା କ୍ଷେତ୍ରରେ ଶିକ୍ଷା ଶାସ୍ତ୍ର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଆଇଟିଇଆର୍‌ର ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ସ୍ୱୟଂପ୍ରଭା ଶତପଥୀ ଏହି ଏଫ୍‌ଡିପିର ସଂଯୋଜକ ଥିବା ବେଳେ ବିଭାଗୀୟ ମୁଖ୍ୟ ଡ. କବିତା ଦାସ ସହ ସଂଯୋଜକ ଥିଲେ।

ସେହିପରି ଡ. ଶିବାନୀ ପଟ୍ଟନାୟକ, ଡ. ମାଳବିକା ମହାପାତ୍ର, ଡ. ସୁବିସ୍ମିତା ଲେଙ୍କା, ଡ. ମୌସୁମୀ ଦାଶ, ପ୍ରାଚିଶ୍ରୀ ମିଶ୍ର ଏବଂ ଶ୍ରୀମତି ମୋନାଲିସା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ପୁଣି ଏହି ରାଜ୍ୟକୁ ଫେରିଲା ଲକଡାଉନ: ୮ ଦିନ ଯାଏଁ ସମଗ୍ର ରାଜ୍ୟରେ ଲାଗିବ କଟକଣା

ରାଞ୍ଚି: ଦେଶରେ କରୋନା ସଂକ୍ରମଣ ଯେତେ ବଢୁଛି ସେତେ କଟକଣାକୁ କଡାକଡି କରାଯାଉଛି। କରୋନାର ଦ୍ଵିତୀୟ ଲହର ପରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜି ଝାଡଖଣ୍ଡ ସରକାର ସମଗ୍ର ରାଜ୍ୟ ପାଇଁ ଲକଡାଉନ ଲାଗୁକରିଛନ୍ତି। ୮ ଦିନ ପାଇଁ ଝାଡଖଣ୍ଡ ସରକାର ଲକଡାଉନ ଲାଗୁ କରିଛନ୍ତି। ଏପ୍ରିଲ ୨୨ ତାରିଖରୁ ୨୯ ତାରିଖ ଯାଏଁ ଏହି ରାଜ୍ୟରେ କଟକଣା ବଳବତ୍ତର ରହିବ। ତେବେ ଅତ୍ୟାବଶ୍ୟକ ସେବାକୁ ଛାଡି ଏହି ସମୟରେ ସବୁ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଳ ଗାନ୍ଧୀ ମଧ୍ୟ ହେଲେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, କଂଗ୍ରେସ ନେତା ରାହୁଳ ଗାନ୍ଧୀ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ତାଙ୍କ ଦେହରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ସନ୍ଦେହ ହେବାରୁ ସେ କରୋନା ପରୀକ୍ଷା କରିଥିଲେ। ଆଜି ରିପୋର୍ଟ ଆସିବା ପରେ ଜଣାପଡିଲା ଯେ, ସେ କରୋନା ପଜେଟିଭ। ଏ ନେଇ ରାହୁଳ ଗାନ୍ଧୀ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂପ୍ସର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ମଧ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି।

Categories
ଫଟୋ ଖବର

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

କୋଭିଡ କଟକଣା ଭିତରେ ଶେଷ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀଙ୍କୁ କରୋନା: ପୃଥକ ବାସରେ ରହିଲେ ସୁନିତା

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପତ୍ନୀ ପଜିଟିଭ ଚିହ୍ନଟ ପରେ ନିଜକୁ ଆଇସୋଲେଟ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ।

ତେବେ ସୁନିତା ପୃଥକ ବାସରେ ରହିଥିବା ବେଳେ ଅରବିନ୍ଦ ସଙ୍ଘରୋଧରେ ଅଛନ୍ତି। ଅରବିନ୍ଦ ଗତ ବର୍ଷ ଜୁନ ମାସରେ କରୋନା ଲକ୍ଷଣ ଦେଖାଯାଇଥିଲା। ହେଲେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଲଗାତର ସକ୍ରିୟ ରହି ବୈଠକ ସହିତ ଅନେକ ସ୍ଥାନକୁ ମଧ୍ୟ ଯାଉଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ଉପର ମୁହାଁ ହେବାରେ ଲାଗିଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୨୫ ହଜାରକୁ ପହଞ୍ଚିଛି।

Categories
ଧର୍ମ ବିଶେଷ ଖବର ରାଜ୍ୟ ଖବର

ଆଜି ପବିତ୍ର ଅଶୋକାଷ୍ଟମୀ, ଏହି ଦିନ ରଥରେ ପ୍ରଭୃ ଲିଙ୍ଗରାଜ କାହିଁକି ମାଉସୀମା ମନ୍ଦିର ଯାଇଥାନ୍ତି ?

ଭୁବନେଶ୍ବର, ଆଜି ହେଉଛି ପବିତ୍ର ଅଶୋକାଷ୍ଟମୀ। ସାରା ଓଡିଶାରେ ଏହି ପାଳିତ ହେଉ ନ ଥିଲେ ମଧ୍ୟ ପ୍ରଭୃ ଲିଙ୍ଗରାଜଙ୍କର ଏହି ଦିନଟି ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ। କାରଣ ଏହି ଅଶୋକାଷ୍ଟମୀରେ ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ରଥଯାତ୍ରାକୁ ରୁକୁଣା ରଥଯାତ୍ରା ବୋଲି କୁହାଯାଇଥାଏ। ସାଧାରଣତଃ ଅଶୋକାଷ୍ଟମୀ ପରେ ପଡିଥାଏ ରାମ ନବମୀ। ପରଦିନ ରାମ ନବମୀ ପଡୁଥିବାରୁ ସାଧାରଣତଃ ଅଶୋକାଷ୍ଟମୀ ଅଶୋକ ବନ ସହିତ ଯୋଡି ହୋଇଥାଏ। ଏହି ଦିନ ମା ସୀତା ଦେବୀ ଅଶୋକ ଜଳପାନ କରି ସବୁ ଦୁଃଖ ଭୁଲିଯାଇଥିଲେ ବୋଲି ଲୋକ କଥା ରହିଛି।

ରୁକୁଣା ରଥ ଯାତ୍ରାର ମହତ୍ବ

ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ଚୈତ୍ର ମାସ ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ।

ପୁରାଣ ଅନୁଯାୟୀ,ରାବଣ ଦ୍ବାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ର ଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଗୋଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି ।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା ହେତୁ କୁଳଗୁରୁ ବୈଶିଷ୍ଠଙ୍କ ପରାମର୍ଶ କ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ। ସେହି ଅନୁସାରେ ଲିଙ୍ଗରାଜମନ୍ଦିରର ଅନତି ଦୂରରେ ରହିଛି ରାମେଶ୍ବର ମନ୍ଦିର।

ତେବେ ସେହି ମନ୍ଦିରକୁ ପୂଜାଅର୍ଚ୍ଚନା କରିବା ପାଇଁ ପ୍ରଭୁ ଲିଙ୍ଗରାଜଙ୍କୁ ରାମଚନ୍ଦ୍ର ଅନୁରୋଧ କରିଥିଲେ। ଫଳେ ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଲିଙ୍ଗରାଜ ରାମେଶ୍ୱର ପୀଠକୁ ଆସି ପୂଜା ଗ୍ରହଣ କରିଥାନ୍ତି। ଲିଙ୍ଗରାଜ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଚନ୍ଦ୍ରଶେଖରଙ୍କ ସହିତ ବାସୁଦେବ ଏବଂ ଦେବୀ ରୁକ୍ମିଣୀ ରଥାଋଢ ହୋଇ ଆସିଥାନ୍ତି।  ଏହି ରଥରେ ଦେବୀ ରୁକ୍ମିଣୀ ଆସୁଥିବାରୁ ଏହି ରଥକୁ ରୁକୁଣା ରଥ କୁହାଯାଏ ।

ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ପିଠରେ ମଧ୍ୟ ପାଳିତ ହୁଏ।

ରୁକୁଣା ରଥ ନିର୍ମାଣ କାହାଣୀ

ଓଡ଼ିଶାର ଗେଜେଟିଅରର୍ସ-ପୁରୀ (୧୯୭୭ ମସିହା) ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ କୁହାଯାଇଥାଏ। ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜା ଅର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହାଶିବରାତ୍ରୀ ପରେ ରଥ କାମ ଆରମ୍ଭ ହୁଏ । ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବା ବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ। ।

ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ । ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ୱାରା ରଥ ମାର୍ଜନା ଓ ପବିତ୍ରକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ ।

ମରିଚି କୁଣ୍ଡ ପାଣିର ରହସ୍ୟ

ଏକାମ୍ର ପୁରାଣ ଅନୁଯାୟୀ, ଏହି ନେତ ଉତ୍ସବ ରାତିରେ କୌଣସି ବନ୍ଧ୍ୟାନାରୀ ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣେ ଥିବା ମରିଚି କୁଣ୍ଡରେ ସ୍ନାନ କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ। ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣା ରଥକୁ ପୂଜା କରାଯାଏ। ରଥ ପୂଜା ପାଇଁ ଏହି ମରିଚି କୁଣ୍ଡ ପାଣିକୁ ନିଆ ଯାଇଥାଏ।

ଏହି ପାଣି ରଥ ପୂଜା ପାଇଁ ନେବା ପରେ ବନ୍ଧ୍ୟାନାରୀମାନଙ୍କୁ ପାଣି କଳସ ପ୍ରଦାନ କରାଯାଇଥାଏ। ସେଥିପାଇଁ ମୁକ୍ତେଶ୍ବର ମନ୍ଦିର କମିଟ ଏହି ପାଣିକୁ ନିଲାମ କରିଥାନ୍ତି। ଅଶୋକାଷ୍ଟମୀ ରାତିରୁ ବିଭିନ୍ନ ସ୍ଥାନରୁ ନାରୀମାନେ ଏହି ପାଣିରେ ସ୍ନାନ କରି ସନ୍ତାନ ପ୍ରାପ୍ତି ଆଶାରେ ଆସିଥାନ୍ତି। ପ୍ରଥମ କଳ ପାଇଁ ପାଣିକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥାଏ। ଏହାପରେ ଅନ୍ୟମାନେ ମଧ୍ୟ ନିଲାମ ଧରି ଏହି କଳସ ପାଣି ନେଇ ସ୍ନାନ କରିଥାନ୍ତି।

Categories
ଆଜିର ଖବର ଆଞ୍ଚଳିକ

କଳାହାଣ୍ଡି ସାମ୍ବାଦିକ ୟୁନିଅନର ପ୍ରତିଷ୍ଠାତା ସଭ୍ୟ ଦୀନେଶ ପଣ୍ଡାଙ୍କ ପରଲୋକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୀନେଶ ପଣ୍ଡାଙ୍କ ଗତ ରବିବାର ସଂଧ୍ୟାରେ ଭବାନୀପାଟଣା ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ୫୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। କୋଭିଡ ଟୀକା ନେଇସାରିଥିବା ବେଳେ ଏଭଳି ଅପ୍ରତ୍ୟାଶିତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କ ଦେହାନ୍ତ ଘଟଣାକୁ ସାମ୍ବାଦିକ ମହଲର ସହଜରେ ଗ୍ରହଣ କରାଯାଇପାରୁନାହିଁ।

ତାଙ୍କର ପୈତୃକ ଗ୍ରାମ କଲମପୁର ବ୍ଲକ ଅନ୍ତଗ୍ରତ ମୀନଗୁର ଠାରେ ଶେଷକୃତ୍ୟ ସଂପାଦନ କରାଯାଇଛି। ପତ୍ନୀ ଓ ଦୁଇପୁତ୍ରଙ୍କୁ ଛାଡି ଇହଧାମ ତ୍ୟାଗ କରିଥିବା ସ୍ୱର୍ଗତ ପଣ୍ଡା ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱହେବ ଦୈନିକ ଓଡିଆ ସମ୍ବାଦପତ୍ର ଶ୍ରୃତିର ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ଜୁନାଗଡ ସହରରେ ଦୀର୍ଘ ଦିନ ହେବ ସପରିବାର ରହୁଥିବା ବେଳେ ଜୁନାଗଡ ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭ୍ୟ ଭାବେ ଦାୟୀତ୍ୱ ତୁଳାଇଥିବା ସହିତ କଳାହାଣ୍ଡି ସାମ୍ବାଦିକ ୟୁନିଅନର ମଧ୍ୟ ପ୍ରତିଷ୍ଠାତା ସଭ୍ୟ ଥିଲେ। ଜଣେ ନିଷ୍ଠାପର, ସରଳ, ନିଷ୍କପଟ ଓ ନିର୍ଭୀକ ସାମ୍ବାଦିକ ଭାବେ ସାମ୍ବାଦିକ ଗହଣରେ ସମସ୍ତଙ୍କ ପ୍ରୀୟ ଭାଜନ ହୋଇପାରିଥିଲେ।

ଏଭଳି ଅହେତୁକ ଭାବେ ସ୍ୱର୍ଗତ ପଣ୍ଡାଙ୍କର ଦେହାନ୍ତ ହେବା ଖବର ପାଇବା ପରେ ଜୁନାଗଡ ସାମ୍ବାଦିକ ମହଲ ସ୍ତବ୍ଧ ହୋଇଯାଇଥିବା ଜଣାପଡିଛି। ଜୁନାଗଡ ଆରଏମସି ପରିସରରେ କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି ମହମ୍ମଦ ଅଲ୍ଲୀ, ଜିଲ୍ଲା ସଂପାଦକ ଦୁଷ୍ମନ୍ତ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷୀତି, ଖଗେଶ୍ୱର ଧଙ୍ଗଡାମାଝୀ, ପ୍ରଭାକର ସେଠୀ, ସଂଜୀବ ଦାଶ, କୁମର ମଣି, ରବିଶଙ୍କର ସୁନାନୀ, ଦିଲିପ ବେହେରା,ରାକେଶ ବେମାଲ, ସୁନଦର ମୋହନ ଛତ୍ରୀଆ ପ୍ରମୂଖ ସମସ୍ତ ସାମ୍ବାଦିକ ଉପସ୍ଥି ହୋଇ କୋଭଡ ନିୟମ ପାଳନ ପୂର୍ବକ ଶୋକ ସଭାରେ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଂଜଳି ଦେବା ସହ ତାଙ୍କର ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ପଣ୍ଡାଙ୍କର ଅବର୍ତମାନରେ କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଲୁଗାଁରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ,ବସ ଭିତରୁ ଧରିଲା ଅବକାରୀ ବିଭାଗ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସଫଳ ହୋଇଛି ବାଲୁଗାଁ ଅବକାରୀ ବିଭାଗ। ହସ୍ତଗତ ତଥ୍ୟ ଅନୁଯାୟୀ ସୁଦୂର ମାଲକାନଗିରିରୁ ଖୋର୍ଦ୍ଧା ଜିଲ୍ଲା ଦେଇ ବସ ଯୋଗେ ଚୋରାରେ ଗଞ୍ଜେଇ ଚାଲାଣ ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ପୂର୍ବରୁ ଏହି ଖବର ବାଲୁଗାଁ ଅବକାରୀ ବିଭାଗ ପାଖରେ ପହଞ୍ଚିଥିଲା।

ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଟାଙ୍ଗୀ ଅବକାରୀ ନିରୀକ୍ଷକ ଆଲୋକ ପ୍ରଧାନ ଏବଂ ବାଲୁଗାଁ ଅବକାରୀ ଉପ ନିରୀକ୍ଷକ ମନୋଜ ବାରିକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଛକ ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ବସ ଷ୍ଟାଣ୍ଡରେ ପୃଥକ ପୃଥକ ଭାବେ ଚଢ଼ାଉ କରାଯାଇଥିଲା।

ଭୋର ଚାରି ଟାରୁ ଦିନ ୯ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା। ଏହି ସମୟରେ ନାଭାଲ ଛକରେ ମାଲକାନଗିରିରୁ ଆସୁଥିବା ଏକ ଓଏସଆରଟିସି ବସ ମଧ୍ୟରୁ ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ବୁଲବୁଲ ବେଗମ(୩୮) ଙ୍କ ନିକଟରୁ ୭ କେଜି ୧୦୦ ଗ୍ରାମ ଏବଂ କୁହୁଡି ବସ ଷ୍ଟାଣ୍ଡରୁ ଜୟପୁରରୁ ଆସୁଥିବା ଦିଲଦାର ବସରୁ ବିହାର ପଶ୍ଚିମ ଚମ୍ପାରନ ଜିଲ୍ଲାର ନଜିର ଅହମ୍ମଦ(୩୭)ଙ୍କ ନିକଟରୁ ୫ କେଜି ୧୦୦ ଗ୍ରାମ ଗଞ୍ଜେଇ ଅବକାରୀ ବିଭାଗ ଜବତ କରିଛି।

ପୂର୍ବରୁ ଦୁହେଁ ଏକାଧିକ ଥର ଓଡ଼ିଶା ଆସି ଏହିପରି ଭାବେ ଚୋରାରେ ବସ ଯୋଗେ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ କରିଥିବାର ସ୍ୱୀକାର କରିଛନ୍ତି। ତେବେ ଉଭୟଙ୍କ ବିରୁଦ୍ଧରେ କେସ ନମ୍ବର ୪ ଏବଂ ୯ ରେ ଦୁଇ ଗୋଟି ମାମଲା ରୁଜୁ କରଯାଇଅଛି ଏବଂ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ତେବେ ଏହା ଏକ ବଡ଼ ରାକେଟ ଏବଂ ଏମାନଙ୍କ ସହ କିଏ କିଏ ସାମିଲ ଥାଇ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଯିବାରେ ସହଯୋଗ କରୁଛନ୍ତି ତାଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଅବକାରୀ ନିରୀକ୍ଷକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତରେ ୧୧ ଏପ୍ରିଲ ସୁଦ୍ଧା ଖରାପ ହୋଇଛି ୨୩ ପ୍ରତିଶତ ଟୀକା: ଜାଣନ୍ତୁ ଓଡିଶାରେ କେତେ ରହିଛି ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ଟୀକାର ଅଭାବ ହୋଇଥିବା ବହୁ ରାଜ୍ୟ ଅଭିଯୋଗ କରିଛି। ହେଲେ ଦେଶରେ ଏପ୍ରିଲ ୧୧ ତାରିଖ ଯାଏଁ ବ୍ୟବହାର ହୋଇଥିବା ମୋଟ ଟୀକା ମଧ୍ୟରୁ ୨୩ ପ୍ରତିଶତ ଟୀକା ଡୋଜ ନଷ୍ଟ ହୋଇଛି। ଆରଟିଆଇ ମାଧ୍ୟମରୁ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି। ଆରଟିଆଇ ଦ୍ଵାରା ସୂଚନା ମିଳିଛି କି, ଏପ୍ରିଲ ୧୧ ତାରିଖ ପର୍ୟ୍ଯନ୍ତ ଦେଶରେ ବ୍ୟବହାର ହୋଇଥିବା ମୋଟ ୧୦ କୋଟି ୩୪ ଲକ୍ଷ ଟୀକା ମଧ୍ୟରୁ ୪୪ ଲକ୍ଷ ୭୮ ହଜାରରୁ ଉର୍ଦ୍ଧ୍ଵ ଟୀକା ଡୋଜ ଖରାପ ହୋଇଛି।

ସର୍ବାଧିକ ରାଜସ୍ଥାନରେ ୬ ଲକ୍ଷ ୧୦ ହଜାର ୫୫୧ ଟୀକା ଡୋଜ ନଷ୍ଟ ହୋଇଥିବା ବେଳେ ତାମିଲନାଡୁରେ ୫ ଲକ୍ଷ ୪ ହଜାର ୭୨୪, ଉତ୍ତରପ୍ରଦେଶରେ ୪ ଲକ୍ଷ ୯୯ ହଜାର ୧୧୫, ମହାରାଷ୍ଟ୍ରରେ ୩ ଲକ୍ଷ ୫୬ ହଜାର ୭୨୫ ଡ଼ୋଜ ଖରାପ ହୋଇଛି। ସେହିଭଳି ଓଡିଶାରେ ୧ ଲକ୍ଷ ୪୧ ହଜାର ୮୧୧ ଟୀକା ଡ଼ୋଜ ଖରାପ ହୋଇଥିବା ଆରଟିଆଇରୁ ସୂଚନା ମିଳିଛି।

 ଜାଣନ୍ତୁ କେଉଁ ରାଜ୍ୟରେ କେତେ ଡୋଜ ହୋଇଛି ଖରାପ:

୧- ରାଜସ୍ଥାନ– ୬ ଲକ୍ଷ ୧୦ ହଜାର ୫୫୧

୨- ତାମିଲନାଡୁ– ୫ ଲକ୍ଷ ୪ ହଜାର ୭୨୪

୩- ଉତ୍ତରପ୍ରଦେଶ– ୪ ଲକ୍ଷ ୯୯ ହଜାର ୧୧୫

୪- ମହାରାଷ୍ଟ୍ର– ୩ ଲକ୍ଷ ୫୬ ହଜାର ୭୨୫

୫- ଗୁଜୁରାଟ– ୩ ଲକ୍ଷ ୫୬ ହଜାର

୬- ବିହାର– ୩ ଲକ୍ଷ ୩୭ ହଜାର ୭୬୯

୭- ହରିୟଣା– ୨ ଲକ୍ଷ ୪୬ ହଜାର ୪୬୨

୮- କର୍ଣ୍ଣାଟକ– ୨ ଲକ୍ଷ ୧୪ ହଜାର ୮୪୨

୯- ତେଲେଙ୍ଗନା- ୧ ଲକ୍ଷ ୬୮ ହଜାର ୩୦୨

୧୦- ପଞ୍ଜାବ- ୧ ଲକ୍ଷ ୫୬ ହଜାର ୪୨୩

୧୧- ଛତିଶଗଡ- ୧ ଲକ୍ଷ ୪୫ ହଜାର

୧୨- ଓଡିଶା– ୧ ଲକ୍ଷ ୪୧ ହଜାର ୮୧୧

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ଼ ସ୍ଥିତିକୁ ଦେଖି ବନ୍ଦ ହେଲା ଭୁବନେଶ୍ଵରର ସବୁ ଧାର୍ମିକ ଅନୁଷ୍ଠାନ

ଭୁବନେଶ୍ବର: ଭୁବନେଶ୍ବରର ସବୁ ଧାର୍ମିକ ଅନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କୋଭିଡ଼ ସଂକ୍ରମଣ ଯୋଗୁଁ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଶ୍ରଦ୍ଧାଳୁଙ୍କୁ ଧାର୍ମିକ ଅନୁଷ୍ଠାନ ଭିତରକୁ ପ୍ରବେଶ ପାଇଁ ରୋକ ଲାଗିଛି। ଧାର୍ମିକ ଅନୁଷ୍ଠାନରେ କେବଳ ରୀତିକାନ୍ତି ଏବଂ ପୂଜାର୍ଚ୍ଚନା ହୋଇପାରିବ। ବିଭିନ୍ନ ଧର୍ମ ଗୁରୁଙ୍କ ସହ ବିଏମସିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନ ପାଇଁ ଏକ ନୂଆ ଗାଇଡଲାଇନ ବିଏମସି ଜାରି କରିବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କଟକ ଏସସିବିରେ ଖୋଲିବ ଆଉ ଦୁଇଟି ଟୀକା କେନ୍ଦ୍ର

କଟକ: ଆସନ୍ତା ମେ’ ୧ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛି। ତେଣୁ ଆଗାମୀ ଦିନରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଆହୁରି ବଢିବ। ସେଥିପାଇଁ କଟକ ଏସସିବି ମେଡିକାଲ କଲେଜରେ ଆଉ ଦୁଇଟି ଟୀକା କେନ୍ଦ୍ର ଖୋଲିବ। ଏସସିବିରେ ଏବେ ଦୈନିକ ୨୦୦୦ ଟୀକାଦାନ କରାଯାଉଛି। ଆଗକୁ ଟୀକାଦାନ ଆହୁରି ବଢୁଥିବାରୁ ଏସସିବିରେ ଆଉ ୨ ଟି କେନ୍ଦ୍ର ବଢାଇବା ପାଇଁ ଯୋଜନା ଚାଲିଛି। ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏନେଇ ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ୫ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୫୩ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ନୂଆପଡା ଜିଲ୍ଲାରୁ ୩ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଜଣେ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଆଜି ନୂଆପଡା ଜିଲ୍ଲାର ୩ ଜଣ ମୃତକଙ୍କ ମଧ୍ୟରୁ  ଜଣେ ୮୦ ବର୍ଷିୟା ମହିଳାଙ୍କ ମୃତ୍ୟୁ ହିଥିବା ବେଳେ ଜଣେ ୬୦ ବର୍ଷିୟା ମହିଳା ଏବଂ ଜଣେ ୩୮ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି। ସେହିଭଳି ରାୟଗଡା ଜିଲ୍ଲାରୁ ଜଣେ ୪୭ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ଜଣେ ୫୨ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୮୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୫୩ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୁମ୍ଭମେଳାରୁ ଫେରିଥିବା ୧୩ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଉତ୍ତରାଖଣ୍ଡ କୁମ୍ଭମେଳାରୁ ଫେରିଥିବା ୧୩ ଜଣ ଶ୍ରଦ୍ଧାଳୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ରେଲୱେ ଷ୍ଟେସନରେ ୩୦ ଜଣ ଶ୍ରଦ୍ଧାଳୁ ପହଞ୍ଚିଥିଲେ। ସେଠାରେ ମୋଟ ୩୦ ଟି ନମୁନାରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ମହାନଗର ନିଗମ ସୂଚନା ଦେଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୭୬୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୫୦ ଲକ୍ଷ ୬୧ ହଜାର ୯୧୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୦ ହଜାର ୫୩୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ଲକ୍ଷ ୮ ହଜାର ୫୮୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୦ ଲକ୍ଷ ୩୧ ହଜାର ୯୭୭ ଆକ୍ଟିଭ୍‌ କେସ୍ ରହିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୪ ହଜାର ୭୬୧ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୭୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୭୮୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୭୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୭ ହଜାର ୮୨୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୭୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୨୦ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬୭୩ ଜଣ, ଅନୁଗୁଳ ୮୧ ଜଣ, ବାଲେଶ୍ଵର ଜିଲ୍ଲାରୁ ୮୪ ଜଣ, ବରଗଡ ଜିଲ୍ଲାରୁ ୧୯୮ ଜଣ, ଭଦ୍ରକ ଜିଲ୍ଲାରୁ ୬୩ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୩୨୨ ଜଣ, ବୌଦ୍ଧ ଜିଲ୍ଲାରୁ ୨୩ ଜଣ, କଟକ ୧୭୬ ଜଣ, ଦେବଗଡ ଜିଲ୍ଲାରୁ ୩୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୬ ଜଣ, ଗଜପତି ଜିଲ୍ଲାରୁ ୩୧ ଜଣ, ଗଞ୍ଜାମ ଜିଲ୍ଲାରୁ ୪୯ ଜଣ, ଜଗତସିଂହପୁର ଜିଲ୍ଲାରୁ ୨୨ ଜଣ, ଯାଜପୁର ଜିଲ୍ଲାରୁ ୮୬ ଜଣ, ଝାରସୁଗୁଡା ଜିଲ୍ଲାରୁ ୨୩୪ ଜଣ, କଳାହାଣ୍ଡିରୁ ୧୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୨୫ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୭୫ ଜଣ, କୋରାପୁଟ ଜିଲ୍ଲାରୁ ୨୧ ଜଣ, ମାଲକାନାଗିରି ଜିଲ୍ଲାରୁ ୯ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୦୦ ଜଣ, ନବରଂଗପୁର ଜିଲ୍ଲାରୁ ୧୦୩ ଜଣ, ନୟାଗଡ ଜିଲ୍ଲାରୁ ୬୩ ଜଣ, ନୂଆପଡା ଜିଲ୍ଲାରୁ ୫୩୪ ଜଣ, ପୁରୀ ଜିଲ୍ଲାରୁ ୧୯୩ ଜଣ, ରାୟଗଡା ଜିଲ୍ଲାରୁ ୬୦ ଜଣ, ସମ୍ବଲପୁର ଜିଲ୍ଲାରୁ ୧୮୩ ଜଣ, ସୋନପୁର ଜିଲ୍ଲାରୁ ୪୭ ଜଣ ଏବଂ ଷ୍ଟେଟ ପୁଲରୁ ୧୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଔଷଧ ଉଦ୍ୟୋଗଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ଜରୁରୀ ଔଷଧ ଉତ୍ପାଦନ ବୃଦ୍ଧି ପାଇଁ ପରାମର୍ଶ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଉଦ୍ୟୋଗର ନେତୃବର୍ଗଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ମହାମାରୀ ବିରୋଧରେ ଲଢ଼େଇରେ ଔଷଧ ଉଦ୍ୟୋଗ ଜଗତର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
ଏପରି ସଂଘର୍ଷପୂର୍ଣ୍ଣ ସମୟରେ ମଧ୍ୟ ଦ୍ରୁତ ଗତିରେ କାର‌୍ୟ୍ୟ କରୁଥିବାରୁ ଔଷଧ ଉଦ୍ୟୋଗକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ମତ ଦେଇ କହିଥିଲେ ଯେ ଫାର୍ମା ଉଦ୍ୟୋଗର ପ୍ରୟାସ କାରଣରୁ ଭାରତ ଆଜି ‘ଫାର୍ମାସୀ ଅଫ ଓ୍ବାର୍ଲ୍ଡ’ ବା ବିଶ୍ବ ଔଷଧ ଜଗତର କେନ୍ଦ୍ର ଭାବେ ପରିଚିତ ହୋଇପାରିଛି। ସେ କହିଥିଲେ ଯେ ମହାମାରୀ ସମୟରେ ସାରା ବିଶ୍ବର ୧୫୦ଟି ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ସମସ୍ୟା ସତ୍ତ୍ବେ ଗତ ବର୍ଷ ରପ୍ତାନି କ୍ଷେତ୍ରରେ ଭାରତୀୟ ଔଷଧ ଉଦ୍ୟୋଗ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିପାରିଥିଲା, ଯାହାକି ଏହି କ୍ଷେତ୍ରର ସମ୍ଭାବନାକୁ ଉଜାଗର କରିଥାଏ।

କରୋନା ଭୂତାଣୁର ଦ୍ବିତୀୟ ଲହରୀ ଏବଂ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ବିଭିନ୍ନ ଜରୁରି ଔଷଧ ଉତ୍ପାଦନ ବଢ଼ାଇବା ନିମନ୍ତେ ପ୍ରୟାସ କରିଥିବାରୁ ଔଷଧ ଉଦ୍ୟୋଗକୁ ପ୍ରଶଂସା କରିଥିଲେ। ରେମଡିସିଭିର ଭଳି ଇଞ୍ଜେକ୍ସନର ମୂଲ୍ୟ ହ୍ରାସ ନିମନ୍ତେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ଔଷଧ ଓ ଅତ୍ୟାବଶ୍ୟକ ଚିକିତ୍ସା ସରଞ୍ଜାମ ଯୋଗାଣ ସୁଗମ କରିବା ସକାଶେ, ପ୍ରଧାନମନ୍ତ୍ରୀ ମୋଦୀ ଔଷଧ ଉଦ୍ୟୋଗ ଜଗତକୁ ବାଧାମୁକ୍ତ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ନିମନ୍ତେ ଅନୁରୋଧ କରିଥିଲେ। ଲଜିଷ୍ଟିକ୍ସ ଓ ପରିବହନ ପାଇଁ ସରକାରଙ୍କ ସହାୟତା ନିମନ୍ତେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର ସମର୍ଥନ ଜଣାଇଥିଲେ।

କୋଭିଡ ସମେତ ଭବିଷ୍ୟତରେ ଦେଖାଯିବାକୁ ଥିବା ବିପଦର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଗବେଷଣା ପାଇଁ ସେ ଏହି ଉଦ୍ୟୋଗ ଜଗତକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଏହା ଭୂତାଣୁ ମୁକାବିଲା କ୍ଷେତ୍ରରେ ଅଗ୍ରଣୀ ହେବା ପାଇଁ ଆମକୁ ସହାୟକ ହେବ।
ଔଷଧ ଉଦ୍ୟୋଗ ଠାରୁ ସହଯୋଗ ଆଶା କରି ପ୍ରଧାନମନ୍ତ୍ରୀ ନୂଆ ଔଷଧ ଏବଂ ନିୟାମକ ପ୍ରକ୍ରିୟାରେ ସରକାର ସଂସ୍କାର ଆଣିବେ ବୋଲି ଆଶ୍ବାସନା ଦେଇଥିଲେ।

ସରକାରଙ୍କ ପକ୍ଷରୁ ମିଳୁଥିବା ସକ୍ରିୟ ସହାୟତା ଓ ସହଯୋଗକୁ ଔଷଧ ଉଦ୍ୟୋଗର ନେତୃବର୍ଗ ପ୍ରଶଂସା କରିଥିଲେ। ଔଷଧ ଉତ୍ପାଦନ ଜାରି ରଖିବା ଏବଂ ଲଜିଷ୍ଟିକ୍ସକୁ କାର‌୍ୟ୍ୟକ୍ଷମ କରିବା ସୁନିଶ୍ଚିତ କରିବା ଲାଗି ଗତ ଏକ ବର୍ଷ ଧରି ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ଆଲୋକପାତ କରିଥିଲେ। ଔଷଧ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ ଉତ୍ପାଦନ, ପରିବହନ, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ସେବା ପାଇଁ ପରିଚାଳନା ପ୍ରକ୍ରିୟା ସର୍ବୋଚ୍ଚ ସ୍ତରରେ ବଜାୟ ରହିଛି।

ଦେଶରେ କୋଭିଡ ଚିକିତ୍ସା ପ୍ରୋଟୋକଲରେ ଉପଯୋଗ ହେଉଥିବା ଔଷଧର ଚାହିଦାରେ ଅଭୂତପୂର୍ବ ବୃଦ୍ଧି ସତ୍ତ୍ବେ ସାମଗ୍ରିକ ଔଷଧ ଚାହିଦା ପୂରଣ କରିବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଅଂଶଗ୍ରହଣକାରୀମାନେ ସୂଚନା ଦେଇଥିଲେ।