Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ବରିଷ୍ଠ କଂଗ୍ରେସ ନେତା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ନିବେଦନ କରିଛନ୍ତି। ଏହାସହିତ ନିର୍ବାଚନ ରାଲି ଉପରେ କଟକଣା ଲଗାଇବା ପାଇଁ ନିର୍ବାଚନ କମିଶନଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ ଅନୁରୋଧ କରିଛନ୍ତି।

କପିଲ ଟ୍ବିଟ କରି କହିଛନ୍ତି ଯେ, ସୁସ୍ଥ ସଂଖ୍ୟା ଠାରୁ ସଂକ୍ରମଣ ଦ୍ରୁତଗତିରେ ବଢୁଛି। ତେଣୁ ଦେଶରେ ସ୍ୱାସ୍ଥ୍ୟ ଜରୁରୀକାଳୀନ ଘୋଷଣା କରନ୍ତୁ ବୋଲି ମୋଦୀଙ୍କୁ ସିବଲ କହଛନ୍ତି।

ତେବେ ଭାରତରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୦୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୧ କୋଟି ୪୭ ଲକ୍ଷ ୮୮ ହଜାର ୧୦୯ କୁ ବୃଦ୍ଧି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି।

Categories
ଆଞ୍ଚଳିକ

ବାଲିକୁଦାର ଲବ୍ଧ ପ୍ରତିଷ୍ଠିତ ଲେଖକଙ୍କ ଶ୍ରଦ୍ଧାଞ୍ଜଳି ସଭା

ରମେଶ ମହାନ୍ତି
ଜଗତସିଂହପୁର: ବାଲିକୁଦା ବ୍ଲକ୍ ଓଷକଣା ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ଗଦାଧର ସ୍ବାଇଁଙ୍କ ଏକାଦଶାହ ଉପଲକ୍ଷେ ବାଲିକୁଦାର ପୂଜ୍ୟପୁଜା ସଂସଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସ୍ମତି ସଭା ଅନୁଷ୍ଠିତ ହୋଇଯାଇଛି। ପୂଜ୍ୟପୁଜା ସଂସଦ ସଭାପତି କୈଳାସ ଚନ୍ଦ୍ର ବିଶ୍ବାଳଙ୍କ ପୈାରହିତରେ ଅନୁଷ୍ଠିତ ଏହି ସଭାରେ ଶ୍ରଦ୍ଧାଞ୍ଜଳି ସଭାରେ ଗଦାଧର ସ୍ବାଇଁଙ୍କ ତୈଳଚିତ୍ର ନିକଟରେ ତିର୍ତ୍ତୋଲ ବ୍ଲକର ପୂର୍ବତନ ଶିକ୍ଷା ଅଧିକାରୀ ସୁକାନ୍ତ ରାୟ ପ୍ରଦୀପ ପ୍ରଜ୍ଜୋଳନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ସମ୍ପାଦକ ନରେଶ ଦାସ, ନାଉଗାଁ ବ୍ଲକ ଶିକ୍ଷକ ସଂଘର ସମ୍ପାଦକ ନରେଶ ଚନ୍ଦ୍ର ସାହୁ, ଓଷକଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜ୍ଞାନରଂଜନ ମହାନ୍ତି, ପଣ୍ଡିତ ଅଜୟ କୁମାର ମିଶ୍ର, ଶିକ୍ଷକ ବାମନ ଦାସ, ବିଶ୍ମୟ ମଲ୍ଲ ସମେତ ଶତାଧିକ ଶିକ୍ଷକ ,ଛାତ୍ର ଓ ନିକଟସ୍ଥ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ଗଦାଧର ସାର୍ ଙ୍କ ନିର୍ଭିକତା ଛାତ୍ରଛାତ୍ରୀ ବସ୍ରଳତା ଓ ସମାଜ ସଂସ୍କାରକଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ। ତାଙ୍କର ମୃତ୍ୟୁରେ ବାଲିକୁଦାର ଜଣେ ଲବ୍ଧ ପ୍ରତିଷ୍ଠିତ ଲେଖକ ତଥା ସମାଜ ସଂସ୍କାରକୁ ହରାଇଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

ପ୍ରକାଶଥାଉକି ମାଛଗାଁ ପଞ୍ଚାୟତର ଜମ୍ପର ଠାରେ ଗଦାଧର ସ୍ବାଇଁ ତା.୧୭.୦୧.୧୯୫୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ଗାଦିବ୍ରହ୍ମ ବିଦ୍ୟାପିଠ ଡିହସାହିରେ ସହକାରୀ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରି ଓଷକଣା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ। ହଠାତ ହୃଦଘାତରେ ତା. ୦୬.୦୪.୨୧ ରିଖ ରାତିରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ। ଗାଁ ମଶାଣିରେ ତାଙ୍କର ଶେଷକୃତ୍ବ ସମ୍ପର୍ଣ୍ଣ ହୋଇଥିଲା। ଏକମାତ୍ର ପୁଅ ତଥା ଶିକ୍ଷକ ଜ୍ଞାନ ରଞ୍ଜନ ସ୍ବାଇଁ ମୁଖାଗ୍ନୀ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱର ଛକ ନିକଟରୁ ୫.୫ ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ: ୩ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାକୁ ନେଇ ଜଙ୍କିଆ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏହାପରେ ଖୋର୍ଦ୍ଧା ଏସପିଙ୍କ  ନିର୍ଦ୍ଦେଶରେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ ମିଶ୍ର, ଜଙ୍କିଆ ଆଇଆଇସି ସତ୍ୟବ୍ରତ ଲେଙ୍କା, ନିରାକାରପୁର ଆଇଆଇସି ଭବାନୀ ଶଙ୍କର ଖୁଣ୍ଟିଆ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ବିଭିନ ସ୍ଥାନରେ ଚଢ଼ାଉ ଜାରି ରହିଥିଲା

ତେବେ ଗତକାଲି ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ୍ୟ ୧୦ ହଜାର ୩ ଶହ ୮୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟେ ଖଣ୍ଡା, ୫ଟି  ମୋବାଇଲ ଏବଂ ୩ଟି ମଟରସାଇକେଲ ଜବତ ହୋଇଛି। ଏନେଇ ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଆଜି ମଧ୍ୟାହ୍ନରେ ଜଙ୍କିଆ ଥାନାରେ ଏକ ପ୍ରେସମିଟ ଜରିଆରେ ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ଦିନ ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦  କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଲୁଟେରାମାନେ ଚାଳକଙ୍କୁ ଭୁଜାଲି ଓ  ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୫ ଲକ୍ଷ  ୫୦ ହଜାର ଟଙ୍କା ଲୁଟି ନେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ପ୍ରାଣ ହରାଇଲେ ୨ କରୋନା ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୯୪୪ କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି ବରଗଡ ଜିଲ୍ଲାରୁ ଜଣେ ୭୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ଜଣେ ୩୨ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୪ ହଜାର ୮୨୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୪୪ କୁ ବୃଦ୍ଧି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ: ଆସନ୍ତାକାଲିଠୁ ହେବ ସ୍ଵାଭାବିକ

ଭୁବନେଶ୍ବର: ଆଜି ରାଜ୍ୟରେ ୮ ଟି ଜିଲ୍ଲାରେ ଟୀକାଦାନ ବନ୍ଦ ରହିଥିବା ବେଳେ  ୪୨୭ ଟି କେନ୍ଦ୍ରରେ ଆଜି ଟୀକାଦାନ ଜାରି ରହିଛି। ବର୍ତ୍ତମାନ ୩ ଲକ୍ଷ ୧ ହଜାର ଟୀକା ଓଡିଶାରେ ମହଜୁଦ ଅଛି। ଆଜି ଆଉ ୨ ଲକ୍ଷ ଟୀକା ଓଡ଼ିଶାକୁ ଆସୁଛି। ଆସନ୍ତାକାଲିଠାରୁ ଟୀକାକରଣ ପ୍ରକ୍ରିୟା ସ୍ଵଭାବିକ ହୋଇପାରେ  ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଛତିଶଗଡ ସୀମା ସିଲ୍: କଳାବଜାରୀ ମାଲେମାଲ୍, ଖାଉଟୀ ହନ୍ତସନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୀମା ସିଲ ହେବା ଫଳରେ ଛତିଶଗଡର ରାୟପୁର ଓ ନାଗପୁର ଉପରେ ଭରସା କରୁଥିବା କଳାହାଣ୍ଡିର ସୀମାନ୍ତ ଅଂଚଳର ଖୁଚୁରା ବ୍ୟବସାୟୀ ଓ ଖାଉଟି ମାନେ ବେଶ ପ୍ରଭାବିତ ହୋଇଥିବା ଜଣାପଡିଛି। ଯାହାଫଳରେ ଅସାଧୁ ବ୍ୟବସାୟୀମାନେ ଗଳା ବାଟ ଖୋଜୁଥିବା ମଧ୍ୟ ଚର୍ଚ୍ଚା ହେଉଛି।

ବିଶେଷ କରି ନାଗପୁରରୁ ଫଳ, ପିଆଜ, ଚିନି ଇତ୍ୟାଦି ରାୟପୁର ମଧ୍ୟ ଦେଇ ଆସୁଥିବା ବେଳେ ଚାଉଳ, ଡାଲି, ଖାଇବା ତେଲ ଇତ୍ୟାଦି ରାୟପୁର ବଜାରରୁ ଧର୍ମଗଡ, ଜୁନାଗଡ ଅଂଚଳ ସମେତ ସମସ୍ତ ସୀମାନ୍ତବର୍ତ୍ତୀ ଅଂଚଳକୁ ଯୋଗାଣ ହୋଇଥାଏ।

ସେହିପରି କଳାହାଣ୍ଡି ଅଂଚଳରୁ ଭାଙ୍ଗ, ଗୁଡାଖୁ ଭଲି ଅନ୍ୟାନ୍ୟ ସାମଗ୍ରୀ ଉପରେ ରାୟପୁର ଅଂଚଳର ଖାଉଟୀ ନିର୍ଭର କରିଥାନ୍ତି। ସୀମା ସିଲ ହେବା ପରେ ବର୍ତ୍ତମାନ କେତେକ ଅସାଧୁ କଳାବଜାରୀ ବିଭିନ୍ନ ସାମଗ୍ରୀକୁ ଗୋଦାମରେ ଗଚ୍ଛିତ ରଖି ଦେଇ ଚଢାଦାମରେ ବିକ୍ରୀ କରୁଥିବା ଚର୍ଚ୍ଚା ହେଉଛି।

କଳାହାଣ୍ଡିର ସୀମାନ୍ତ ସନ୍ଧିକୁଲିହାରୀ ଠାରେ ମୂଖ୍ୟ ରାସ୍ତାକୁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଛତିଶଗଡର ଗରିଆବନ୍ଧ ର ଜିଲ୍ଲା ପ୍ରଶାସନ ସିଲ କରିଦେଇ ଗାଡି ଚଳାଚଳ ଉପରେ କଟକଣା କରିଦେବା ଫଳରେ ଚୋରା ବେପାରୀ ଓ ଅସାଧୂ ବ୍ୟବସାୟୀମାନେ ଗଳାବାଟ ଖୋଜି କଳାବଜାର କରୁଥିବା ଚର୍ଚ୍ଚା ହେଉଛି। କଳାହାଣ୍ଡିର ସୀମାନ୍ତ ଧର୍ମଗଡ ଓ ଜୁନାଗଡ ସହରରେ ଏହାର ଯଥେଷ୍ଟ ପ୍ରଭାବ ପଡିଥିବା ବେଳେ ଚିନି. ଡାଲି, ଖାଇବା ତେଲ ଭଲି ଅତ୍ୟାବଶ୍ୟକୀୟ ଖାଇବା ସାମଗ୍ରୀ ଗୁଡିକର ପାଇକାରୀ ଦରରେ କୋଡିଏରୁ ତିରିଶ ଟଙ୍କା ଅଧିକ ମୂଲ୍ୟ ବଢିଯାଇଥିବା ବେଳେ ଖୁଚୁରା ଦରରେ ଦଶରୁ ପଚାଶ ଟଙ୍କା ମୂଲ୍ୟ ବଢିଯାଇଥିବା ଜଣାପଡିଛି। ଯାହାଫଳରେ ସାଧାରଣ ଖାଉଟି ଉପରେ ସିଧାସଳଖ ପ୍ରଭାବ ପଡୁଛି।

ସେହିପରି ଜୁନାଗଡ, ଭବାନୀପାଟଣା ଆଦି ଅଂଚଳରୁ ଭାଙ୍ଗ, ଖଇନି, ଗୁଡାଖୂ ଭଲି ସାମଗ୍ରୀ ସଂପୃକ୍ତ ଅଂଚଳରେ ଉପଲବ୍ଧ ହେଉନଥିବା ଖାଉଟି ମହଲରେ ଆଲୋଚନା ହେଉଛି। ଏସବୁ ସାମଗ୍ରୀ ଅସାଧୁ ବେପାରୀ ମାନଙ୍କ ଦ୍ୱାରା ଛତିଶଗଡ ତଥା ଅନ୍ୟାନ୍ୟ ଅଂଚଳକୁ ଗଳାବାଟ ଦେଇ ଚୋରାଚାଲାଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇବାରେ ଲାଗିଛି। ପ୍ରଶାସନ ପକ୍ଷରୁ ଏସବୁ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି।

Categories
ଫଟୋ ଖବର

ଓଡିଶାର ପ୍ରସିଦ୍ଧ ଦେବୀ ମନ୍ଦିର ମା ସମଲେଶ୍ବରୀ ମନ୍ଦିର ସବୁବେଳେ ଭକ୍ତଙ୍କୁ କରେ ଆକୃଷ୍ଟ

ଓଡିଶାର ପ୍ରସିଦ୍ଧ ଦେବୀ ମନ୍ଦିର ମା ସମଲେଶ୍ବରୀ ମନ୍ଦିର ସବୁବେଳେ ଭକ୍ତଙ୍କୁ କରେ ଆକୃଷ୍ଟ

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ନାଭାଲ ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଲୁଗାଁ ଥାନା କର୍ମଚାରୀ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ବାଲୁଗାଁ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ସୂଚନା ମୁତାବକ ଆଜି ସକାଳ ୯ ଘଟିକା ସମୟରେ ବାଲୁଗାଁ ଥାନାର ଗୃହରକ୍ଷୀ ଜଗତ ଜୀବନ ସେଠି(୪୩) ବାଲୁଗାଁରୁ ନିଜ ସମ୍ପର୍କୀୟଙ୍କ ଘର କେଶପୁରକୁ ସ୍କୁଟି ଯୋଗେ ଯାଉଥିବା ବେଳେ ଚିଲିକା ରେଳ ଷ୍ଟେସନ ରୋଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା ଆମ ପ୍ରତିନିଧୀଙ୍କୁ ସୂଚନା ଦେଇଛନ୍ତି।

ଖବର ପାଇ ସଙ୍ଗେସଙ୍ଗେ ବାଲୁଗାଁ ଅଗ୍ନିଶମ ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଁଚି ଜଗତଙ୍କ ମୃତ ଶରୀରକୁ ରାସ୍ତାରୁ ଉଦ୍ଧାରକରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ବର୍ତ୍ତମାନ ନାଭାଲ ଫାଣ୍ଡି ଅଧିକାରୀ ଏବଂ ବାଲୁଗାଁ ଆଇଆଇସି ଦୁର୍ଘଟଣାସ୍ଥଳରେ ପହଁଚି ଉକ୍ତ ଦୁର୍ଘଟଣାର ଶୋକ ବ୍ୟକ୍ତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ତହସିଲରେ ସୂଚନା ଅଧିକାର ଆଇନ ବାଟବଣା: ଦରଖାସ୍ତକାରୀଙ୍କୁ ହଇରାଣରେ ପକାଇବାକୁ ଚକ୍ରାନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସୂଚନା ମିଳୁନଥିବା ବେଳେ ପ୍ରଥମ ଅପିଲର ମଧ୍ୟ ଶୁଣାଣି କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରୁଥିବା ଦରଖାସ୍ତକାରୀଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି।

ଜୁନାଗଡ ତହସିଲ ଅଫିସରେ ନିଜକୁ ଆରô୍ଥକ ପ୍ରଭାବଶାଳୀ ବୋଲି ଦାବୀ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ ଚାପ ପକାଇ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଭାବିତ କରି ବେଆଇନ ଭାବେ ନିଜସ୍ୱ ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ଯୋଜନା କରୁଥିବା ବେଳେ ଅନେକାଂଶରେ ସୂଚନା ଅଧିକାର ଆଇନ ସେମାନଙ୍କୁ ବାଧକ ହେଉଥିବା ମନେକରୁଛନ୍ତି। ଆଇନ ଅନୁସାରେ ସମସ୍ତଙ୍କୁ ଉଚିତ ସମାନ ନ୍ୟାୟ ପ୍ରଦାନ କରିବା ବ୍ୟବସ୍ଥା ଥିବା ବେଳେ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ଉପାୟରେ ବେଆଇନ କାଗଜାତ ଇତ୍ୟାଦି ପ୍ରସ୍ତୃତ କରି ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟ ର ସାର୍ଟିଫାଏଡ କପି ଆକାରରେ କିମ୍ବା ସୂଚନା ଅଧିକାର ଆଇନ ଅନୁସାରେ କପି ମିଳିବା ଆଇନ ସମ୍ମତ । ଜୁନାଗଡ ତହସିଲରେ ବେଆଇନ କାରବାର ହେଉଥିବା ସଂପର୍କରେ ସୂଚନା ଅଧିକାର ଆଇନରେ ସେସବୁର କପି ମିଳିବା ପାଇଁ ସୂଚନା ଦରଖାସ୍ତ ଦାଖଲ କରିଦେଲେ ସେସବୁର ପର୍ଦ୍ଦାଫାଶ ହୋଇଯିବା ଭୟରେ ଅସାଧୁ, ବେଆଇନ କାରବାର କରୁଥିବା ଲୋକେ ସୂଚନା ଦରଖାସ୍ତକାରୀ ମାନଙ୍କୁ ଚାପ ପକାଇବା ସହ ବିଭିନ୍ନ ଉପାୟରେ ହଇରାଣ କରୁଥିବା ଅଭିଯୋଗ ହେଉଛି।

ଜୁନାଗଡ ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟର କପି ସାର୍ଟିଫାଏଡ କପି ଦରଖାସ୍ତ ଯୋଗେ କେତେ ଜଣଙ୍କୁ ଠିକ ସମୟରେ ଯୋଗାଇ ଦିଆଯାଉନଥିବା ଉଦାହରଣ ରହିଛି। ଅନ୍ୟପକ୍ଷରେ ଆର୍ଥିକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ ହେବା ଦିନ ହିଁ କପି ଯୋଗାଇ ଦିଆଯାଇଥିବାର ଉଦାହରଣ ରହିଛି। ଅନ୍ୟପକ୍ଷରେ ସୂଚନା ଦରଖାସ୍ତ ଦାଖଲ କରି ଦୀର୍ଘ ଦିନ ବିତି ଯାଇଥିଲେହେଁ ସେସବୁର ତଥ୍ୟ ସୂଚନା ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହେଉଛି।

ଇତିମଧ୍ୟରେ ସୂଚନା ଦରଖାସ୍ତ ଦାଖଲକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ଯୋଗାଇ ଦେବାପାଇଁ ସୂଚନା ଦରଖାସ୍ତ/ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ କରାଯାଇଥିବା ଜଣାପଡିଛି। ଜୁନାଗଡ ତହସିଲରେ ସୂଚନା ଦରଖାସ୍ତ ଦାଖଲ କରି ସୂଚନା ପାଇଲେ କୌଣସି ବେଆଇନ କାରବାର କିମ୍ବା ଅମିୟମିତତା କାରବାରର ପର୍ଦ୍ଦାଫାଶ ହେଉ ଥାଇପାରେ ସେଥିପାଇଁ ହୁଏତ ସୂଚନା ଦରଖାସ୍ତକାରୀଙ୍କ ଦରଖାସ୍ତ ଗୁଡିକର କପି ମାଗୁଥିବା ବ୍ୟକ୍ତିଙ୍କର ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି। ଜୁନାଗଡ ତହସିଲ ଅଫିସରେ ସୂଚନା ଦରଖାସ୍ତ ଦାଖଲ କଲେ ଯଦିଓ ସୂଚନା ଦରଖାସ୍ତକାରୀ କୌଣସି ଆଇନର ଉଲ୍ଲଂଘନ କରୁଥିବା ଭଲି ମନେ ହୁଏ ତେବେ ତହସିଲଦାର ସେଥିପ୍ରତି ପଦକ୍ଷେପ ନେବା ଆଇନ ସମ୍ମତ କିନ୍ତୁ ସୂଚନା ଅଧିକାର ଆଇନ ଅନୁସାରେ ଦାଖଲ ହୋଇଥିବା ଦରଖାସ୍ତର କପି ଅନ୍ୟ ବ୍ୟକ୍ତିଙ୍କୁ କାହିଁକି ଓ କେଉଁ କାରଣ ପାଇଁ ଦିଆଯିବ ତାହା ମୂଖ୍ୟ ପ୍ରଶ୍ନବାଚୀସୃଷ୍ଟି ହୋଇଛି।

ସରକାରୀ ଅଫିସରେ ଥିବା ପବ୍ଲିକ ଡକ୍ୟୁମେଂଟ ବା ସରକାରୀ କାଗଜାତର ତଥ୍ୟ ସୂଚନା ର କପି ଯେକେହି ମଧ୍ୟ ମାଗିପାରିବ ହେଲେ ସୂଚନା ଦରଖାସ୍ତକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ମାଗିବା ନିଶ୍ଚିତ ଭାବେ ସଂପୃକ୍ତ ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।
ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ସ୍ଥଗିତ ହେଲା ଜେଇଇ ମେନ୍ ପରୀକ୍ଷା: ଖୁବ ଶୀଘ୍ର ଘୋଷଣା ହେବ ନୂଆ ତାରିଖ

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଜେଇଇ ମେନ୍ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଯୁଗ୍ମ ପ୍ରବେଶିକା, ଜେଇଇ (ମେନ୍) କୁ ସ୍ଥଗିତ ରଖାଯାଇଛି। ଚଳିତ ମାସ ୨୭, ୨୮ ଏବଂ ୩୦ ତାରିଖରେ ଏହି ପରୀକ୍ଷା ହେବାର ଥିଲା। ତେବେ ପୁଣି ଏକ ନୂଆ ତାରିଖ ଖୁବ ଶୀଘ୍ର ଘୋଷଣା ହେବ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ରାଜ୍ୟରେ ଆଜି ୩ ହଜାର ୬୬୪ କରୋନା ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ ରହିଛନ୍ତି କେତେ ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୬୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୩୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୮ ହଜାର ୨୫୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୪ ହଜାର ୮୨୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୪୩୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୩୮ କୁ ବୃଦ୍ଧି ହୋଇଛି।

ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୩୪୦ ଜଣ, ଅନୁଗୁଳ ୫୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୩୯ ଜଣ, ବରଗଡ ଜିଲ୍ଲାରୁ ୨୧୦ ଜଣ, ଭଦ୍ରକ ଜିଲ୍ଲାରୁ ୨୭ ଜଣ, ବଲାଙ୍ଗୀରି ଜିଲ୍ଲାରୁ ୭୯ ଜଣ, ବୌଦ୍ଧ ଜିଲ୍ଲାରୁ ୬ ଜଣ, କଟକ ୧୯୮ ଜଣ, ଦେବଗଡ ଜିଲ୍ଲାରୁ ୩୦ ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୭ ଜଣ, ଗଜପତି ଜିଲ୍ଲାରୁ ୬୩ ଜଣ, ଗଞ୍ଜାମ ଜିଲ୍ଲାରୁ ୬୬ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୮ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ, ଝାରସୁଗୁଡା ଜିଲ୍ଲାରୁ ୧୮୩ ଜଣ, କଳାହାଣ୍ଡିରୁ ୩୨୪ ଜଣ, କନ୍ଧମାଳ ଜିଲ୍ଲାରୁ ୧୬ ଜଣ, କେନ୍ଦ୍ରାପଡା ଜିଲ୍ଲାରୁ ୨୯ ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ ଜଣ, କୋରାପୁଟ ଜିଲ୍ଲାରୁ ୩୯ ଜଣ, ମାଲକାନାଗିରି ଜିଲ୍ଲାରୁ ୪ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୧୧୯ ଜଣ, ନବରଂଗପୁର ଜିଲ୍ଲାରୁ ୮୧ ଜଣ, ନୟାଗଡ ଜିଲ୍ଲାରୁ ୨୮ ଜଣ, ନୂଆପଡା ଜିଲ୍ଲାରୁ ୨୨୧ ଜଣ, ପୁରୀ ଜିଲ୍ଲାରୁ ୧୪୩ ଜଣ, ରାୟଗଡା ଜିଲ୍ଲାରୁ ୫୭ ଜଣ, ସମ୍ବଲପୁର ଜିଲ୍ଲାରୁ ୧୯୯ ଜଣ, ସୋନପୁର ଜିଲ୍ଲାରୁ ୧୬ ଜଣ ଏବଂ ଷ୍ଟେଟ ପୁଲରୁ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୬୧ ହଜାର ୫୦୦ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬ ୧ହଜାର ୫୦୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୪୭ ଲକ୍ଷ ୮୮ ହଜାର ୧୦୯ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୭ ହଜାର ୧୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୮ ଲକ୍ଷ ୯ ହଜାର ୬୪୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୧ ହଜାର ୩୧୬ ଆକ୍ଟିଭ୍‌ କେସ୍ ରହିଛି।

Categories
ଧର୍ମ ବିଶେଷ ଖବର

ଆଜି 18 ଏପ୍ରିଲରୁ ଆସନ୍ତା 24 ଏପ୍ରିଲ ପର୍ଯ୍ୟନ୍ତ କଣ ରହିଛି ଏହି ସପ୍ତାହର ରାଶିଫଳ, ଜାଣନ୍ତୁ

ମେଷ: – ଏହି ସପ୍ତାହ ଆପଣଙ୍କ ପ୍ରକୃତିରେ କ୍ରୋଧ ବଢିଇପାରେ । ଯାନକୁ ଅତି ଯତ୍ନର ସହିତ ଚଲାନ୍ତୁ ଏବଂ କୌଣସି ବିଷୟରେ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । କାରଣ ଏହି ସମୟ ଆପଣଙ୍କ ସପକ୍ଷରେ ନାହିଁ । ଏହି କାରଣରୁ, ଆପଣଙ୍କୁ ନିଜ ଲୋକଙ୍କ ବିରୋଧର ସାମ୍ନା କରିବାକୁ ପଡିପାରେ । ପାରିବାରିକ ଜୀବନ ଖୁସି ହେବ ଏବଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଯେଉଁଥିପାଇଁ ଆପଣଙ୍କ ପରିବାର ଏବଂ ବୃତ୍ତିଗତ ଜୀବନ ଭଲ ହେବ । ଗୋଟିଏରୁ ଅଧିକ ଉତ୍ସରୁ ଆୟ ହୋଇପାରେ । କିଛି ଖର୍ଚ୍ଚ ହେବ, କିନ୍ତୁ ଚିନ୍ତା କରିବାର କିଛି ନାହିଁ । ପିଲାମାନଙ୍କ ପାଇଁ ସମୟ ଭଲ ହେବ । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇବେ। ଆପଣ ଭାଇ ଓ ଭଉଣୀମାନଙ୍କର ସମର୍ଥନ ମଧ୍ୟ ପାଇବ ।

ବୃଷ: – ଏହି ସପ୍ତାହ ସାଙ୍ଗ ଏବଂ ବନ୍ଧୁମାନଙ୍କ ସମର୍ଥନ ପାଇବେ ଏବଂ ଆପଣ ସେମାନଙ୍କ ସହିତ ବୁଲିବା କିମ୍ବା ପାର୍ଟୀ ପାଇଁ ଯାଇପାରନ୍ତି । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ଯାହା ମନକୁ ଖୁସି କରିବ । ଆପଣଙ୍କ ବକ୍ତବ୍ୟରେ କିଛି ତିକ୍ତତା ଥାଇପାରେ ଯାହା ସମ୍ପର୍କକୁ ପ୍ରଭାବିତ କରିପାରେ । ଯାନକୁ ଯତ୍ନର ସହିତ ଚଲାନ୍ତୁ ଏବଂ ଅସ୍ତ୍ରଶସ୍ତ୍ରଠାରୁ ଦୂରରେ ରୁହନ୍ତୁ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ମଧ୍ୟ ଆପଣଙ୍କ ପାଇଁ ଆବଶ୍ୟକ ଅଟେ । ପିଲାମାନଙ୍କ ପାଇଁ ସମୟ ଭଲ ହେବ ଏବଂ ସେମାନେ ସେମାନଙ୍କର ସର୍ବୋତ୍ତମ ହାସଲ କରିବାକୁ ସମର୍ଥ ହେବେ । ଛାତ୍ରମାନଙ୍କ ପାଇଁ ମଧ୍ୟ ବହୁତ ଭଲ ସମୟ ଅଛି ଏବଂ ସେମାନଙ୍କର ସ୍ମୃତିର ବିକାଶ ହେବ ଏବଂ ସେମାନେ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ ।

ମିଥୁନ: – ଏହି ସପ୍ତାହରେ, ଆପଣଙ୍କର ପ୍ରକୃତି ହେତୁ, ଆପଣ ପରିସ୍ଥିତିକୁ କିଛି ପରିମାଣରେ ସ୍ୱାଭାବିକ କରିବାକୁ ସମର୍ଥ ହେବେ । କାର୍ଯ୍ୟ କ୍ଷେତ୍ରରେ ସମୟ ଆପଣଙ୍କ ପାଇଁ ଭଲ ଏବଂ ଆପଣ ଭଲ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ବିଦେଶୀ ଉତ୍ସରୁ ରୋଜଗାର କରିବାର ଏକ ଭଲ ସମ୍ଭାବନା ଅଛି । ଛାତ୍ରମାନଙ୍କୁ ପୁନର୍ବାର ଏକାଗ୍ରତା ଏବଂ କଠିନ ପରିଶ୍ରମ କରିବାକୁ ପଡିବ । ଆଧ୍ୟାତ୍ମିକ ଚିନ୍ତାଧାରା ଆପଣଙ୍କ ମନକୁ ଆସିବ ଏବଂ ଆପଣ ମଧ୍ୟ ଏକ ତୀର୍ଥଯାତ୍ରାରେ ଯାଇପାରିବେ ।

କର୍କଟ: – ଏହି ସପ୍ତାହ ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ଆଣିବ, କିନ୍ତୁ ସମ୍ପତ୍ତି ସହ ଜଡିତ କୌଣସି ବିବାଦ ରହିପାରେ । ଆପଣଙ୍କ ଭାଇଭଉଣୀଙ୍କ ପାଇଁ ସମୟ ବହୁତ ଭଲ ଏବଂ ଏହି ସମୟ ମଧ୍ୟରେ ସେମାନେ ବହୁତ ଖୁସିରେ ରହିବେ । ଆପଣ ମଧ୍ୟ ଯଥାସମ୍ଭବ ସେମାନଙ୍କୁ ସାହାଯ୍ୟ କରିବେ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ଯାତ୍ରା କରିପାରିବେ ଏବଂ ଏହି ଯାତ୍ରା ମଧ୍ୟ ଚିତ୍ତାକର୍ଷକ ହେବ ଏବଂ ଏହା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ପରିସ୍ଥିତି ଆପଣଙ୍କ ସପକ୍ଷରେ କାମ କରିବ ଏବଂ ଆପଣଙ୍କର ସହକର୍ମୀମାନେ ପ୍ରତ୍ୟେକ ସମ୍ଭାବ୍ୟ ଉପାୟରେ ଆପଣଙ୍କୁ ସାହାଯ୍ୟ କରିବେ । ସମୟ ପିଲାମାନଙ୍କ ପାଇଁ ଟିକେ ଅସୁବିଧାଜନକ ହୋଇପାରେ ଏବଂ ସେମାନେ କୌଣସି ବିଷୟରେ ବିରକ୍ତ ରହିବେ । ଶିକ୍ଷଣ କ୍ଷେତ୍ରରେ ଛାତ୍ରମାନେ କିଛି ଆହ୍ବାନର ସମ୍ମୁଖୀନ ହେବେ ଏବଂ ସେମାନଙ୍କର ଏକାଗ୍ରତା ହ୍ରାସ ପାଇବ । କିନ୍ତୁ ଯେଉଁମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି, ସେମାନେ ଭଲ ସଫଳତା ପାଇପାରିବେ ।

ସିଂହ: – ଏହି ସପ୍ତାହରେ ମାନସିକ ସ୍ତରରେ ବିଚଳିତ ହୋଇପାରନ୍ତି ଏବଂ କିଛି ଜିନିଷ ମଧ୍ୟ ଟେନସନ ସୃଷ୍ଟି କରିପାରେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ପାଇଁ ସର୍ତ୍ତଗୁଡିକ ବହୁତ ଭଲ ହେବ ଏବଂ ପଦୋନ୍ନତିର ସମ୍ଭାବନା ସ୍ଥିର ରହିବ । ଏହି ସମୟରେ କେବଳ କିଛି ଭୁଲ କରନ୍ତୁ ନାହିଁ, ଯାହାଫଳରେ ଏହି ସୁଯୋଗ ନଷ୍ଟ ହୋଇ ଯାଇପାରେ । ପାରିବାରିକ ଜୀବନରେ ସୁଖ ରହିବ ଏବଂ ଆପଣ ଏକ ନୂତନ ଯାନ କିମ୍ବା ଘର ମଧ୍ୟ କିଣି ପାରିବେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ ଏବଂ ବିବାଦ, କୋର୍ଟ କ୍ଷେତ୍ରରେ ବିଜୟ ହେବ ଏବଂ ଆପଣ ଆପଣଙ୍କ ପ୍ରତିପକ୍ଷଙ୍କ ଉପରେ ପ୍ରାଧାନ୍ୟ ଦେବ ।

କନ୍ୟା: – ଏହି ସପ୍ତାହରେ ପାରିବାରିକ ଜୀବନ ସ୍ୱାଭାବିକ ହେବ ଏବଂ ସୁଖ ଆସିବ ଏବଂ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଆପଣଙ୍କ ପାଇଁ ସମୟ ଭଲ ହେବ। ଯଦି ଆପଣଙ୍କ କାର୍ଯ୍ୟାଳୟରେ କୌଣସି ଅସୁବିଧା ଥାଏ, ତେବେ ଆପଣ ଏଥିରୁ ଆରାମ ପାଇବେ । ଧାର୍ମିକ କାର୍ଯ୍ୟକଳାପରେ ଖର୍ଚ୍ଚ ହୋଇପାରେ । ପିଲାଟି ପାଇଁ ଏହା ଏକ ଭଲ ସମୟ ଏବଂ ଏହି ସମୟ ମଧ୍ୟରେ ସେ ତାଙ୍କ ଜୀବନରେ ବହୁତ ଭଲ କାମ କରିବେ, ଯାହା ଆପଣଙ୍କୁ ଖୁସି କରିବ । ଆପଣ ମଧ୍ୟ ଏକ ପ୍ରକାର ପୌତୃକ ସମ୍ପତ୍ତି କିମ୍ବା ହଠାତ୍ ଟଙ୍କା ଲାଭ ପାଇବା ସମ୍ଭାବନା।

ତୂଳା: – ଏହି ସପ୍ତାହରେ ପାରିବାରିକ ଜୀବନ ସ୍ୱାଭାବିକ ହେବ । ଯଦି ଆପଣ ଏହି ସପ୍ତାହରେ କୌଣସି ବିବାଦ ଭିତରକୁ ନ ଯାଆନ୍ତି, ଏହା ଭଲ ଅଟେ । ଛାତ୍ରମାନଙ୍କ ପାଇଁ ସମୟ ବହୁତ ଭଲ ହେବ ଏବଂ ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବା ପାଇଁ ସମସ୍ତ ସମ୍ଭାବନା ଦେଖନ୍ତି । ଯଦି ଟଙ୍କା ସହିତ କାରବାର କରା ନ ଯାଏ ତେବେ ଏହା ଭଲ । ବିରୋଧୀମାନେ ଆପଣଙ୍କୁ ଅଧିକ ବିରକ୍ତିକର କରିବେ ଏବଂ ଆପଣ ମଧ୍ୟ କୋର୍ଟ ମାମଲାରେ ସଫଳତା ପାଇବେ। ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ।

ବିଛା : – ଏହି ସପ୍ତାହଟି ଏକ ଭଲ ଆରମ୍ଭ ହେବ, ସମୟ ଭଲ । ରୋଜଗାରର ଉପାୟରେ ବୃଦ୍ଧି ଘଟିବ । ଲାଭ ହେବାର ସମ୍ଭାବନା । ଆପଣ ସାଙ୍ଗମାନଙ୍କଠାରୁ ସମର୍ଥନ ପାଇବେ । ଏହି ସମୟ ମଧ୍ୟରେ ଯାହା ବି ଯୋଜନା ହୋଇଛି ତାହା ସମ୍ପୂର୍ଣ୍ଣ ହେବ । ବେକାର ଲୋକ ଚାକିରି ପାଇପାରିବେ । ଜମି-ସମ୍ପତ୍ତି ସମ୍ବନ୍ଧୀୟ ପ୍ରଶ୍ନ ଉଠିପାରେ । ଯାତ୍ରା ସହିତ ଏକ ସମସ୍ୟା ହୋଇପାରେ । ମାନସିକ ଏବଂ ଶାରୀରିକ କଷ୍ଟର ସମ୍ମୁଖୀନ ହୋଇପାରିବେ । ଟଙ୍କା ନଷ୍ଟ ହେବାର ସମ୍ଭାବନା ଅଛି। ଆପଣ କାର୍ଯ୍ୟକୁ ଆରାମ କରିବାକୁ ଦିଅନ୍ତୁ ନାହିଁ । ସମସ୍ୟା ଦ୍ୱାରା ନିରାଶ ହୁଅନ୍ତୁ ନାହିଁ, ତାହା କ୍ଷଣସ୍ଥାୟୀ ।

ଧନୁ: – ଏହି ସପ୍ତାହ ଆପଣଙ୍କ ପାଇଁ ଅନୁକୂଳ ଅଟେ । ଘର ଗାଡି ପାଇବାରେ ବିଳମ୍ବ ହେବ। ଏହା ସମ୍ଭବ । ପିଲାମାନଙ୍କର ଚିନ୍ତା ଅସୁବିଧା ହୋଇପାରେ । ଶିଶୁର ସମସ୍ୟାର ସମାଧାନ ହେବ । କ୍ୟାରିୟର ପ୍ରସଙ୍ଗରେ ଅନେକ ଯତ୍ନଶୀଳ ନିଷ୍ପତ୍ତି ନିଅ । ଆପଣଙ୍କ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ସୁଯୋଗ ରହିବ । ପିଲା ଏବଂ ବନ୍ଧୁମାନେ ଆପଣଙ୍କୁ ଉପକୃତ କରିବେ । ସାମାଜିକ ଭାବରେ, ଆପଣ ଅଧିକ ସକ୍ରିୟ ହେବେ । ଆୟ ବୃଦ୍ଧି ପାଇବ ।

ମକର : – ଏହି ସପ୍ତାହରେ କାର୍ଯ୍ୟଭାର ହାଲୁକା ହେତୁ ଆପଣ ମାନସିକ ସୁଖ ଅନୁଭବ କରିବେ । ସପ୍ତାହ ଆରମ୍ଭରେ ଶାରୀରିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ । କିଛି ଆୟରେ ବୃଦ୍ଧି ଘଟିବ । ସ୍ଥଗିତ କାର୍ଯ୍ୟ ମଧ୍ୟ ସମାପ୍ତ ହେବ । କିଛି ନୂତନ ଲୋକ ମଧ୍ୟ ଭେଟିବେ, ଯାହା ଆପଣଙ୍କ ଜୀବନରେ ଲାଭ ଦାୟକ ହେବ । ଆପଣ କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

କୁମ୍ଭ: – ଏହି ସପ୍ତାହ ବାହ୍ୟ ସ୍ଥାନ ପରିଦର୍ଶନ କରିବା ସମୟରେ ନଦୀ କିମ୍ବା ପୋଖରୀଠାରୁ ଦୂରରେ ରୁହନ୍ତୁ। ଘରର ଶୁଭ କାମରେ ବିଳମ୍ବ ହୋଇପାରେ । ବିବାହ ଇଚ୍ଛା କରୁଥିବା ଲୋକଙ୍କ ବିବାହରେ କିଛି ବିଘ୍ନ ହୋଇପାରେ । ପତି-ପତ୍ନୀଙ୍କ ମଧ୍ୟରେ ପାର୍ଥକ୍ୟ ଥାଇପାରେ। ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ଅର୍ଥନୈତିକ ପ୍ରସଙ୍ଗରେ ଅଧିକ ଧ୍ୟାନ ଦେବା ଜରୁରୀ ଅଟେ । କାମରେ ଆପଣ ସଫଳତା ପାଇବେ। ଆପଣ ଚାକିରିରେ ପଦୋନ୍ନତି ପାଇବେ । ବ୍ୟବସାୟ ଅଗ୍ରଗତି କରିବ । ବ୍ୟବସାୟରେ ମଧ୍ୟ ଏକ ଲାଭଦାୟକ ପରିସ୍ଥିତି ରହିବ । ଖ୍ୟାତି ଏବଂ ଖ୍ୟାତି ବୃଦ୍ଧି ପାଇବ।

ମୀନ: – ଅବିବାହିତଙ୍କ ବିବାହ ପାଇଁ ଏହି ସପ୍ତାହ ଶୁଭ ଅଟେ । ଜୀବନସାଥୀ ସହିତ ସମ୍ପର୍କରେ ମଧୁରତା ରହିବ । ଘରେ ମାଙ୍ଗଳିକ କାମ ହେବ । କିଛି ଅସୁବିଧାରେ ପଡ଼ିବେ। ନକାରାତ୍ମକ ଚିନ୍ତାଧାରାକୁ ମନକୁ ଆସିବାକୁ ଦିଅନ୍ତୁ ନାହିଁ । ସମସ୍ତଙ୍କ କଥାକୁ ହୃଦୟରେ ଶୁଣ। ବରିଷ୍ଠ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାର ଚିକିତ୍ସା ଆବଶ୍ୟକ ହୋଇପାରେ । ପଡୋଶୀ ସହିତ ବିବାଦ ହେବାର ସମ୍ଭାବନା ଅଛି । ଯଦି ଆପଣ ବୁଲିବାକୁ ବାହାରକୁ ଯାଆନ୍ତି, ତେବେ ନଦୀ, ହ୍ରଦ, ପୋଖରୀରେ ଭଲ ଭାବରେ ଗାଧୋଇବାକୁ ଯାଆନ୍ତୁ ନାହିଁ । ସୂର୍ଯ୍ୟଙ୍କ ଅନୁଗ୍ରହରେ ଶତ୍ରୁମାନଙ୍କ ଉପରେ ବିଜୟ ପାଇବେ।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ ନାଇଟ କର୍ଫ୍ୟୁ ପାଳନର ତଦାରଖ କଲେ ଖୋଦ ପୋଲିସ କମିଶନର

ଭୁବନେଶ୍ବର, ଆଜି ଉଭୟ କଟକ ଓ ଭୁବନେଶ୍ବରରେ ନାଇଟ କର୍ଫୁ ଜାରି କରାଯାଇଛି। ରାତି 9ଟାରୁ ସକାଳ 5ଟା ପର୍ଯ୍ୟନ୍ତ ଏହି କର୍ଫୁ ବଳବତ୍ତର ରହିବ। ସେଥିପାଇଁ ପୋଲିସ କମିଶନରେଟ ତରଫରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଖୋଦ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ରାଜଧାନୀର ବିଭିନ୍ନ ସ୍ଥାନକୁ ଯାଇ କଟକଣାକୁ ତଦାରଖ କରିଛନ୍ତି। ଲୋକମାନଙ୍କୁ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ଦୁଇ ମହାନଗରରେ ଏହି ଆଇନକୁ କଡାକଡି କରିବା ପାଇଁ 10 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିସହିତ 60ରୁ ଅଧିକ ଅଫିସର ଏହାର ତଦାରଖ କରୁଛନ୍ତି। ଲୋକଙ୍କୁ ଯାଞ୍ଚ କରିବା ପାଇଁ ବିଭିନ୍ନ ସ୍ଥାନରେ 25ଟି ଚେକିଂ ପଏଣ୍ଟ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଛତିଶଗଡ ଓଡିଶା ମଧ୍ୟରେ ଯାତାୟତ କରୁଥିବା ଟ୍ରେନକୁ ବନ୍ଦ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ବର, ଛତିଶଗଡରେ ବର୍ତ୍ତମାନ କରୋନା ପରିସ୍ଥିତି ସଂଗୀନ ହୋଇ ଉଠିଛି। ଏପରି ପରିସ୍ଥିତିରେ ଛତିଶଗଡ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ। ଏପରି ଏକ ଚିଠି ରାଜ୍ୟ ସରକାର କେନ୍ଦ୍ର ଗୃହ ବିଭାଗକୁ ଲେଖିଛନ୍ତି। ଅନ୍ତତଃ 15 ଦିନ ପାଇଁ ଟ୍ରେନ ଚଳାଚଳକୁ ବନ୍ଦ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଚିଠି ଲେଖିଛନ୍ତି।

କେନ୍ଦ୍ର ଗୃହ ସଚିବଙ୍କୁ ଲେଖିଥିବା ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଛତିଶଗଡ ସହିତ ଲୋକମାନେ ଯିବାଆସିବା କରିବା ଦ୍ବାରା ଓଡିଶାରେ ସଂକ୍ରାମିତ ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ପଡୋଶୀ ଜିଲ୍ଲାଗୁଡିକରେ ଏହି ସଂଖ୍ୟା ବୃଦ୍ଧି ପାଉଛି ବୋଲି କୁହାଯାଇଛି। ସେଥିପାଇଁ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନକୁ ବନ୍ଦ କରାଯାଉ ବୋଲି ମୁଖ୍ୟ ସଚିବ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଛତିଶଗଡ ଓଡିଶା ମଧ୍ୟରେ 18ଟି ସ୍ବତନ୍ତ୍ର ଟ୍ରେନ ଯାତାୟତ କରୁଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କରୋନା କଟକଣା: ଏଣିକି ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ରେଳବାଇ

ଭୁବନେଶ୍ବର, କୋଭିଡ୍ -୧୯ ମହାମାରୀ ସମୟରେ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ପ୍ରଶାସନ କଡା ପଦକ୍ଷେପ ଗ୍ରହଣ କରିଛି। ସାଧାରଣ ଜନତା ବିଶେଷକରି ଟ୍ରେନ୍ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀମାନେ ଷ୍ଟେସନ୍ ପରିସରରେ ଏବଂ ଟ୍ରେନ୍ ଯାତ୍ରା ସମୟରେ ବାଧ୍ୟତାମୂଳକ ଭାବରେ ଫେସ୍ ମାସ୍କ ପିନ୍ଧିବା ପାଇଁ କୁହାଯାଇଛି। କୋଭିଡ ନିୟମାବଳୀ ଅନୁସରଣ କରିବାକୁ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଅଛି।

ରେଳ ପରିସର ପ୍ରବେଶ କରିବା ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ବ୍ୟକ୍ତି କିମ୍ବା ରେଳ ବ୍ୟବହାରକାରୀ କିମ୍ବା ରେଳ ଯାତ୍ରୀ ମାସ୍କ ନ ପିନ୍ଧନ୍ତି କିମ୍ବା ସଠିକ ଭାବେ ମାସ୍କ ବ୍ୟବହାର କରୁ ନ ଥାନ୍ତି ତାହେଲେ ସେମାନେ ଛେପ ପକାଇବା ଏବଂ ସମାନ ପ୍ରକୃତିର କାର‌୍ୟ୍ୟ ଯାହାକି ଅପରିଷ୍କାର କରିବା କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି କରି ସାଧାରଣ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ନିୟମ ଆଧାରରେ ପରିଗଣିତ ହେବେ। କୋଭିଡ ମହାମାରୀଙ୍କୁ ନିୟନ୍ତ୍ରଣ କରିବାକୁ ଷ୍ଟେସନ ପରିସରରେ ଏବଂ ଟ୍ରେନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଜରୁରୀ ଅଟେ ଏବଂ ରେଳବାଇ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯାଇଅଛି।

ତେଣୁ ରେଳ ପରିସର ଏବଂ ଟ୍ରେନରେ ସମସ୍ତ ବ୍ୟକ୍ତି ବିଶେଷ ଭାବେ ରେଳ ବ୍ୟବହାରକାରୀ ଏବଂ ଯାତ୍ରୀ ମାନେ ମାସ୍କ ପିନ୍ଧିବା ନିଶ୍ଚିତ କରିବାକୁ ରେଳବାଇ ପକ୍ଷରୁ ରେଳ ପରିସର ଏବଂ ଟ୍ରେନରେ ମାସ୍କ ନ ପିନ୍ଧିଥିବା ବ୍ୟକ୍ତିଙ୍କ ଠାରୁ ୫୦୦ ଟଙ୍କା ପର‌୍ୟ୍ୟନ୍ତ ଜୋରିମାନା ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି।

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ବିଭାଗ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ରେଳବାଇ ମଧ୍ୟ ଷ୍ଟେସନ ଏବଂ ଟ୍ରେନରେ ଯାତ୍ରା କରିବା ସମୟରେ ଏହି ନିର୍ଦ୍ଦେଶାବଳୀକୁ ଅନୁସରଣ କରିବା ପାଇଁ ପଦକ୍ଷେପ ନେଇଛି।

ପୂର୍ବତଟ ରେଳପଥ ଏହାର ସମସ୍ତ ଯାତ୍ରୀ ଓ ରେଳ ବ୍ୟବହାରକାରୀଙ୍କୁ ଷ୍ଟେସନ ପରିସର ଏବଂ ଟ୍ରେନରେ ଫେସ୍ ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ପାଇଁ ତଥା କରୋନା ଭୁତାଣୁକୁ ସଂକ୍ରମଣ ନ କରାଇବା ପାଇଁ କିମ୍ବା ଅପରିଷ୍କାର ପରିସ୍ଥିତି ସୃଷ୍ଟି ନକରିବାକୁ ନିବେଦନ କରିଛି। ଯାହା ଦ୍ୱାରା ଜୀବନ ତଥା ଜନସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଥିବା ମହାମାରୀଙ୍କୁ ଏଡାଇ ଦିଆଯାଇ ହେବ ବୋଲି ରେଳବାଇ ତରଫରୁ କୁହାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

କୋଭିଡ କଟକଣା ଭିତରେ ବିଜେଡି କାର୍ଯ୍ୟାଳୟରେ ପାଳିତ ହେଲା ବିଜୁ ଶ୍ରାଦ୍ଧ ଦିବସ

ଭୁବନେଶ୍ବର, କୋଭିଡ କଟକଣା ଭିତରେ ଆଜି ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ 24 ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ପ୍ରଥମେ ଦଳର କର୍ମକର୍ତ୍ତା ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

ଏହାପରେ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନାବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ଟୁକୁନି ସାହୁ ଏବଂ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଘୋଷଣା ହେଲା ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରାଯାଇଛି। ଏପ୍ରିଲ ୧୭ ତାରିଖରେ ଏହି ନିର୍ବାଚନ ହେବାର ଥିଲା। କିନ୍ତୁ ଏବେ ଏହି ଉପନିର୍ବାଚନ ମେ’ ୧୩ ତାରିଖରେ ହେବ ବୋଲି ସୂଚନା ରହିଛି। ଏବଂ ମେ’ ୧୬ ତାରିଖ ଏହାର ଭୋଟ ଗଣତି ହେବ। ଏନେଇ ସିଇଓଙ୍କ କାର୍ଯ୍ଯାଳୟରୁ ସୂଚନା ମିଳିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ନୂଆପଡ଼ାରୁ ୨୩୩, ଖୋର୍ଦ୍ଧାରୁ ୧୪୯, ସୁନ୍ଦରଗଡରୁ ୧୩୧, ଅନୁଗୁଳରୁ ୭୩, କେନ୍ଦୁଝରରୁ ୬୪, ବରଗଡରୁ ୫୪, ଗଞ୍ଜାମରୁ ୫୨, ମୟୂରଭଞ୍ଜରୁ ୫୨, କଟକରୁ ୫୦, ସମ୍ବଲପୁରରୁ ୫୦, ପୁରୀରୁ ୪୫, ବଲାଙ୍ଗିରୀରୁ ୪୪, ରାୟଗଡ଼ାରୁ ୪୪, କଳାହାଣ୍ଡିରୁ ୪୩, ଝାରସୁଗୁଡାରୁ ୩୨, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ବାଲେଶ୍ବରରୁ ୨୨, ଭଦ୍ରକରୁ ୧୭, ଗଜପତିରୁ ୧୪, ନୟାଗଡରୁ ୧୦, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୯, ଜଗତସିଂହପୁରରୁ ୭, ଦେବଗଡରୁ ୬, କୋରାପୁଟରୁ ୪, ସୋନପୁରରୁ ୪, ମାଳାକନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୪ ହଜାର ୮୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୬୪ ହଜାର ୫୯୪ କୁ ବୃଦ୍ଧି ହୋଇଛି। ତେବେ ୧୭ ହଜାର ୭୭୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୩୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧: ସୁସ୍ଥ ହେଲେ ୧୧୭ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୫୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ୩୪୧ କୁ ବୃଦ୍ଧି ହୋଇଛି।

ସେହିପରି ଆଜି ଭୁବନେଶ୍ବରରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୭୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୩୧୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Categories
ଫଟୋ ଖବର

ପଶ୍ଚିମ ବଂଗ ନିର୍ବାଚନ ପ୍ରଚାରରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ସାହା

ପଶ୍ଚିମ ବଂଗ ନିର୍ବାଚନ ପ୍ରଚାରରେ ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ସାହା