
ନୂଆଦିଲ୍ଲୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣ ଏବଂ ଯୁଗ୍ମ ସଚିବ ଲବ ଅଗ୍ରୱାଲ ଉପ ରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଏଲୁରୁର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ କରିଛନ୍ତି । ଏକ ଅଜ୍ଞାତ ରୋଗରେ ଆକ୍ରାନ୍ତ ହୋଇ ଆନ୍ଧ୍ରପ୍ରଦେଶ ଏଲୁରୁ ଅଞ୍ଚଳର ଅନେକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଜ୍ଞାତ ରୋଗରେ ଆକ୍ରାନ୍ତ ହେଉଥିବା ଲୋକମାନଙ୍କ ମୁଣ୍ଡ ବିନ୍ଧିବା ଏବଂ ବାନ୍ତି ହେଉଥିବା ଲକ୍ଷଣ ଥିବା ଜଣାଯାଇଛି।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କ ସହ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଉପରାଷ୍ଟ୍ରପତି ଆଲୋଚନା କରିବା ପରେ କେନ୍ଦ୍ର ସରକାର ଡିସେମ୍ବର ୮, ୨୦୨୦ରେ ଏକ ମେଡିକାଲ ବିଶେଷଜ୍ଞ ଦଳକୁ ଏଲୁରୁ ପଠାଇଥିଲେ।
ଏଲୁରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା କେନ୍ଦ୍ରୀୟ କମିଟିର ପ୍ରାଥମିକ ଅନୁସନ୍ଧାନ ବିଷୟରେ ସ୍ୱାସ୍ଥ୍ୟ ସଚିବ ନାଇଡୁଙ୍କୁ ସୂଚନା ଦେଇଛନ୍ତି । ସଚିବ କହିଛନ୍ତି ଯେ, କେନ୍ଦ୍ରୀୟ ଦଳ ଦିଲ୍ଲୀ ଫେରିବା ପରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯିବ ଏବଂ ସେହି ଅନୁଯାୟୀ ଆବଶ୍ୟକ ପରାମର୍ଶ ପ୍ରଦାନ କରାଯିବ।
ଉପରାଷ୍ଟ୍ରପତିଙ୍କୁ କୁହାଯାଇଥିଲା ଯେ, ୧୧ ଡିସେମ୍ବର, ୨୦୨୦ରେ କେବଳ ୦୨ ଟି ନୂଆ ମାମଲା ରୁଜୁ ହୋଇଥିବା ବେଳେ ଏଲୁରୁରେ ନୂତନ ମାମଲା ସଂଖ୍ୟା ତୀବ୍ର ଗତିରେ ହ୍ରାସ ପାଇଛି। ନାଇଡୁ ସ୍ୱାସ୍ଥ୍ୟ ସଚିବଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ଏବଂ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଥିଲେ।