ନୂଆଦିଲ୍ଲୀ : ନୂତନ କୃଷିବିଲ୍କୁ ବିରୋଧ କରି ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ଉଦ୍ବୋଧନ କରିଛନ୍ତି । ଏହି ଅବସରରେ କଂଗ୍ରେସକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଚାଷୀଙ୍କ ପାଇଁ ଆସିଥିବା ଆଇନ୍, ପ୍ରଥମେ ସେମାନେ ଚେଷ୍ଟା କରିଥିଲେ । ସେମାନେ ଘୋଷଣାପତ୍ରରେ ଏସମସ୍ତବିଷୟରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ସେହି ସମାନ ବ୍ୟବସ୍ଥା କରାଯିବାରୁ ମୋଦିକୁ ଟାର୍ଗେଟ କରୁଛନ୍ତି । କେବଳ ସେମାନଙ୍କ ହାତରୁ କ୍ରେଡିଟ୍ ଚାଲିଯିବା ଭୟରେ ଟାର୍ଗେଟ୍ କରୁଛନ୍ତି ବୋଲି ମୋଦି କହିଛନ୍ତି ।
ସବୁ କ୍ରେଡିଟ୍ ସେମାନେ ନିଅନ୍ତୁ, ମୁଁ ଚାଷୀଙ୍କ ପାଇଁ କାମ କରୁଛି ବୋଲି କହିଛନ୍ତି ମୋଦି । ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜନୈତିକ ସ୍ବାର୍ଥ ସାଧନ ପାଇଁ ସେମାନେ ଚାଷୀଙ୍କୁ ବ୍ୟବହାର କରୁଛନ୍ତି ବୋଲଇ କହିଛନ୍ତି ମୋଦି । ସେହିପରି ମଣ୍ଡି ଓ ଏମ୍ଏସ୍ପିକୁ ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇନ୍ ପୂର୍ବରୁ ମଣ୍ଡି ଚାଲିଥିଲା, ଏବେବି ମଣ୍ଡି ଚାଲିଛି। ଆଇନ୍ ପୂର୍ବରୁ ଏମ୍ଏସ୍ପି ଚାଲିଥିଲା ଏବେବି ଏମ୍ଏସ୍ପି ଚାଲିଛି ବୋଲି କହିଛନ୍ତି ମୋଦି । ସେହିପରି ଏମ୍ଏସ୍ପି ଚାଲୁଛି ଓ ଆଗକୁ ଚାଲୁ ରହିବ ବୋଲି କହିଛନ୍ତି ମୋଦି । ସରକାର ସବୁ ଶସ୍ୟ ଉପରେ ଏମ୍ଏସ୍ପି ବୃଦ୍ଧି କରିଛନ୍ତି । ଚାଷୀଙ୍କ ଅଯଥାରେ ବିଭ୍ରାନ୍ତ କରାଯାଉଛି । ବଡ ଷଡଯନ୍ତ୍ର ଚାଲିଛି ବୋଲି କହିଛନ୍ତି ମୋଦି ।