ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଜିଆର୍ପି ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲି ରେଳଧାରଣା ନିକଟରେ ଜନୈକ ଜମି ବ୍ୟବସାୟୀ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ଆଙ୍କୁଲି ଖଳା ସାହିର ଗୋପାଳ କୃଷ୍ଣ ପଣ୍ଡା (୫୨) ଓରଫ୍ ଟିଟୁ ପଣ୍ଡା।
କିଛି ଦିନ ହେଲା ପ୍ଲଟ୍ ବ୍ୟବସାୟ କାରଣରୁ ମାନସିକ ଦୁଶ୍ଚିନ୍ତାରେ ଥିବା ଟୁଟୁ ଆଜି ସକାଳେ ରେଳଧାରଣା ନିକଟକୁ ନିଜ ବାଇକ୍ରେ ଆସି ଜଳଖିଆ ଖାଇବା ପରେ ନିକଟସ୍ଥ ଏକ ବୁଦା ମୂଳେ ଲୁଚି ରହିଥିଲେ। ସେହି ସମୟରେ ଭୁବନେଶ୍ୱର-ସିକନ୍ଦରାବାଦ୍ ଭିସାଖା ଏକ୍ସପ୍ରେସ୍ ଯିବା ବେଳେ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ।
ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଜିଆର୍ପି ଥାନା ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କର ପୁଅ-ଝିଅ ଏବଂ ସ୍ତ୍ରୀ ଥିବାବେଳେ କିଛିଦିନ ତଳେ ଘରେ ମଧ୍ୟ ପାରିବାରିକ ଅଶାନ୍ତି ଲାଗି ରହିଥିଲା। କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କ ସହ କୌଣସି କଥାକୁ ନେଇ ଗଣ୍ଡଗୋଳ ହୋଇଥିବା ଶୁଣିବାକୁ ମିଳୁଛି।