ନୂଆଦିଲ୍ଲୀ : ଦିଲ୍ଲୀର ଶାହିନ୍ ବାଗ୍ଠାରେ ସିଏଏବିରୋଧୀ ଆନ୍ଦୋଳନରେ ଗୁଳି କରି ଚର୍ଚ୍ଚାକୁ ଆସିଥିବା କପିଲ୍ ଗୁର୍ଜର ଓରଫ୍ କପିଲ୍ ବୈସଲା ବିଜେପିରେ ଯୋଗଦାନ କରିଛନ୍ତି । ଗାଜିଆବାଦ ବିଜେପି ସଙ୍ଗଠନରେ ଜଡିତ ଥିବା ପଦାଧିକାରୀ ଆଜି କପିଲ୍ଙ୍କୁ ବିଜେପିର ସଦସ୍ୟତା ଦେଇଛନ୍ତି । ବିଜେପି ହିନ୍ଦୁତ୍ବ ପାଇଁ କାର୍ଯ୍ୟ କରୁଛି, ଏଥିପାଇଁ ସେ ଏହି ଦଳରେ ଯୋଗଦାନ କରିଛନ୍ତି ବୋଲି କହିଛନ୍ତି କପିଲ୍ ।
ଚଳିତ ବର୍ଷର ପ୍ରାରମ୍ଭରେ ଯେତେବେଳେ ଦିଲ୍ଲୀର ଶାହିନ୍ ବାଗଠାରେ ସିଏଏ ଓ ଏନ୍ଆରସିକୁ ନେଇ ଆନ୍ଦୋଳନ ଚାଲିଥିବା ସମୟରେ ଗୁଳିକାଣ୍ଡ ଘଟିଥିଲା । ଏହି ଗୁଳିକାଣ୍ଡରେ କପିଲ୍ ଗୁର୍ଜରକୁ ପୋଲିସ୍ ଗିରଫ କରିଥିଲା । ପୂର୍ବ ଦିଲ୍ଲୀର ଦଲ୍ଲପୁରା ଅଞ୍ଚଳର କପିଲ୍ ଫେବୃଆରୀ 1 ତାରିଖରେ ସିଏଏ ପ୍ରଦର୍ଶନକାରୀଙ୍କୁ ଚେତାବନୀ ଦେଇ ତିନିଥର ହାଓ୍ବାରେ ଗୁଳି ଚଳାଇଥିଲେ । ଗୁଳି ଚଳାଇବା ସହ ସାମ୍ପ୍ରଦାୟିକ ନାରା ବି ଲଗାଇଥିଲେ କପିଲ୍ ।