ମୁମ୍ବାଇ : କରୋନା ଭାରତୀୟ ଜନ ଜୀବନରେ ବେଶ୍ ପ୍ରଭାବ ପକାଇଛି । ବିଶେଷ ଭାବରେ ଭକ୍ତଙ୍କ ଆସ୍ଥାରେ ବିରାଟ ପାଚେରୀ ପରି ଠିଆ ହୋଇଛି କରୋନା । ଦୀର୍ଘ ସାତ/ ଆଠ ମାସ ଧରି ଲୋକେ ମନ୍ଦିର ତଥା ଧର୍ମାନୁଷ୍ଠାନକୁ ଯାଇପାରିନଥିବାବେଳେ ଅନଲକ୍ ପର୍ଯ୍ୟାୟରେ ଭାରତର ସମସ୍ତ ଧର୍ମାନୁଷ୍ଠାନ ପର୍ଯ୍ୟାକ୍ରମେ ଖୋଲିଛି । ମନ୍ଦିର ତଥା ଧର୍ମାନୁଷ୍ଠାନ ଖୋଲାଯାଇଛି ସତ କିନ୍ତୁ ଏବେବି ଭକ୍ତ ଓ ଭଗବାନଙ୍କ ପାଇଁ କଟକଣା ରଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ଅଳ୍ପ ସଂଖ୍ୟକ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳୁଛି । ତେବେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର କରୋନା ସମୟରେ ଦର୍ଶନକୁ ନେଇ ଏକ ଅଭିନବ ଉପାୟ ବାହାର କରିଛି । ଏଠାରେ ନୂତନ ବର୍ଷ ଅର୍ଥାତ୍ ଜାନୁଆରୀ 1 ତାରିଖରୁ 800 ଶ୍ରଦ୍ଧାଳୁଙ୍କୁ ଅନଲାଇନ୍ ବୁକିଂ ଜରିଆରେ ଦର୍ଶନ ଦିଆଯିବ । ଏହି ଦର୍ଶନ ପାଇଁ ଅନ୍ଲାଇନ୍ ବୁକିଂ କରିବାକୁ ପଡିବ ।
ଜାନୁଆରୀ 1 ତାରିଖରୁ ସକାଳ 7ଟାରୁ ଦ୍ବିପ୍ରହର 12ଟା ପର୍ଯ୍ୟନ୍ତ ଦର୍ଶନ କରିହେବ । ଏହାପରେ ଅଧଘଣ୍ଟା ପାଇଁ ବ୍ରେକ୍ ରହିବ । ଏହାପରେ ପୁଣି ସନ୍ଧ୍ୟା 7 ଘଟିକା ପର୍ଯ୍ୟନ୍ତ ଦର୍ଶନ କରିହେବ । ସେହିପରି ସନ୍ଧ୍ୟା 8ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ଏଥିପାଇଁ ଅନଲାଇନ୍ ବୁକିଂର ବ୍ୟବସ୍ଥା କରାଯାଇଛି। କ୍ୟୁଆର କୋଡ୍ ଜରିଆରେ ସିଦ୍ଧି ବିନାୟକ ମନ୍ଦିରର ଦର୍ଶନ କରିହେବ ।
1801 ମସିହାରେ ନିର୍ମାଣ ହୋଇଥିବା ଏହି ମନ୍ଦିରଟି ଭାରତର ପ୍ରସିଦ୍ଧ ମନ୍ଦିର ଭିତରୁ ଅନ୍ୟତମ । ଏଠାରେ ଗଣପତି ବାପ୍ପାଙ୍କୁ ଦର୍ଶନ ପାଇଁ ଦେଶ ବିଦେଶରୁ ଲୋକ ଆସିଥା’ନ୍ତି । ଏଠାରେ ଭଗବାନ ଶ୍ରୀଗଣେଶଙ୍କର ଶୁଣ୍ଢ ଡାହାଣ ଆଡକୁ ମୋଡି ହୋଇ ରହିଥାଏ । ଗଣପତିଙ୍କ ଏପରି ପ୍ରତିମା ଥିବା ମନ୍ଦିରଟି ସିଦ୍ଧପୀଠ କୁହାଯାଏ । ଏଥିପାଇଁ ଏଠାରେ ଶ୍ରୀଗଣେଶଙ୍କୁ ସିଦ୍ଧି ବିନାୟକ କୁହାଯାଏ ।