
ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାସ୍ତବ ଟିକାକରଣ ଭଳି ଡ୍ରାଏ ରନ୍ ଚାଲିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯାଉଛି।
ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ପୋଲିଓ ଟିକାକାରଣ ବେଳେ ମଧ୍ୟ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ସେହି ଟିକା ଏବେ ସଫଳ ହୋଇଛି। ଏବଂ ଦେଶ ଆଜି ପୋଲିଓ ମୁକ୍ତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ କରୋନା ଟୀକା ମୁକ୍ତରେ ମିଳିବ ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି।