କୋଲକୋତା: ଆଉ ଜଣେ ତୃଣମୁଳ କଂଗ୍ରେସ ସାଂସଦ ଦଳ ଛାଡିବା ନେଇ ଆଲୋଚନା ହେଉଛି। ସାଂସଦ ଶତାବ୍ଦୀ ରାୟ ଦଳ ଛାଡିବା ନେଇ ଆଲୋଚନା ଜୋର ଧରିଛି। ସେ ଦଳ ଉପରେ ଅସନ୍ତୋଷ ଥିବାରୁ ଏଭଳି ଆଲୋଚନା ହେଉଛି। ଶତାବ୍ଦୀ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ, ତାଙ୍କୁ କୌଣସି କାମ କରିବା ପାଇ ଦିଆଯାଉ ନାହିଁ। ଏହା ଭିତରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯୋଜନା କରିଛନ୍ତି।
ତେବେ ଏନେଇ ତାଙ୍କୁ ପଚରାଯିବାରୁ ସେ କହିଲେ ଯେ, ଜଣେ ସାଂସଦ ହିସାବରେ ମୁଁ କାହା ସହିତ ବି ଭେଟି ପାରିବି। ଏଥିରେ କଣ ଅସୁବିଧା ଅଛି? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ମତେ ତିଆରି କରି ନାହିଁ। ପୂର୍ବରୁ ମୁ ଜଣେ ଷ୍ଟାର ଥିଲି। ମତେ ଦଳ ପକ୍ଷରୁ ଏକ ରୋଡ ଶୋ’ ପାଇଁ ଡକାଯାଇଥିଲା। ତାପରେ ମମତା ବାନାର୍ଜୀ ମତେ ଦଳରେ ମିଶିବା ପାଇଁ କହିଥିଲେ।
ତେବେ ଟିଏମସିରେ ଲଗାତର ଭାବେ ବିରୋଧ ବଢୁଥିବା ପ୍ରଶ୍ନରେ ଶତାବ୍ଦୀ କହିଥିଲେ ଯେ, ଯଦି ଦଶରୁ ଅଧିକ ଲୋକ ଗୋଟିଏ କଥା କହୁଛନ୍ତି, ତାହେଲେ କିଛି ତ ଭୁଲ ଥିବ। ତେବେ ଦଳ ପକ୍ଷରୁ ଶତାବ୍ଦୀ ରାୟକୁ ବୁଝାଶୁଝା କରାଯାଉଥିବା କୁହାଯାଉଛି। ଟିଏମସି ସାଂସଦ ସୌଗତ ରାୟ ଏନେଇ କହିଛନ୍ତି ଯେ, ଶତାବ୍ଦୀ ଏବେ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଯଦି କିଛି ସମସ୍ୟା ଅଛି ତେବେ ଦଳ ତାଙ୍କ ସହିତ ଆଲୋଚନା କରିବ।