ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ଧୀରେ ଧୀରେ ଓଡିଶା ସୀମାରେ ପ୍ରବେଶ କରୁଥିବା ଖବର ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ ଅନେକ ଦିନ ହେଲା ଓଡିଶା ସୀମା ଭିତରେ ଥିବା ଗାଁକୁ ନିଜ ରାଜ୍ୟରେ ମିଶାଇବାକୁ ଚେଷ୍ଟା କରୁଛି।
ତେବେ ଆନ୍ଧ୍ରପ୍ରଦେଶ ଏନେଇ ଏକ ବଡ ଷଡଯନ୍ତ୍ର ଆରମ୍ଭ କରିଦେଇଛି। ଓଡିଶାର ଗାଁଗୁଡିକର ନାମ ପରିବର୍ତ୍ତନ କରି ଆସନ୍ତା ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ଆନ୍ଧ୍ରପ୍ରଦେଶର ସ୍ଥାନୀୟ ପ୍ରଶାସନ ସେହି ଗ୍ରାମଗୁଡିକରେ ନିର୍ବାଚନରେ ପ୍ରାର୍ଥୀ ହେବା ଲାଗି ନାମାଙ୍କନ ପତ୍ର ଦାଖଲ ହୋଇଥିବା ନେଇ ଦାବି କରିଛି। ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ଏହି ସବୁ ଗାଁରୁ ପ୍ରାୟ ୧୫ ନାମାଙ୍କନ ପତ୍ର ଦାଖଲ ହୋଇଛି। ନିର୍ବାଚନ ଲାଗି ୩ ଟି ଗାଁରୁ ୧୫ ଜଣଙ୍କ ପ୍ରାର୍ଥୀପତ୍ର ଦାଖଲ ହୋଇଛି। ଓଡିଶାର ତଳଗଞ୍ଜେଇ ପଦରକୁ ଆନ୍ଧ୍ର ଗଞ୍ଜେଇବାଦ୍ରା ନାମରେ ନାମିତ କରିଛି। ଏହି ଗାଁରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତଳଗଞ୍ଜେଇ ପଦର ୩ ଜଣ ସରପଞ୍ଚ ପାଇଁ ନାମାଙ୍କନ ଦାଖଲ କରିଥିବା ବେଳେ ୧୦ ଜଣ ୱାର୍ଡ଼ ସଭ୍ୟ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।
ସେହିପରି ଓଡ଼ିଶାର ପଟୁସୁନେରାକୁ ଆନ୍ଧ୍ର ପଟୁଚେନୁର ନାମରେ ନାମିତ କରିଛି। ସେହି ଅଞ୍ଚଳରୁ ଜଣେ ସରପଞ୍ଚ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏବଂ ଓଡିଶାର ଫଗୁଣ ସିନେରୀକୁ ପଟୁଗୁନେରୀକୁ ନାମିତ କରି ଜଣେ ସରପଞ୍ଚ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏନେଇ ଆନ୍ଧ୍ର ସ୍ଥାନୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି।