କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଏହାକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ। ମଙ୍ଗଳବାର କଂଗ୍ରେସର ଇସ୍ତାହାର ପ୍ରକାଶ ପାଇବା ପରେ ଜେଟ୍ଲୀ କହିଛନ୍ତି, ରାହୁଲ୍ ଗାନ୍ଧୀ ନିଜ ଟୁକୁଡା ଗ୍ୟାଙ୍ଗର କିଛି ବନ୍ଧୁଙ୍କ ମତକୁ ଏହି ଇସ୍ତାହାରରେ ସାମିଲ କରିଛନ୍ତି। କଂଗ୍ରେସ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହିତ ଜମ୍ମୁ କଶ୍ମୀରରେ ସେନାର ସ୍ବତନ୍ତ୍ର ବଳ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସମାଲୋଚନା କରି ଜେଟ୍ଲୀ କହିଥିଲେ, କଂଗ୍ରେସର ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏକ ପ୍ରସ୍ତାବକ ଦଳ ରହିଛି ମାତ୍ର ଦେଶର ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିମନ୍ତେ ରାହୁଲ୍ ନିଜ ଟୁକୁଡା ଗ୍ୟାଙ୍ଗରୁ ମତାମତ ନେଇଛନ୍ତି। ଜେଟ୍ଲୀ କହିଛନ୍ତି, ଆତଙ୍କବାଦ ପାଇଁ ଦୀର୍ଘ ୭୦ ବର୍ଷ ମଧ୍ୟରେ ବହୁତ କିଛି ହରାଇଛି ତେଣୁ କଂଗ୍ରେସର ଏପରି ନିଷ୍ପତ୍ତି କେତେ ଦୂର ଯଥାର୍ଥ ତାହା ଜନସାଧାରଣ ନିଷ୍ପତ୍ତି ନେବେ। ସେହିପରି ‘ଅଫ୍ପ୍ସା’ ନିୟମ ପ୍ରତ୍ୟାହାର ପାଇଁ ମଧ୍ୟ ରାହୁଲ ନିଜ ଇସ୍ତାହାରରେ ଘୋଷଣା କରିବାକୁ ସମାଲୋଚନା କରିଛନ୍ତି ଜେଟ୍ଲୀ। ଅଫ୍ପ୍ସା ମାଓବାଦୀ ଏବଂ ଜିହାଦୀ ମାନଙ୍କ ନିକଟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରହିଛି ତେଣୁ ଏପରି ନିଷ୍ପତ୍ତି ନେଇ କଂଗ୍ରେସ ପରୋକ୍ଷରେ ଆତଙ୍କବାଦୀଙ୍କୁ ସହାୟତା କରୁଛି ବୋଲି କହିଛନ୍ତି ଜେଟ୍ଲୀ।