ଭୂତକୋଠି ପାଲଟିଛି ବ୍ରିଟିଶ ଅମଳର ଡାକ ବଙ୍ଗଳା: ଜରାଜିର୍ଣ୍ଣ ଅବସ୍ଥାରେ ରୋଷଇ ଗୃହ

Published: Feb 24, 2021, 7:32 pm IST

ଫୁଲବାଣୀ: ଏକଦା ଅଞ୍ଚଳପାଇଁ ଏକ ପରିଚୟ ସୃଷ୍ଟି କରିଥିବା ଏକ ଡ଼ାକ ବଙ୍ଗଳା ବର୍ତ୍ତମାନ ଭୂତକୋଠି ପାଲଟିଛି। ଡ଼ାକ ବଙ୍ଗଳା ପାଶ୍ୱର୍ରେ ଥିବା ଚପରାଣିଙ୍କ ବାସସ୍ଥଳ ଓ ରୋଷେଇ ଗୃହ ସଂପୂର୍ଣ୍ଣଭାବେ ଜରାଜିର୍ଣ୍ଣ ଅବସ୍ଥାରେ ଅଛି। ନଦେଖିବା ଲୋକ ତାହାକୁ ବିଶ୍ୱାସ କରିପାରିବ ନାହିଁ।

ପ୍ରକାଶଯେ, ବ୍ରିଟିଶ ଅମଳରୁ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଗୋଛାପଡ଼ା ଠାରେ ନିର୍ମିତ ହୋଇଥିଲା ରାଜସ୍ୱ ବିଭାଗ ଡାକ ବଙ୍ଗଳା। ବର୍ତ୍ତମାନ ତାହା ଭୂତ କୋଠୀ ପାଲଟିଛି। କିଛି ବର୍ଷ ପୁର୍ବରୁ ଜିଲ୍ଲା ପ୍ରଶାସନ ତରଫରୁଏହି ବଙ୍ଗଳାରେ କ୍ୟାମ୍ପ କୋର୍ଟ କରି ଜନସାଧାରଣଙ୍କ ସମସ୍ୟାର ଶୁଣାଣୀ କରିଥିଲେ। ଏହି ବଙ୍ଗଳା ପାଇଁ ଜଣେ ସ୍ୱତନ୍ତ୍ର ଭାବେ ରାତ୍ରି ଜଗୁଆଳି ମଧ୍ୟ ରହୁଥିଲେ। ପ୍ରତ୍ୟେକ ମାସରେ ତହସିଲଦାର ଜମିଜମା ବାବଦରେ ମାମଲା କ୍ୟାମ୍ପ କୋର୍ଟ କରି ସମସ୍ୟାର ସମାଧାନ କରୁଥିଲେ।

ଏଥି ସହିତ ଯଦି କୌଣସି ଅଫିସର କିମ୍ବା ମନ୍ତ୍ରୀ ଆସିଲେ ଏହି ବଙ୍ଗଳାରେ ବିଶ୍ରାମ କରି ଜଙ୍ଗଲର ସୌନ୍ଦର୍ଯ୍ୟର ଉପଭୋଗ କରୁଥିଲେ। କିନ୍ତୁ ଗତ ୨୦୧୨ ମସିହା ପରଠାରୁ ଏହି ବଙ୍ଗଳା ରକ୍ଷଣା ବେକ୍ଷଣ ଅଭାବ ଯୋଗୁଁ ଏବେ ଭୂତକୋଠି ପାଲଟିଛି। ଗତବର୍ଷ ବଙ୍ଗଳା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଥିଲା କିନ୍ତୁ ତାହା ଅଧାରେ ଅଟକି ଯାଇଛି। ଅଳିଆ ଆର୍ବଜନାରେ ବଙ୍ଗଳାର ଚାରିପାଖ ପୁରିରହିଛି। ଏଥି ପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ଜଣେ ରାତ୍ରୀ ଜଗୁଆଳିଙ୍କୁ ନିଯୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତେବେ ବଙ୍ଗଳାର ସମସ୍ୟା ନେଇ ଖୋଦ୍ ଫୁଲବାଣୀ ବିଧାୟକ ମଧ୍ୟ ତହସିଲଦାରଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରିଥିବାର ମଧ୍ୟ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଫିରିଙ୍ଗିଆ ତହସିଲଦାର ପୁନମ ରାଉତଙ୍କୁ ଉକ୍ତ ବଙ୍ଗଳା ସଂପର୍କରେ ପଚାରିବାରେ ତୁରନ୍ତ ଉକ୍ତ ବଙ୍ଗଳାର ମରାମତି ନେଇ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ତାହାକୁ ତୁରନ୍ତ କାର୍ଯ୍ୟକାରି କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ବିଭାଗ ପକ୍ଷରୁ ଅନୁଦାନ ମିଳିଲେ ତୁରନ୍ତ ଏହାର ମରାମତି କରାଯାଇ କାର୍ଯ୍ୟକାରି କରାଯିବ ବୋଲି ପ୍ରକାଶ କରିଛନ୍ତି।

Related posts