୧୨ଟି ରାଜ୍ୟରୁ ଆସୁଥିବା ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

Published: Feb 25, 2021, 9:37 pm IST

ଭୁବନେଶ୍ବର: କରୋନା ସଂକ୍ରମଣ ପୁଣି ଦେଶରେ ବଢିବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ ସମଗ୍ର ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ଏହି ଷ୍ଟ୍ରେନକୁ ରୋକିବା ପାଇଁ ଓଡିଶା ପ୍ରସ୍ତୁତ ହେଉଛି। ସେଥିପାଇଁ ୧୨ ଟି ରାଜ୍ୟରୁ ଫେରୁଥିବା ପ୍ରବାସୀମାନଙ୍କ ଉପରେ ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସଂକ୍ରମଣ ରୋକିବା ପାଇଁ ସମସ୍ତ ଜିଲ୍ଲାପାଳ, ମ୍ଯୁନିସିପାଲ କମିଶନରଙ୍କୁ ଏସିଏସ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ଵର ବିମାନ ବନ୍ଦର, ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକଙ୍କୁ ମଧ୍ୟ ଚିଠି କରାଯାଇଛି। ଏହା ସହ ପୂର୍ବତଟ ରେଳବାଇର ଜିଏମଙ୍କୁ ମଧ୍ୟ ଚିଠି ଲେଖି ପରାମର୍ଶ ଦିଆଯାଇଛି।

ମହାରାଷ୍ଟ୍ର, କେରଳ, ତେଲେଙ୍ଗନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଛତିଶିଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡିଗଡ, ମଧ୍ୟପ୍ରଦେଶ ଏବଂ ତାମିଲନାଡୁ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏହି ଚିଠିରେ ନିର୍ଦ୍ଦେଶ ହୋଇଛି। ଫେରନ୍ତାଙ୍କୁ ଥର୍ମାଲ ସ୍କ୍ରିନିଙ୍ଗ କରାଯିବା ପାଇଁ ନିର୍ଦ୍ଦେଶ ରହିଛି। ଯଦି କାହାର ଲକ୍ଷଣ ଦେଖାଯାଏ, ତେବେ ତାଙ୍କର ରାପିଡ଼ ଆଣ୍ଟିଜେନ ଟେଷ୍ଟ କରାଯିବ। ପଜିଟିଭ ଚିହ୍ନଟ ହେଲେ ଆଇସୋଲେସନରେ ରଖାଯାଇ ପ୍ରୋଟୋକଲ ଅନୁସାରେ ଚିକିତ୍ସା କରିବା ପାଇଁ ଏସିଏସ ପରାମର୍ଶ ଦେଇଛନ୍ତି।

Related posts