ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଦିଗପହଣ୍ଡି ପୁଂଜିକୟାଁ ଛକ ନିକଟରେ ବି.ୱାନ୍ ଶ୍ରମିକ ସଂଘ ନାମକ ଏକ କାର୍ଯ୍ୟାଳୟ ଖୋଲି ଲେବର କାର୍ଡ଼ କରାଇଦେବାକୁ କହି ଏହି କଂପାନୀ ଦିଗପହଣ୍ଡି, ଚିକିଟି, ପାତ୍ରପୁର, ଶେରଗଡ଼, ସାନଖେଢ଼ୁଣ୍ଡି, କୁକୁଡ଼ାଖଣ୍ଡି ଏବଂ ଅନ୍ୟାନ୍ୟ ବ୍ଲକ୍ର ଗରିବ ଆଦିବାସୀ ହରିଜନ ଲୋକଙ୍କଠାରୁ ମୁଣ୍ଡ ପିଛା ୪୦୦ ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବେନିୟମ ଆଦାୟ କରି ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଛି।
ଏହି କାର୍ଯ୍ୟାଳୟକୁ ଦିଗପହଣ୍ଡି ବିଧାୟକ ତଥା ଓଡ଼ିଶାର ବାଚିସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡ଼ିର ବ୍ଳକ୍ ସଭାପତି ଉଦୟନାଥ ସ୍ୱାଇଁ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଯେଉଁ ସ୍ଥାନରେ ବି କାର୍ଯ୍ୟାଳୟ ନିର୍ମିତ ହୋଇଛି ତାହା ଏକ ବିବାଦୀୟ ଜମି। ଏହି ଜାଲି ଶ୍ରମିକ କାର୍ଯ୍ୟାଳୟ ବିଜୁ ଜନତା ଦଳର ଦିଗପହଣ୍ଡି ପୂର୍ବତନ ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ଏବଂ ଉଦୟନାଥ ସ୍ୱାଇଁ, ଦିଗପହଣ୍ଡି ବ୍ଲକ୍ ସଭାପତି ଏବଂ ବିକାଶ ପ୍ରଧାନଙ୍କ ବୋଲି ଭାରତୀୟ ବିକାଶ ପରିଷଦ ଅଭିଯୋଗ କରିଛି। କିନ୍ତୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୋଇ ପୋଲିସ୍ ଅନ୍ୟମାନଙ୍କୁ ଗିରଫ କରିଛି। ମୁଖ୍ୟ କର୍ପଟଦାର ଏହି ଚାରିଜଣ ବ୍ୟକ୍ତିଙ୍କ ନାମ ଏଫ୍ଆଇଆର୍ରେ ଦର୍ଶାଯାଇନାହିଁ।
ସୂଚନାଯୋଗ୍ୟ ପ୍ରମୋଦ ପାଣିଗ୍ରାହୀ ମଧ୍ୟ ଏକ ଚିଟ୍ଫଣ୍ଡ ସଂସ୍ଥା ଖୋଲି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ ମଧ୍ୟ ସୂର୍ଯ୍ୟ ପାତ୍ରଙ୍କ ରାଜନୈତିକ ଚାପ ଯୋଗୁଁ ପୋଲିସ୍ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରିନାହିଁ ବୋଲି ପରିଷଦ ଅଭିଯୋଗ କରିଛି।
ଏ ପରିପ୍ରେକ୍ଷୀରେ ଏହି ଚାରିଜଣ ବିଜେଡ଼ିର ପ୍ରଭାବଶାଳୀ ରାଜନେତାଙ୍କ ଅସାଧୁମେଣ୍ଟ ଓ ରାଜନୈତିକ ପ୍ରଭାବ ଯୋଗୁଁ ସରକାରୀ ଅଫିସରମାନେ ସେମାନଙ୍କୁ ହାତଦେବାକୁ ସାହାସ କରିପାରୁନାହାନ୍ତି। ଏଣୁ ଭାରତୀୟ ବିକାଶ ପରିଷଦ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଚାରିଜଣ ରାଜନେତାଙ୍କ ବିରୋଧରେ ତୁରନ୍ତ ଗିରଫ କରିବାକୁ ଆରକ୍ଷୀ ଅଧିକ୍ଷକ ବ୍ରହ୍ମପୁର ଏବଂ ଭାରପ୍ରାପ୍ତ ଅଧିକାରୀ ଦିଗପହଣ୍ଡି ଥାନାକୁ ଦାବି କରିଛି।
ଦାବିପତ୍ର ପ୍ରଦାନ ସମୟରେ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ପ୍ରମୋଦ ଚନ୍ଦ୍ର ସାହୁ, ବୃନ୍ଦାବନ ବେହେରା, ରାଜେନ୍ଦ୍ର ଧଳ ବେହେରା, ଇ. ରାଜେନ୍ଦ୍ର ପ୍ରସାଦ, କିଶୋର ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।