ଭୋପାଳ: ମଧ୍ୟ ପ୍ରଦେଶରେ କୃଷି ଅଧିକାରୀ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପରୀକ୍ଷା ଫଳ ବାହାରିବା ପରେ ଜଣାପଡିଲା ଯେ, ଦଶ ଜଣ ପରୀକ୍ଷାର୍ଥୀ ଟପର ହୋଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଏହି ଦଶ ଜଣ ପୁରା ସମାନ ନମ୍ବର ରଖିଛନ୍ତି। ସେତିକି ନୁହେଁ ସେମାନଙ୍କ ଉତ୍ତର ଖାତା ଦେଖିବା ପରେ ଜଣାପଡିଲା ଏହି ଦଶ ଜଣ ସମାନ ଭୁଲ ମଧ୍ୟ ଲେଖିଛନ୍ତି। ଆଉ ଏକ ବଡ କଥା ହେଲା ଏହି ଦଶଜଣ ପରୀକ୍ଷାର୍ଥୀ ଗୋଟିଏ କଲେଜରେ ମଧ୍ୟ ପଢୁଛନ୍ତି। ଏହାକୁ ନେଇ ବର୍ତ୍ତମାନ ସମସ୍ତଙ୍କର ସନ୍ଦେହ ଘନିଭୂତ ହେବାରେ ଲାଗିଛି।
ଗତ ଫେବୃୟାରୀ ୧୦ ଏବଂ ୧୧ ତାରିଖରେ ମଧ୍ୟ ପ୍ରଦେଶ ପ୍ରଫେସନାଲ ଏକଜାମିନେସନ ବୋର୍ଡ ଦ୍ବାରା ଏକ ପରୀକ୍ଷା ହୋଇଥିଲା। ଏଥିରେ ରାଜ୍ୟ ପାଇଁ ୮୨୩ ଟି କୃଷି ଅଧିକାରୀ ପଦପାଇଁ ଏହି ପରୀକ୍ଷା ହୋଇଥିଲା। ଗତ ଫେବୃୟାରୀ ୧୭ ତାରିଖରେ ଏହାର ଫଲ ବାହାରିବା ପରେ ଏହି ଘଟଣା ପଦାକୁ ଆସିଥିଲା। ଏଥିରେ ଜାଲିୟାତି ହୋଇଥିବାର ଜଣାପଡିବା ପରେ ଏମପି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।