୩ ଦଫା ଦାବି ନେଇ ଏମ୍‌କେସିଜି ସ୍ନାତକ ଛାତ୍ର ସଂସଦର ଧାରଣା

Published: Mar 13, 2021, 11:53 am IST

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏମ୍‌କେସିଜି ମେଡ଼ିକାଲ୍ କଲେଜ କ୍ୟାମ୍ପସ୍‌ର ସ୍ନାତକ ଛାତ୍ର ସଂସଦର ପକ୍ଷରୁ ତିନିଦଫା ଦାବି ନେଇ ଧାରଣା ଅନୁଷ୍ଠିତ ହୋଇଥିଲା। ଏହାକୁ ଜୁନିୟର ଡ଼ାକ୍ତର ସଂଘ ଏବଂ ହାଉସ୍ ସର୍ଜନ ଡ଼ାକ୍ତର ସଂଘ ମଧ୍ୟ ସମର୍ଥନ କରିଥିଲେ। ଗତ ୧୯.୨.୨୦୨୧ ତାରିଖରେ ଡ଼ାକ୍ତର ନିଯୁକ୍ତି ପାଇଁ ଆସିଥିବା ବିଜ୍ଞପ୍ତିକୁ ବିରୋଧ କରାଯାଇଛି। ଏଥିରେ ଅଣଓଡ଼ିଆ ଡ଼ାକ୍ତରମାନେ ଓପିଏସ୍‌ସି ପରୀକ୍ଷା ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ପାଇପାରିବେ।

ଡ଼ାକ୍ତରୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରିବା ସହିତ ଏହି ବିଜ୍ଞପ୍ତିକୁ ରବ୍ଦ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହାସହ ବଢ଼ିଥିବା ଡ଼ାକ୍ତରୀ ସିଟ୍‌କୁ ନଜରରେ ରଖି ସରକାର ନିଯୁକ୍ତି କ୍ଷେତ୍ରରେ ଏକ ପୂର୍ଣ୍ଣକାଳୀନ ସମାଧାନ ପାଇଁ ବ୍ୟବସ୍ଥା କରିବା ସହ ନିୟମିତ ନିଯୁକ୍ତି ସମ୍ବନ୍ଧରେ ପ୍ରୟାସ କରିବା ପାଇଁ ଡ଼ାକ୍ତରୀ ସଂଘ ଅନୁରୋଧ କରିଛି। ନିଯୁକ୍ତି ପାଇନଥିବା ସଂରକ୍ଷିତ ସିଟ୍‌ଗୁଡ଼ିକୁ, ଅଣ ସଂରକ୍ଷିତ ପ୍ରକାରକୁ ଆଣି ଆଶାୟୀ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି।

ଏହି ବିକ୍ଷୋଭରେ ଜିଡ଼ିଏ ସଭାପତି ଡା. ଚରଣ କିସ୍‌କୁ, ସାଧାରଣ ସଂପାଦକ ଡା. ଶ୍ୟାମଳେନ୍ଦୁ ମିଶ୍ର, ହାଉସ ସର୍ଜନ ସଂପାଦକ ଡା. ଦେବାଶିଷ ପଣ୍ଡା, ୟୁଜି ଷ୍ଟୁଡ଼େଷ୍ଟ ସଭାପତି ଆଶୁତୋଷ ପତି, ସାଧାରଣ ସଂପାଦକ ସିଦ୍ଧାର୍ଥ ଟପୋ ସାମିଲ ଥିଲେ।

Related posts