
ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପି.ସି.ପି.ଏନ୍.ଡି.ଟି ପରାମର୍ଶଦାତା କମିଟିର ଏକ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟ କରୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକ ଯେପରି ଆଇନ୍ ଅନୁଯାୟୀ ସଠିକ୍ ଭାବରେ ପରିଚାଳନା ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଅନଲାଇନ ମାଧ୍ୟମରେ ଆବେଦନ କରିଥିବା ବାଲିକୁଦା, ଏରସମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନୂଆକରି ଅଲଟ୍ରାସାଉଣ୍ଡ ୟୁନିଟ ଖୋଲିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏତଦବ୍ୟତୀତ ତିର୍ତ୍ତୋଲ ବ୍ଲକରେ ଅନ୍ୟ ଏକ ପ୍ରାଇଭେଟ୍ ଅଲଟ୍ରାସାଉଣ୍ଡ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଥିଲା। ସମସ୍ତ ପଞ୍ଜିକୃତ କ୍ଲିନିକ୍ ପ୍ରତ୍ୟେକ ରିପୋର୍ଟ ଏବଂ ଏହାର ପଞ୍ଜିକରଣ ଓ ନବୀକରଣ ଅନଲାଇନ୍ ମାଧ୍ୟମରେ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହାର ଆବଶ୍ୟକୀୟ ତଦାରଖ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ହେଲାପରେ ଅନୁମତି ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ଭର୍ଚୁଆଲ୍ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା.ପ୍ରମୋଦ କୁମାର ବାରିକ ସରକାରୀ ଓକିଲ ସଲିଲ କୁମାର ଘୋଷ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ, ଆଶ୍ରା ଏନ୍.ଜି.ଓ ର ସଦସ୍ୟା ଜ୍ୟୋତିର୍ମୟୀ ମହାନ୍ତି ,ସାମାଜିକ କର୍ମୀ ଡି.ପି.ଏମ୍ ଚକ୍ରଧର ଜେନା, ସେକସନ୍ ଅଫିସର୍ ବିନୋଦ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସହପରିଚାଳିକା ପି.ସି.ପି.ଏନ୍.ଡି.ଟି ସ୍ୱସ୍ଥି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।