
ଭୁବନେଶ୍ବର: ଆସନ୍ତାକାଲି ଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିବ ବୋଲି ଏସଆରସି ସତର୍କ କରାଇଛନ୍ତି। ଏହାସହ କିଛି ଜାଗାରେ ଭୁସ୍ଖଳନ ହେବାରେ ସମ୍ଭାବନା ରହିଛି। ସେଭଳି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି। ବନ୍ୟା ଓ ଭୁସ୍ଖଳନରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି। ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବାକୁ ନିର୍ଦ୍ଦେଶ ହୋଇଛି।
ବିପଦଜ୍ଜନକ ଅବସ୍ଥାରେ ଥିବା ନଦୀବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସଆରସି କହିଛନ୍ତି। ଅଗ୍ନିଶମ ବାହିନୀକୁ ଡଙ୍ଗା ଏବଂ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।