ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ସଂଗଠନ ନିଷ୍ପତି କମ ସରକାରଙ୍କ ବିରୋଧରେ ଗର୍ଜନ ଅଧିକ

Published: Jun 28, 2021, 11:23 pm IST

ଭୁବନେଶ୍ବର, ଶେଷ ହୋଇଛି  ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକ। ସାଧାରଣତଃ ଏପରି ବୈଠକରେ ସଂଗଠନ କାମ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥାଏ। ହେଲେ ବିଜେପି ତରଫରୁ ଜାରୀ ପ୍ରେସ ବିଜ୍ଞପ୍ତିରେ ସଂଗଠନ ସୁଦୃଢ ପାଇଁ କଣ ନିଷ୍ପତି ହେଲା ସେ ସବୁ କିଛି ନାହିଁ। ରହିଛି କେବଳ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ବିଫଳ ହେଲେ। ତିନି ପୃଷ୍ଠା କେବଳ ରାଜ୍ୟ ସରକାରଙ୍କୁ ଗାଳି କରି କରି ଶେଷ ହୋଇଛି।

ସାଂଗଠାନିକ ନିଷ୍ପତି ମଧ୍ୟରେ ରହିଛି କେବଳ ରାଜ୍ୟ ସରକାରଙ୍କ ବିଫଳତାକୁ ଘରେଘରେ ପହଁଚାଇବା ପାଇଁ ବିଜେପି କାର୍ଯ୍ୟ କରିବ। ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିବ ବୋଲି ନିଷ୍ପତି ହୋଇଛି। ରାଜ୍ୟ ସରକାର କୋଭିଡ ମୁକାବିଲା, ମଣ୍ଡି ସମସ୍ୟା, ଚାଷୀମାରଣ ନିତି, ମନେରଗା ଦୁର୍ନିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତି ବିଫଳତାକୁ ଲୋକଙ୍କ ନିକଟକୁ ନେବାକୁ ବିଜେପି କାର୍ଯ୍ୟ କରିବ।

ଗୋଟିଏ ପଟେ ରାଜ୍ୟ ସରକାରଙ୍କ ବିଫଳତା ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସଫଳତାର ବାର୍ତ୍ତା ପହାଁଚାଇବା ପାଇଁ ମଧ୍ୟ ଦଳ କାର୍ଯ୍ୟ କରିବ। ପ୍ରଧାନମନ୍ତ୍ରୀ ଓଡିଶାକୁ ଯେପରି ସହଯୋଗର ହାତ ବଢାଇଛନ୍ତି ତାହାର ଦଳ ପ୍ରଚାର ପ୍ରସାର କରିବ। ତୃଣମୂଳ ସ୍ତରରେ କେନ୍ଦ୍ର ସରକାରଙ୍କ ଯୋଜନା କିପରି ହାତାଧିକାରୀ ହାସଲ କରିବେ ସେ ନେଇ କାର୍ଯ୍ୟ କରିବ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଦଳକୁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ପାଇଁ ଦଳର ପ୍ରମୁଖ ନେତାମାନେ ଉପଦେଶ ଦେଇଥିଲେ। ଓଡିଶାର ପରିବର୍ତ୍ତନ ପାଇଁ କର୍ମିମାନେ ଗୁଣ୍ଡୁଚି ମୂଷା ହେବାର ଆବଶ୍ୟକତା ରହିଛି ବୋଲି ନେତାମାନେ କହିଥିଲେ। ମୁଖ୍ୟତଃ କର୍ମିମାନଙ୍କୁ ସାମାଜିକ ଗଣମାଧ୍ୟମରେ ଯୋଡି ସେମାନଙ୍କର ସମସ୍ୟା ଉପରେ ଅବଗତ ହେବାକୁ କହିଥିଲେ।

ଭର୍ଚୁୟାଲ ମାଧ୍ୟମରେ ହୋଇଥିବା ଏହି ବୈଠକକୁ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମର ମଧ୍ୟ ଉପସ୍ଥିତ ଥିଲେ। ଏଥିସହିତ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ବିଜେପି ସାଂସଦଗଣ ମଧ୍ୟ ଯୋଗ ଦେଇଥିଲେ।

Related posts