ଜମ୍ମୁ ଏବଂ କାଶ୍ମୀରରେ ସେନା ପକ୍ଷରୁ ଜାରି ରହିଥିବା କର୍ଡନ୍ ଆଣ୍ଡ ସର୍ଚ୍ଚ ଅପରେସନ୍ (କାସୋ) ରେ ଏନକାଉଣ୍ଟରରେ ଦୁଇ ଆତଙ୍କୀ ପ୍ରାଣ ହରାଇଛନ୍ତି । ଦକ୍ଷିଣ କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗହାଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା । ଏହାପରେ ଯବାନମାନେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଜବାବରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆହୁରି ୨ ରୁ ୩ ଜଣ ଆତଙ୍କବାଦୀ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ସୂଚନା ରହିଛି । ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ଏମ.ଟେକ୍ ଛାତ୍ର ରହିଛନ୍ତି। ତାଙ୍କ ନାମ ଶାହିଲ ଶାହିଦ ଏବଂ ଘର ଗାନ୍ଦରବଲ ଜିଲାର ନୁନେର ଗାଁରେ। ସେ ୩ଦିନ ତଳେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲେ । ସେହିପରି ଅନ୍ୟ ଆତଙ୍କୀଙ୍କ ଘର ସୋପିଆନ ଜିଲାର କୀଗମ ଗାଁରେ ଏବଂ ତାଙ୍କର ନାଁ ବିଲାଲ ଅହମ୍ମଦ ବୋଲି ଜଣାପଡ଼ିଛି । ରାଷ୍ଟ୍ରୀୟ ରାଇଫଲ୍ସ, ସ୍ବତନ୍ତ୍ର ଅପରେସନ୍ ଗ୍ରୁପ୍, ସିଆରପିଏଫ୍ ପକ୍ଷରୁ ମିଳିତ ଭାବରେ ଏହି ଅପରେସନ୍ କରାଯାଇଥିଲା । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।