ନୟାଗଡ଼ର ଦଶପଲ୍ଲାଠାରେ ନିର୍ବାଚନୀ ପ୍ରଚାରରେ ଆଜି ନବୀନ ବିଜେପିକୁ ଟାର୍ଗେଟ୍ କରିବା ସହିତ ବିଜେପି ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପ୍ରଶ୍ନ କରିଛନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାରକୁ କଟାକ୍ଷ କରି କହିଥିଲେ ଯେ, ନବୀନ କେବଳ ବିଜେପିକୁ ଟାର୍ଗେଟ କରି ସବୁବେଳେ ସମାନ ପ୍ରସଙ୍ଗ କହୁଛନ୍ତି । ତେବେ ଏହାର ଦୃଢ ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ତାଙ୍କ ନିର୍ବାଚନୀ ମଣ୍ଡଳୀ କେଉଁଠି? ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ଡରୁଛି ବୋଲି ସେ କହିଛନ୍ତି। କେନ୍ଦ୍ରର ଅବହେଳା ସହ ବିଜେପିର ଡବଲ୍ ଇଂଜିନ୍କୁ ଟାର୍ଗେଟ୍ କରିଛନ୍ତି ନବୀନ। ବିକାଶର ଡବଲ୍ ଇଂଜିନ୍ ପାଇଁ ଓଡ଼ିଶାର ଇଂଜିନ କିଏ ବୋଲି ପ୍ରଶ୍ନ କରିଛନ୍ତି ନବୀନ । ତେବେ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏନେଇ ଚର୍ଚ୍ଚା ମଧ୍ୟ ଚାଲିଛି । ପୁନଶ୍ଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତିରେ ବେଶ୍ ସକ୍ରିୟ ରହୁଥିବାବେଳେ କୌଣସି ଆସନରୁ ନିର୍ବାଚନ ନ ଲଢିବା ମଧ୍ୟ ଏ ପ୍ରସଙ୍ଗକୁ ଆହୁରି ଘନୀଭୂତ କରୁଛି ।