Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ, ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା
ଆଜିର ଖବର

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ‘ଇ-ସ୍ୱାସ୍ଥ୍ୟ’ ସେବା ଆରମ୍ଭ, ଲୋକଙ୍କ ପାଇଁ ମାଗଣାରେ ୭୬ ପ୍ରକାର ଡାକ୍ତରୀ ପରୀକ୍ଷା ସୁବିଧା

August 16, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତିନୋଟି ନୂଆ ଜନକଲ୍ୟାଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବିକାଶ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ତଥା ଶ୍ରମିକଙ୍କ ସୁରକ୍ଷା ଲାଗି ଏହି କାର୍ଯ୍ୟକ୍ରମଗୁଡ଼ିକୁ ଲୋକାର୍ପଣ କରିଛନ୍ତି।

ସୁନ୍ଦରଗଡ଼ର ସହରରୁ ଗାଁ ପର୍ଯ୍ୟନ୍ତ ଲୋକଙ୍କୁ ମାଗଣାରେ ଡାକ୍ତରୀ ପରୀକ୍ଷା ସେବା ଯୋଗାଇଦେବା ପାଇଁ “ଇ-ସ୍ୱାସ୍ଥ୍ୟ”, ବ୍ଲକ ସ୍ତରରେ ଫିଜିଓଥେରାପି ଏବଂ ବିଭିନ୍ନ ଆଧୁନିକ ଥେରାପି ଲାଗି ‘ସମନ୍ୱିତ ଭୌତିକ ଚିକିତ୍ସା’ ସହ ଜିଲ୍ଲାର ଶ୍ରମିକମାନଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟରକ୍ଷା ଲାଗି ସ୍ୱତନ୍ତ୍ର ‘ସୁରକ୍ଷା କିଟ୍‌’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ସେହିପରି ଶିଶୁଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ସ୍ପିରୁଲିନାଯୁକ୍ତ ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ମିକ୍ସ ବଣ୍ଟନ କାର୍ଯ୍ୟକ୍ରମର ୧ ବର୍ଷ ପୂର୍ତ୍ତି ପାଳନ କରାଯାଇଛି।

“ସ୍ପିରୁଲିନା ଓ ମାଣ୍ଡିଆ ଲଡୁ – ଜିଲ୍ଲାରେ ପିଲାଙ୍କ ପୋଷଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ଏହି ଦୁଇଟି ପୁଷ୍ଟିକର ଖାଦ୍ୟର ସଫଳତା ଆମର ଉତ୍ସାହ ବଢ଼ାଇଛି। ଶିଶୁମାନଙ୍କଠାରେ ଅପପୁଷ୍ଟି ରୋକିବାରେ ଏହା ବିଶେଷ ସହାୟକ ହୋଇପାରିଛି। ଏହାଛଡ଼ା ‘ଇ-ସ୍ୱାସ୍ଥ୍ୟ’ ଏବଂ ଫିଜିଓଥେରାପି ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଏବେ ସାଧାରଣ ଲୋକଙ୍କ ପାଇଁ ବିଶେଷ ଉପକାରୀ ହୋଇପାରିବ। ମୁଖ୍ୟତଃ ସହରାଞ୍ଚଳରେ ମିଳୁଥିବା ବିଭିନ୍ନ ସ୍ୱାସ୍ଥ୍ୟସେବା ଓ ସୁବିଧା କିଭଳି ଗ୍ରାମାଞ୍ଚଳରେ ଲୋକଙ୍କ ପାଖରେ ପହଞ୍ôଚପାରିବ, ସେଥିପାଇଁ ଆମେ ଏହି ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛୁ”, କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

‘ଇ-ସ୍ୱାସ୍ଥ୍ୟ’ – ଗୋଟିଏ ନମୁନାରୁ ୭୬ ପ୍ରକାର ପରୀକ୍ଷା:

ସୁନ୍ଦରଗଡ଼ ଜିଲ୍ଲାରେ ‘ଇ-ସ୍ୱାସ୍ଥ୍ୟ’ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ଏବେ ଜିଲ୍ଲାବାସୀ ମାଗଣାରେ ବିଭିନ୍ନ ପ୍ରକାର ଡାକ୍ତରୀ ପରୀକ୍ଷା କରିପାରିବେ। ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର କରି ହିତାଧିକାରୀମାନଙ୍କ ରକ୍ତ ଓ ମୂତ୍ରର ନମୁନାରୁ ୭୬ ପ୍ରକାର ପରୀକ୍ଷାର ରିପୋର୍ଟ ମିଳିପାରିବ। ସେହିପରି ରୋଗୀଙ୍କ ଉଚ୍ଚତା, ଓଜନ, ରକ୍ତଚାପ, ରକ୍ତ ଶର୍କରା, ଇସିଜି ପରୀକ୍ଷା କରି ରେକର୍ଡ଼ କରାଯିବ। ଜିଲ୍ଲାର ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିପାଇଁ ‘ଲ୍ୟାବ୍‌-ଇନ୍‌-ଦ-ବ୍ୟାଗ୍‌’ ସୁବିଧା ରହିବ। ଏହାଛଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ନମୁନା ସଂଗ୍ରହ କେନ୍ଦ୍ର କରାଯାଇ ଲୋକଙ୍କୁ ଏହି ସେବା ସହିତ ଯୋଡ଼ାଯିବ।

‘ଇ-ସ୍ୱାସ୍ଥ୍ୟ’ ଡିଜିଟାଲ ସେବା ମାଧ୍ୟମରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ଡାଟା ଡିଜିଟାଇଜେସନ ମଧ୍ୟ କରାଯିବ। ଏହାଦ୍ୱାରା ଗର୍ଭବତୀ ମା’ମାନଙ୍କର ମେଡିକାଲ ହିଷ୍ଟ୍ରି ରେକର୍ଡ଼ ହେବା ସହ ସେମାନଙ୍କର ଚିକିତ୍ସା ଲାଗି ଆବଶ୍ୟକ ବେଳେ ସେହି ସୂଚନା ତୁରନ୍ତ ମିଳିପାରିବ। ସ୍ୱତନ୍ତ୍ର ପୋର୍ଟାଲ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ଏହି ଡିଜିଟାଲ ଡାଟା ପରିଚାଳନା କରାଯିବ।

ବ୍ଲକ୍ ସ୍ତରରେ ଫିଜିଓଥେରାପି ଓ ଅନ୍ୟ ଆଧୁନିକ ଥେରାପି:

ଜୀବନ ଶୈଳୀ ସମସ୍ୟା, ବିଭିନ୍ନ ଜଟିଳ ରୋଗର ପ୍ରଭାବ, ଦୁର୍ଘଟଣାଜନିତ ସମସ୍ୟା, ଅପରେସନ ପୂର୍ବ ଓ ପରବର୍ତ୍ତୀ ଅବସ୍ଥା, ବାର୍ଦ୍ଧକ୍ୟ ଏବଂ ପିଲାଙ୍କ ଭିତରେ ବିଭିନ୍ନ ଜନ୍ମଗତ ସମସ୍ୟା ଆଦି କାରଣରୁ ଲୋକଙ୍କୁ ଫିଜିଓଥେରାପି, ଅର୍ଲି ଇଣ୍ଟରଭେନସନ ଥେରାପି, ସ୍ପିଚ୍ ଥେରାପି, ବିହେଭିୟର ଥେରାପି ଏବଂ ଲର୍ଣ୍ଣିଂ ଥେରାପି ଭଳି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ, ଗ୍ରାମାଞ୍ଚଳରେ ଏଥିପାଇଁ ଚିକିତ୍ସା ମିଳି ନଥାଏ। କିନ୍ତୁ ଏବେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯିବା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ୧୧ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ୧୫୦ରୁ ଅଧିକ ଗାଁର ଲୋକଙ୍କୁ ଏହି ସେବା ମାଗଣାରେ ଯୋଗାଇ ଦିଆଯିବ।

ଶ୍ରମିକଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ସୁରକ୍ଷା କିଟ୍‌:

ଜିଲ୍ଲାର ଖଣି ଖାଦାନ, କଳ କାରଖାନା, ନିର୍ମାଣ ଏବଂ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ନିରାପତ୍ତା ପାଇଁ ଏକ ସ୍ୱତନ୍ତ୍ର କିଟ୍ ବ୍ୟବସ୍ଥା କରାଯାଇଛି। ଏହି କିଟ୍‌ରେ ଜୋତା ଏବଂ ମୋଜା, ଚଷମା, ହେଲମେଟ୍‌, ନାଇଲନ୍ ଏବଂ ରବରରେ ତିଆରି ହ୍ୟାଣ୍ଡ୍‌ଗ୍ଲୋଭ୍‌ସ୍‌, ଗମ୍ ବୁଟ୍‌, କାନକୁ ସୁରକ୍ଷିତ ରଖିବା ପାଇଁ ଇୟର ପ୍ଲଗ୍‌, ଧୂଳି ଓ ଧୂଆଁରୁ ସୁରକ୍ଷା ଦେବା ପାଇଁ ସ୍ୱତନ୍ତ୍ର ମାସ୍କ, ସେଫ୍‌ଟି ହାର୍‌ନେସ୍ ଓ ଜ୍ୟାକେଟ୍ ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ରହିଛି।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୫ ହଜାରରୁ ଅଧିକ ଶ୍ରମିକଙ୍କୁ ମାଗଣାରେ ଏହି ସୁରକ୍ଷା କିଟ୍ ପ୍ରଦାନ କରାଯିବ। ଆଜି କାର୍ଯ୍ୟକ୍ରମରେ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷା କିଟ୍ ଏବଂ ଲାଠିକଟା ଓ ଲହୁଣୀପଡ଼ାର ୨ଜଣ ବୋଟ୍‌ମ୍ୟାନ୍‌ଙ୍କୁ ଲାଇଫ୍ ଜ୍ୟାକେଟ୍ ପ୍ରଦାନ କରାଯାଇଛି।

ସ୍ୱତନ୍ତ୍ର ପୋଷଣ କାର୍ଯ୍ୟକ୍ରମକୁ ବର୍ଷେ ପୂରିଲା:

ସୁନ୍ଦରଗଡ଼ ଜିଲ୍ଲାରେ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ ଚାଲିଥିବା ସ୍ପିରୁଲିନା ଚିକି ଓ ଚିନି ଏବଂ ମାଣ୍ଡିଆ ଲଡୁ ମିକ୍ସ ବଣ୍ଟନ କାର୍ଯ୍ୟକ୍ରମକୁ ଏକ ବର୍ଷ ପୂରିଛି। ଏହି ପୋଷଣ କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ୭ ମାସରୁ ୨ ବର୍ଷର ଶିଶୁଙ୍କୁ ସ୍ପିରୁଲିନା ଚିନି ଏବଂ ୨ରୁ ୬ ବର୍ଷର ପିଲାଙ୍କୁ ସ୍ପିରୁଲିନା ଚିକି ଖାଇବାକୁ ଦିଆଯାଉଛି। ସ୍ପିରୁଲିନା ମାଧ୍ୟମରେ ଜିଲ୍ଲାର ୧ ଲକ୍ଷ ୪୨ ହଜାରରୁ ଅଧିକ ଶିଶୁ ଏବଂ ମାଣ୍ଡିଆ ଲଡୁ ଦ୍ୱାରା ୬୩ ହଜାରରୁ ଅଧିକ ଶିଶୁଙ୍କ ପୁଷ୍ଟି ସାଧନ ପାଇଁ କାର୍ଯ୍ୟକ୍ରମ ଜାରି ରହିଛି।

କର୍ଣ୍ଣାଟକସ୍ଥିତ ସ୍ପିରୁଲିନା ଫାଉଣ୍ଡେସନର ଅଧ୍ୟକ୍ଷ ମହେଶ ଆର୍‌.ଭି. ରବିବାର ଦିନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ପିରୁଲିନାର ପ୍ରସାର ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଉଦ୍ୟମର ପ୍ରଶଂସା କରିଛନ୍ତି। ଶିଶୁଙ୍କ ଶାରୀରିକ ବିକାଶ ସହ ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧି ପାଇଁ ଏହା ଅତ୍ୟନ୍ତ ଉପାଦେୟ ବୋଲି ସେ କହିଥିଲେ। ବର୍ତ୍ତମାନ ବାହାର ରାଜ୍ୟରୁ ସ୍ପିରୁଲିନା ଚିକି ଓ ଚିନି ଅଣାଯାଉଛି। ତେବେ ଜିଲ୍ଲାରେ ମିଶନ ଶକ୍ତିର ମା’ମାନଙ୍କ ଦ୍ୱାରା ସ୍ପିରୁଲିନା ଚିକି ପ୍ରସ୍ତୁତ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ସଦର ବ୍ଲକରେ କରାଯାଇଥିବା ଚିକି ପ୍ରସ୍ତୁତି ୟୁନିଟ୍‌ରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ତାଲିମ୍ ଦିଆଯାଉଛି। ଏହି ସବୁ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଅବସରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ପ୍ରଦର୍ଶନୀକୁ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନେ ବୁଲି ଦେଖିଥିଲେ। ସେହିପରି ପୋଷଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଭୂମିକା ପାଇଁ ବିଭିନ୍ନ ଏସ୍‌ଏଚ୍‌ଜିର ମା’ମାନଙ୍କୁ ସମ୍ମାନିତ କରାଯାଇଥିଲା। ଟାଙ୍ଗରପାଲି ବ୍ଲକ୍‌ରୁ ଆସିଥିବା ୪ ଜଣ ଅଙ୍ଗନବାଡ଼ି ଶିଶୁ ଗୀତ ଓ ନୃତ୍ୟ ମାଧ୍ୟମରେ ମାଣ୍ଡିଆ ଲଡୁ ଓ ସ୍ପିରୁଲିନାର ଉପକାରିତାର ବାର୍ତ୍ତା ଦେଇଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ଏବଂ ଡିଏମ୍‌ଏଫ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ।

ଇ-ସ୍ୱାସ୍ଥ୍ୟ’ ସେବା ଡାକ୍ତରୀ ପରୀକ୍ଷା ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ
Share. Facebook Twitter LinkedIn Email WhatsApp Copy Link

Related Posts

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025
Latest News

ଟିମ୍ ଇଣ୍ଡିଆର ଶେଷ ହେଲା ଇଂଲଣ୍ଡ ଗସ୍ତ, ଏବେ କେବେ ଏବଂ କାହା ସହିତ ମ୍ୟାଚ୍ ହେବ? ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

August 5, 2025

ଏନଡିଏ ସଂସଦୀୟ ଦଳ ବୈଠକ: ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ, ପହଲଗାମରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

August 5, 2025

VinFast India: ତାମିଲନାଡୁରେ ଇଲେଟ୍ରିକ ଭେଇକଲ ଆସେମ୍ବଲି ପ୍ରକଳ୍ପର ଉଦଘାଟନ କଲା ଭିନଫାଷ୍ଟ

August 5, 2025

‘ରୁଷର ଡ୍ରୋନ ସହିତ ଭାରତର ସମ୍ପର୍କ ଅଛି’, ଟ୍ରମ୍ପଙ୍କ ପରେ ଗମ୍ଭୀର ଅଭିଯୋଗ ଆଣିଲା ୟୁକ୍ରେନ

August 5, 2025

ପ୍ରତିଶୃତି ପୂରଣ କଲେ ଆଇନ ମନ୍ତ୍ରୀ, ବାଣପୁରରେ ଏଡିଜେ କୋର୍ଟ ପ୍ରତିଷ୍ଠା ହେବା ନେଇ ବିଜ୍ଞପ୍ତି ଜାରି

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.